ହଜାରେ ଦୋଷୀ ଖସି ଯାଆନ୍ତୁ, ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ । ମାତ୍ର ଆମ ବ୍ୟବସ୍ଥା ସଂପୂର୍ଣ୍ଣ ଓଲଟା । କୋର୍ଟରେ ବିଚାର ପୂର୍ବରୁ ପୁଲିସ ଅଭିଯୁକ୍ତକୁ ଦୋଷୀ ସଜାଇ ଅଧା ଦଣ୍ଡ ଦେଇଦିଏ । ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡିତ ହେଉଛନ୍ତି । ଜେଲ୍ରେ କିଏ ନିଜ ଯୌବନକୁ ହରାଉଛି । ଦୁଃଖରେ କାହାର ପତ୍ନୀ ତ ଆଉ କାହାର ବାପା କିମ୍ବା ମାଆ ଆରପାରିକୁ ଚାଲିଯାଉଛନ୍ତି । ଆମ ବ୍ୟବସ୍ଥା ଏସବୁ ଫେରାଇ ପାରିବ କି? ଆମ ଆଇନ, ବିଚାର ବ୍ୟବସ୍ଥା, ସରକାର ଏହାର ଜବାବ ଦିଅନ୍ତୁ।
ଦୋଷ ନକରି ଦୋଷୀ । ବିନା ଅପରାଧରେ ସଜା । ଜୀବନ କଟୁଛି ଜେଲ୍ରେ । ଦିନେ ନୁହେଁ କି ଦି’ଦିନ । ମାସ ମାସ ଆଉ ବର୍ଷ ବର୍ଷ । ଘରେ ବୁଢ଼ା ବାପା, ମାଆ । ବାହା ବୟସର ସାନ ଭଉଣୀ । କ୍ଷେତରେ ଖଟିଲେ ପେଟକୁ ମିଳୁଛି ଦାନା । ଭୁଲ୍ ନଥାଇ ମୁଁ ଜେଲରେ ସଢ଼ୁଛି। ତାରିଖ ପରେ ତାରିଖ ଗଡ଼ୁଛି । ମୋ ଦୋଷର ବିଚାର କିନ୍ତୁ କୋର୍ଟରେ ସରୁନି । ସ୍ୱପ୍ନ ପୂରଣ ବୟସରେ ଜେଲ୍ର ଚାରିକାନ୍ଥ ଛଡ଼ାଇ ନେଇଛି ସ୍ୱପ୍ନ । ଗୁହାରୀ କି କାକୁତି ମିନତି କାଟୁ କରୁନି । ଛଟପଟ ହୋଇ କଟୁଛି ଜୀବନ । ନିଜକୁ ପଚାରୁଛି, ମୋର ଭୁଲ୍ କେଉଁଠି? ଜେଲ୍ରୁ ମୁଁ ବନ୍ଦୀ କହୁଛି ।
ଏହା ହେଉଛି ମୋ ଜୀବନର ବାସ୍ତବ କାହାଣୀ । ମୁଁ ନୁହେଁ ଆମେ । ମୋ ଭଳି ବହୁ ନିର୍ଦ୍ଦୋଷ ଜେଲ୍ରେ ଭୋଗୁଛନ୍ତି ଯନ୍ତ୍ରଣା । ନିଜ ପରିବାରକୁ ଝୁରୁଛନ୍ତି । ନିଜ ଭାଗ୍ୟକୁ ନିନ୍ଦୁଛନ୍ତି । କିଏ ୫ ବର୍ଷ, କିଏ ୧୦ ବର୍ଷ ଆଉ କିଏ ୨୦ ବର୍ଷ କାଳ ସଜା କାଟିବା ପରେ ଏବେ ଘରକୁ ଫେରିଛନ୍ତି । ଜୀବନର ଏତିକି ମୂଲ୍ୟବାନ ସମୟ କିଏ ଫେରାଇବ? ଜେଲରେ କିଏ ନିଜ ଯୌବନକୁ ହରାଇଛି । ଦୁଃଖରେ, ଚିନ୍ତାରେ କାହାର ପତ୍ନୀ ତ ଆଉ କାହାର ବାପା କିମ୍ବା ମାଆ ଆରପାରିକୁ ଚାଲିଯାଇଛନ୍ତି । ଶେଷ ସମୟରେ କିଏ ନିଜ ବାପାଙ୍କୁ ଦେଖିପାରିନି ଆଉ କିଏ ମାଆଙ୍କୁ । ଆମ ବ୍ୟବସ୍ଥା ଏସବୁ ଫେରାଇ ପାରିବ କି? ଆମ ଆଇନ, ବିଚାର ବ୍ୟବସ୍ଥା, ସରକାର ଏହାର ଜବାବ ଦିଅନ୍ତୁ ।
ନିର୍ଦ୍ଦୋଷରେ ଜେଲ୍
ଶହେ ଦୋଷୀ ପଛେ ଖସି ଯାଆନ୍ତୁ, ହେଲେ ଜଣେ ନିର୍ଦ୍ଦୋଷକୁ ଦଣ୍ଡ ନ ମିଳୁ । ଆମ ଆଇନ ଏଇଆ କହୁଛି । ମାତ୍ର ସେଇ ଆଇନ ତ ବିନା ଦୋଷରେ ଦେଉଛି ସଜା । ଅପରାଧ ନକରି ମୋ ଭଳି ମଣିଷମାନେ ଜେଲ୍ ଭିତରେ ଦହଗଞ୍ଜ ହେଉଛନ୍ତି । ଆମ ପରିବାର ଆଖିରୁ ଲୁହ ଶୁଖୁନି । ବିନା କାରଣରେ ସମାଜରେ ଲାଞ୍ଛିତ, ଅପମାନିତ ହୋଇ ଦିନ କାଟୁଛନ୍ତି । ଜୀବନ ଆଗକୁ ଗଡ଼ୁଛି ମାନସିକ ଅବସାଦରେ । ଘରର ପିଲାମାନେ ସ୍କୁଲ କଲେଜରେ ଟାହି ଟାପରାର ଶିକାର ହେଉଛନ୍ତି ।
ବହୁ ଅପରାଧୀ ଛପନ ଇଞ୍ଚର ଛାତି ଫୁଲାଇ ବଞ୍ଚୁଛନ୍ତି । ମାତ୍ର ମୋ ଭଳି ନିରୀହ, ଗରିବମାନେ ଜେଲରେ ଦିନ ଗଣୁଛୁ । ଜଗତସିଂହପୁରର ମଞ୍ଜୁଲତା ମୁଦୁଲି ହୁଅନ୍ତୁ ଅବା ମୟୂରଭଞ୍ଜ ଯଶିପୁର ଥାନା ବଳରାମପୁରର ହାବିଲ ସିନ୍ଧୁ³ କାହିଁକି ସେମାନେ ୧୫ ବର୍ଷ କାଳ ଜେଲରେ ରହିଲେ? ସେମାନେ ନିର୍ଦ୍ଦୋଷରେ ଖଲାସ ହେଲେ ସତ ମାତ୍ର ମୁକ୍ତିର ଆନନ୍ଦ କାହିଁ? ନିଜ ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତାରେ । ମଥାରୁ ଲିଭୁନି ପାପର ମିଛ କଳଙ୍କ । ଧନ୍ୟ ଆମ ଆଇନ, ଧନ୍ୟ ବିଚାର ବ୍ୟବସ୍ଥା ।
ମନେ ପଡ଼ୁଛି, ପ୍ରାୟ ବର୍ଷକ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମମାନଙ୍କ ଜୀବନ କାହାଣୀକୁ ବଖାଣିଥିଲେ । ସେ କହଥିଲେ, ଦେଶର ଜେଲଗୁଡ଼ିକରେ ଏମିତି ଅନେକ କଏଦୀ ଅଛନ୍ତି ଯେଉଁମାନେ ବିନା ଦୋଷରେ ୧୦ବର୍ଷ, ୨୦ବର୍ଷ, ଏପରି କି ୩୦ବର୍ଷ ଧରି ଜେଲ୍ଦଣ୍ଡ ଭୋଗୁଛନ୍ତି । ଜେଲ୍ଦଣ୍ଡର କାରଣ ସଂପର୍କରେ ବି ସେମାନେ ଜାଣିନାହାନ୍ତି । ନିରପରାଧ ବହୁ ମଣିଷଙ୍କ ସ୍ୱପ୍ନ ଜେଲ୍ରେ ହିଁ ସମାଧି ନେଉଛି। ରାଷ୍ଟ୍ରପତିଙ୍କ ମତରେ, ଏହା ମୂଳରେ ଅଛି ଦୁଇଟି କାରଣ । ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ । ଆମ ବିଚାର ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ଅହେତୁକ ବିଳମ୍ବ । ଶତ ପ୍ରତିଶତ ସତ । ବ୍ରିଟିଶ ଅମଳର ଆଇନ ବ୍ୟବସ୍ଥା ଦେଶରୁ ହଟିଛି । ସଂସ୍କାରମୂଳକ ନୂଆ ଆଇନ ଲାଗୁ ହୋଇଛି । ମାତ୍ର ମୋ ଭଳି ବିଚାରାଧୀନ ବନ୍ଦୀଙ୍କୁ ନିକଟରେ କିଛି ସୁଫଳ ମିଳିବାର ଆଶା କମ୍ । ତଦନ୍ତ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ହେଉ ଅବା ଜେଲ୍ କର୍ତ୍ତୃପକ୍ଷଙ୍କ ଅଦୂରଦର୍ଶିତା । ନ୍ୟାୟ ବ୍ୟବସ୍ଥାରେ ଅସଙ୍ଗତି ଅବା ସରକାରଙ୍କ ନିଷ୍ଠାପଣ ଅଭାବରୁ ହେଉ ବିନା ଦୋଷରେ ମୋ ଭଳି ବହୁ କଏଦୀ ଦୀର୍ଘଦିନ ଧରି ଜେଲଦଣ୍ଡ ଭୋଗୁଛନ୍ତି । ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ?
ଦଣ୍ଡ ନୁହେଁ ନ୍ୟାୟ
ଦେଶର ପ୍ରତି ଅଦାଲତର କୋଠରୀ ଭିତରେ ନିରବରେ ଠିଆ ହୋଇଛନ୍ତି ନ୍ୟାୟଦେବୀ । ନ୍ୟାୟଶାସ୍ତ୍ର କହୁଛି, ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ । ମାତ୍ର ଆମ ବ୍ୟବସ୍ଥା ଓଲଟା । କୋର୍ଟରେ ଅପରାଧର ବିଚାର ହେବା ପୂର୍ବରୁ ପୁଲିସ ଅଭିଯୁକ୍ତକୁ ଦୋଷୀ ସଜାଇ ଅଧା ଦଣ୍ଡ ଦେଇଦିଏ । ଗଣମାଧ୍ୟମ ଖବରରେ ଥାଏ ଅଧା ସତ ଅଧା ମିଛ । ଆଜି ବି ବିଚାରାଧୀନ ବନ୍ଦୀ ଜେଲରୁ କୋର୍ଟକୁ ଯିବା ପୁଲିସର ଇଚ୍ଛା, ଦୟା ଓ ସକ୍ରିୟତା ଉପରେ ନିର୍ଭର କରୁଛି । ବିଚାରବିଭାଗର ଦାୟିତ୍ୱହୀନତାରୁ ନିରୀହ ଏବଂ ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡିତ ହେଉଛନ୍ତି । ଜେଲରେ ବନ୍ଦୀ ଭାବେ ଜୀବନ କାଟୁଛନ୍ତି । ମୋ ଭଳି ଏମିତି ନିର୍ଦ୍ଦୋଷରେ ଦଣ୍ଡ ପାଉଥିବା ଲୋକଙ୍କ ପାଇଁ ନ୍ୟାୟଦେବୀ କାହିଁକି ନିଷ୍ଠୁର?
ହଁ...ଶୁଣୁଛୁ ନୂଆ ନ୍ୟାୟ ସଂହିତାରେ ଶୀଘ୍ର ବିଚାର ସାରିବା ଉପରେ ଜୋର ଦିଆଯାଇଛି । ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ କି ନମିଳୁ, ତୁରନ୍ତ ନ୍ୟାୟ ଦେବାକୁ ବ୍ୟବସ୍ଥା ରହିଛି । ଏହା ମୋ ଭଳି ଦୋଷ ନକରି ବିଚାରାଧୀନ ବନ୍ଦୀ ଭାବେ ଦିନ କାଟୁଥିବା ମଣିଷମାନଙ୍କୁ ନୂଆ ଆଶା ଦେଇଛି । ମାତ୍ର ପୁଲିସ ଓ ବିଚାର ବ୍ୟବସ୍ଥାର ଆନ୍ତରିକତା ନ ରହିଲେ ଏ ନୂଆ ଆଇନ ବି ଆଇନ ବହି ଭିତରେ ରହିଯିବ ।
ଆପଣ ଜାଣନ୍ତି...ଦେଶରେ ମୋ ଭଳି ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା କେତେ? ଏନ୍ସିଆର୍ବି ରିପୋର୍ଟ କହୁଛି, ଦେଶରେ ୨୦୨୩ ବେଳକୁ ୫ ଲକ୍ଷ ୭୩ ହଜାର ବନ୍ଦୀ ଥିଲା ବେଳେ ୪ ଲକ୍ଷ ୩୪ ହଜାର ହେଉଛନ୍ତି ବିଚାରାଧୀନ । ଅତଏବ ୭୬% ବିଚାରାଧୀନ ବନ୍ଦୀଙ୍କ ବିଚାରପ୍ରକ୍ରିୟା ବିଳମ୍ବ ଧରୁଛି । ଏମାନଙ୍କ ମଧ୍ୟରୁ ୫୦% ହେଉଛନ୍ତି ଯୁବକ/ଯୁବତୀ (୧୮-୩୦ ବର୍ଷ) । ପ୍ରତି ୪ ଜଣରେ ୩ ଜଣ ହେଉଛନ୍ତି ଦଳିତ, ଆଦିବାସୀ ଅବା ପଛୁଆବର୍ଗର । ଯେଉଁମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ସେମାନେ ବେଶି ଆଇନର ଯନ୍ତାରେ ପଡ଼ୁଛନ୍ତି । ଏମିତି ବହୁ ଆଦିବାସୀ ଯୁବକ ଜଙ୍ଗଲରୁ କାଠ ହାଣିବାକୁ ଯାଇ ମଧ୍ୟ ଘରକୁ ଫେରିନାହାନ୍ତି । ପୁଲିସ ବାନ୍ଧିଲା । ଜେଲରେ ସଢୁଛନ୍ତି । ଏହା କି ଗଣତାନ୍ତ୍ରିକ ଶାସନ? ଧନ୍ୟ କହିବ ଆମ ସ୍ୱଚ୍ଛ ବିଚାର ବ୍ୟବସ୍ଥାକୁ? ଜେଲ ସଂସ୍କାର ତ ଚାଲିଛି । ଗତ ଦଶନ୍ଧି ମଧ୍ୟରେ କିନ୍ତୁ ବନ୍ଦୀଙ୍କ ସଂଖ୍ୟା ଦି’ଗୁଣା ବଢ଼ିଛି । ଜେଲ ଭିତରେ ଖୁନ୍ଦାଖୁନ୍ଦି ହୋଇ ରହୁଛୁ । ସରକାର କ’ଣ ଜାଣିନାହାନ୍ତି? ବିଲେଇ ଆଖି ବୁଜି କ୍ଷୀର ପିଉଛି ।
ନିରୀହଙ୍କ ସହ ଖେଳରେ ପଡ଼ୁ ପୂର୍ଣ୍ଣଛେଦ
ବିଚାର ବ୍ୟବସ୍ଥାର ସମ୍ବେଦନଶୂନ୍ୟତା ଓ ଆନ୍ତରିକତାର ଅଭାବ କେତେ ଯେ ନିରୀହଙ୍କ ଜୀବନକୁ ଯନ୍ତ୍ରଣାରେ କଲବଲ କରୁଛି ତା’ର ହିସାବ କାହା ପାଖରେ ଅଛି? ବର୍ଷ ବର୍ଷ ଜେଲରେ ରହିବା ପରେ ବି ମୋ ପ୍ରଶ୍ନର ଉତ୍ତର ମୋତେ ମିଳୁନି । ମୋର ଭୁଲ୍ କ’ଣ? କାହିଁକି ପୁଲିସ ମୋତେ ଗିରଫ କଲା? ବିଚାର କେବେ ସରିବ? କେବଳ ମୁଁ ନୁହେଁ, ମୋ ଭଳି ବହୁ ନିରୀହ ବି ଏ ପ୍ରଶ୍ନ ଉଠାଉଛନ୍ତି । ହେଲେ ଶୁଣିବ କିଏ। କିଏ ଦେବ ଜବାବ?
ବିଚାରାଧୀନ ବନ୍ଦୀ କାହିଁକି ଦୀର୍ଘଦିନ ଯାଏ ଜେଲରେ ଯନ୍ତ୍ରଣା ଭୋଗୁଛନ୍ତି? କାଉଲୁ ବାଉଲୁ ହୋଇ କାହିଁକି କଟୁଛି ଦିନ? ଆବଶ୍ୟକତା ଅନୁସାରେ ବିଚାରପତିଙ୍କ ଅଭାବ ହିଁ ବଡ଼ କାରଣ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିମାନେ ନ୍ୟାୟିକ ପ୍ରକ୍ରିୟାର ବିଳମ୍ବକୁ ଏଡ଼ାଇବାକୁ ଅଧିକ ସଂଖ୍ୟାରେ ବିଚାରପତି ନିଯୁକ୍ତି ଦେବାକୁ ସରକାରଙ୍କୁ ପରାମର୍ଶ ଦେଉଛନ୍ତି । ସରକାର ହଁ... ହାଁ କରୁଛନ୍ତି । କିନ୍ତୁ ଯତ୍ନବାନ ହେଉନାହାନ୍ତି । ଆନ୍ତର୍ଜାତିକ ମାନଦଣ୍ଡ ଅନୁସାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ଅତିକମ୍ରେ ୫୦ ଜଣ ବିଚାରପତି ରହିବା ଆବଶ୍ୟକ । ଭାରତରେ ଏହି ଅନୁପାତ ୧୮ ରୁ ବି କମ୍ । ପରିସଂଖ୍ୟାନ କହୁଛି, ଆମ ବିଚାରପତିମାନେ ମାମଲା ଶୁଣିବାକୁ ହାରାହାରି ୨.୫ ମିନିଟ୍ ଓ ରାୟ ଶୁଣାଇବା ପାଇଁ ୫ ମିନିଟ୍ ସମୟ ପାଉଛନ୍ତି । ବିଚାର ବ୍ୟବସ୍ଥାର ଏ ଦୁର୍ବୋଧ୍ୟ ଗଣିତରୁ ସାଧାରଣ ଲୋକର କ’ଣ ବା ଯାଏ ଆସେ? ବର୍ଷ ବର୍ଷ ଧରି ମାନବିକ ଅଧିକାରର ଗଳା ଚିପି ଚାଲିଛନ୍ତି ଖୋଦ ସରକାର । ନିର୍ଦ୍ଦୋଷ ମଣିଷଟି ଜେଲ ଭିତରେ ଭାଗ୍ୟକୁ ନିନ୍ଦୁଛି ।
ସମ୍ମାନ ସହକାରେ ସାଧାରଣ ଲୋକଟିଏ ଜୀବନ ଜିଇଁବ । ଜନମଙ୍ଗଳ ରାଷ୍ଟ୍ରରେ ଏହା ହେଉଛି ସରକାରଙ୍କ ଦାୟିତ୍ୱ । ନ୍ୟାୟିକ ସଂସ୍କାରର ଗପ ସରକାର ବହୁତ ଶୁଣାଇଲେଣି । ସମ୍ବେଦନଶୀଳ ହୋଇ ନିର୍ଦ୍ଦୋଷ ବନ୍ଦୀମାନେ କିଭଳି ଶୀଘ୍ର ଜେଲରୁ ମୁକୁଳିବେ ତା’ର ସରଳ ବାଟ ବାହାର କରନ୍ତୁ । ନିର୍ଦ୍ଦୋଷ ଜେଲ ନଯାଉ । ଏଥିପାଇଁ ନିଷ୍ଠା ଓ ଆନ୍ତରିକତା ଦେଖାନ୍ତୁ ।
ଆପଣମାନେ ବିଚାର କରନ୍ତୁ, ପ୍ରକୃତ ଦୋଷୀ କିଏ? ଜେଲରେ ଛଟପଟ ହେଉଥିବା ମୋ ଭଳି ନିରପରାଧ ବିଚାରାଧୀନ ବନ୍ଦୀ ନା ଆମ ବ୍ୟବସ୍ଥା???