ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ବିଡ଼ମ୍ବନା...

Published By : Prameya | October 20, 2024 10:18 AM

କୋଭିଡ୍‌ ଯିବାର ୩ ବର୍ଷ ହେଲାଣି । ଏଯାଏ କିନ୍ତୁ ଜନଗଣନାର  ଅ-ଆ ଆରମ୍ଭ ହୋଇନି । କେନ୍ଦ୍ର ସରକାର ଜନଗଣନା ପାଇଁ  କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହା ଏବେ ବିତର୍କର  କାଠଗଡ଼ାରେ? ଅଚଳ ତଥ୍ୟ ଆଧାରରେ ଯେଉଁ ଯୋଜନା  ଜନ୍ମ ନେଉଛି, ତାହା ଲକ୍ଷ୍ୟ ହାସଲ କରିବ ବୋଲି କିଏ ଦେବ  ଗ୍ୟାରେଣ୍ଟି?

ଅନ୍ଧାରରେ ବୁଲୁଛି ବାଡ଼ି । ଅଚଳ ତଥ୍ୟକୁ ଧରି ହେଉଛି  ଯୋଜନା । ପୁରୁଣା ପରିସଂଖ୍ୟାନ ଆଧାରରେ ହେଉଛି  ସରକାରୀ କାର୍ଯ୍ୟକ୍ରମ । ଜନଗଣନାର ପଦ୍ମ ଘୁଞ୍ଚି ଘୁଞ୍ଚି  ଯାଉଛି । ଆଜି ହେବ, କାଲି ହେବ । ଆସନ୍ତା ମାସରୁ ହେବ ।  ଆର ବର୍ଷରୁ ଆରମ୍ଭ ହେବ । ଏମିତି ଚର୍ଚ୍ଚା ଗତ ୩ ବର୍ଷ  ହେବ ଲାଗି ରହିଛି । ନା ଜନଗଣନା ଆରମ୍ଭ ହେଉଛି । ନା  ଚର୍ଚ୍ଚାରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ ।  

କାହିଁକି ଜନଗଣନାରେ ବିଳମ୍ବ? ତା’ର ସନ୍ତୋଷଜନକ  ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଜନଗଣନା ଦେଶ ପାଇଁ  ଅତି ଜରୁରି । ପ୍ରତି ୧୦ ବର୍ଷରେ ଏହା ହେଉଛି ସରକାରଙ୍କର  ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏହାର ପରିସଂଖ୍ୟାନ ଉପରେ ହିଁ  ସରକାରଙ୍କ ବିଭିନ୍ନ ନୀତି ନିର୍ଦ୍ଧାରିତ ହୁଏ । ମାତ୍ର ବିଡ଼ମ୍ବନା,  ୨୦୨୧ ଜନଗଣନା ଏଯାଏ ହୋଇପାରିନି । ୨୦୧୧ର  ଜନଗଣନା ପରିସଂଖ୍ୟାନ ଅନୁସାରେ ଏପର୍ଯ୍ୟନ୍ତ ସମସ୍ତ  ନୀତି ନିର୍ଦ୍ଧାରଣ ହେଉଛି । ସରକାରୀ ଯୋଜନା ପ୍ରଣୟନ ସହ  କାର୍ଯ୍ୟକାରୀ ହେଉଛି । ଏକ ଦଶନ୍ଧି ପାଇଁ ବିଶ୍ୱସନୀୟ ତଥ୍ୟ  ହରାଇବା ହିଁ ଦେଶ ପାଇଁ ବିପଦ । କିନ୍ତୁ ଭାରତୀୟମାନଙ୍କ  ସ୍ଥିତି ସମ୍ପର୍କରେ କୌଣସି ତାଜା ତଥ୍ୟ ନ ଥାଇ ମଧ୍ୟ  ସରକାର ଆରାମରେ ଶୋଇଛନ୍ତି । କେଉଁ ଅସ୍ୱସ୍ତିକର କାରଣ  ପାଇଁ ସରକାର ଏହି ସର୍ବେକ୍ଷଣକୁ ଟାଳି ଚାଲିଛନ୍ତି ବୁଝି  ହେଉନି । ପରିସଂଖ୍ୟାନରେ ସ୍ପଷ୍ଟତା ନଥିବାରୁ ସରକାରୀ  ଯୋଜନା ଯେ ବାଟବଣା ହେଉନଥିବ କିଏ କହିବ? 

ପ୍ରତିବନ୍ଧକ ଆଣିଲା କୋଭିଡ୍‌ 

କୋଭିଡ ମହାମାରୀ ସାରା ବିଶ୍ୱର ଜନଜୀବନକୁ କଲା  ହନ୍ତସନ୍ତ । ସାରା ମାନବଜାତି କୋଭିଡ୍‌ ବିରୋଧରେ  ଯୁଦ୍ଧ ଲଢ଼ିଲା । ବିଜୟୀ ହେଲା। ଏହି କୋଭିଡ୍‌ ଭୟ ହିଁ  ଜନଗଣନାକୁ ଅଟକାଇଲା । ଗୋଳିଆ ପାଣି କଙ୍କଡ଼ାକୁ  ସୁହାଇଲା ଭଳି ସରକାର ମହାମାରୀକୁ ଆଳ କଲେ ।  ଜନଗଣନାର ୧୫୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ  ଏହା ଠିକ୍‌ ସମୟରେ ହୋଇପାରିଲା ନାହିଁ । କୋଭିଡ୍‌  ଯିବାର ୩ ବର୍ଷ ହେଲାଣି । ଏଯାଏ କିନ୍ତୁ ଜନଗଣନାର  ଅ-ଆ ଆରମ୍ଭ ହୋଇନି । କୋଭିଡ୍‌ ପରେ ୟୁକେ, ଚୀନ୍‌  ଓ ଆମେରିକା ଭଳି ୧୪୩ ରାଷ୍ଟ୍ରରେ ଜନଗଣନା ସରିଛି ।  କେବଳ ପୃଥିବୀର ୪୪ ଦେଶ ଏଯାଏଁ ଜନଗଣନା  କରିନାହାନ୍ତି । ତା’ଭିତରେ ରହିଛି ଭାରତ । କେନ୍ଦ୍ର ସରକାର  ଜନଗଣନା ପାଇଁ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହା  ଏବେ ବିତର୍କର କାଠଗଡ଼ାରେ? 

ଭାରତରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା  କରାଯାଇଥାଏ । ଜନଗଣନା ହେଉଛି ଆମର ସର୍ବବୃହତ୍‌  ତଥ୍ୟ ସଂଗ୍ରହ ପ୍ରକ୍ରିୟା । ଏହା ଭାରତର ଜନସଂଖ୍ୟା ଗଣନା  କରିବା ସହ ଲୋକମାନଙ୍କ ଶିକ୍ଷା, ପରିବାରର ଅବସ୍ଥା,  ରୋଜଗାରର ସ୍ଥିତି ସମ୍ପର୍କିତ ତଥ୍ୟ ଜଣାଏ । ଏଥିରୁ  ସଂଗୃହୀତ ତଥ୍ୟ ଆଧାରରେ ସରକାର ଯୋଜନା ଓ ନୀତି  ପ୍ରଣୟନ କରନ୍ତି । ନିର୍ବାଚନମଣ୍ଡଳୀ ପୁନର୍ଗଠନ ମଧ୍ୟ  ଏହି ତଥ୍ୟ ଭିତ୍ତିରେ ହୁଏ । ଜନଗଣନା ବିଳମ୍ବରୁ ଏହିସବୁ  ତଥ୍ୟରୁ ଆମେ ବଂଚିତ । ଆକାଂକ୍ଷିତ ଲକ୍ଷ୍ୟ ହାସଲ ହେଉଛି  ବାଟବଣା । 

ନୀତି ନିର୍ଦ୍ଧାରଣର ବାଟ ଓଗାଳୁଛି ଅସ୍ପଷ୍ଟ ସୂଚନା ।  କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଣୁଛନ୍ତି । ମାତ୍ର  ଲୋକସଂଖ୍ୟାର ତଥ୍ୟ ୧୩ ବର୍ଷର ପୁରୁଣା । ଯୋଜନାର  ଲାଭ ଯୋଗ୍ୟ ହିତାଧିକାରୀ ପାଉଛନ୍ତି କି ନାହିଁ? ଏପଟେ  ସାଧନ ନଥିବା କିଛି ଘରୋଇ ସଂସ୍ଥା ସର୍ଭେ ଆଧାରରେ  ଯୋଜନାର ‘ଶ୍ରୀଗଣେଶ’ କରାଯାଉଛି । ସମ୍ବଳ ଅନୁସାରେ  ଯୋଜନାରେ ପାଣ୍ଠି ଆବଣ୍ଟନରେ ଭାଗମାପ ନାହିଁ । ଆମ ଦେଶର କନସଂଖ୍ୟା କେତେ? ଆମେ କ’ଣ ଚୀନ୍‌କୁ  ଟପିଗଲୁଣି? ସହରାଞ୍ଚଳରେ କେତେ,  ଗ୍ରାମାଞ୍ଚଳରେ କେତେ ଲୋକ ବାସ  କରୁଛନ୍ତି? ଦାରିଦ୍ର‌୍ୟ ସୀମାରେଖା  ତଳେ କେତେ ପରିବାର ଅଛନ୍ତି?  ସବୁ ଗରିବ ପରିବାର ମୁଣ୍ଡରେ ଛାତ  ଅଛି କି? ଏସବୁ ପ୍ରଶ୍ନର ଉତ୍ତର  କାହା ପାଖରେ ନାହିଁ । ସାଧାରଣ  ବଣ୍ଟନ ବ୍ୟବସ୍ଥାରୁ ୧୦ କୋଟି ଲୋକ ବାହାରିଗଲେଣି ବୋଲି  ଦାବି କରାଯାଉଛି । ସରକାର କିନ୍ତୁ ଯୁକ୍ତି ଦର୍ଶାଉଛନ୍ତି ୮୦ କୋଟି  ଲୋକ ଏହାର ଲାଭ ଉଠାଉଛନ୍ତି । 

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ  କହୁଛି, ସହରାଞ୍ଚଳର ୫୦% ଓ ଗ୍ରାମାଞ୍ଚଳର ୭୫% ଲୋକ ଏହି  ଯୋଜନାରେ ନିଶ୍ଚିତ ସାମିଲ ହେବେ । ଯଦି ଏବେ ଜନଗଣନା  ହୁଏ ତେବେ ଆହୁରି ୧୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା  ଯୋଜନାରେ ସାମିଲ ହେବେ । କେବଳ ଖାଦ୍ୟ ସୁରକ୍ଷା ନୁହଁ,  ମନରେଗାରେ ମଧ୍ୟ କେତେ ଶ୍ରମିକ ପରିବାର ଅଛନ୍ତି କେତେ  କାମଧନ୍ଦା ପାଉଛନ୍ତି ଠିକ୍‌ ହିସାବ ମିଳୁନି । ରାଜ୍ୟ ସରକାର ମଧ୍ୟ  ଅନୁସୂଚିତ ଜାତି/ଜନଜାତିଙ୍କ କଲ୍ୟାଣ କାର୍ଯ୍ୟକ୍ରମ, ଭତ୍ତା ଓ  ଗରିବଙ୍କୁ ଘର ଯୋଜନା ପାଇଁ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି । ଜନଗଣନାରେ ମାତ୍ରାଧିକ ବିଳମ୍ବକୁ ଅର୍ଥନୀତିଜ୍ଞମାନେ  ସମାଲୋଚନା କରୁଛନ୍ତି । ଦେଶର ମୁଦ୍ରାସ୍ଫୀତି, ନିୟୋଜନ  ହାର, ଆର୍ଥିକ ସୂଚକାଙ୍କ କେମିତି ସରକାର ଜାଣୁଛନ୍ତି  ବୋଲି ପ୍ରଶ୍ନ ଉଠାଇଛନ୍ତି । ତଥ୍ୟ ଓ ପରିସଂଖ୍ୟାନ  ଆଧାରରେ ଭବିଷ୍ୟତର ନକ୍ସା ତିଆରି ହୁଏ । ନିରନ୍ତର  ବିକାଶ ଲକ୍ଷ୍ୟ ହାସଲ କରିବାକୁ ସରକାର ବହୁ ଯୋଜନା  ହାତକୁ ନେଉଛନ୍ତି । ମାତ୍ର ଯେଉଁ ଅଚଳ ତଥ୍ୟ ଆଧାରରେ  ଏ ଯୋଜନାର ଜନ୍ମ, ତାହା ଲକ୍ଷ୍ୟ ହାସଲ କରିବ ବୋଲି  ଗ୍ୟାରେଣ୍ଟି କିଏ ଦେବ? 

ଜାତି ଜନଗଣନାକୁ ନେଇ  ତୁ ତୁ ମେ ମେ 

‘ସଂଖ୍ୟା ଯାହାର ଯେତେ, ସେମାନେ ଭାଗ ପାଇବେ ସେତେ’ ।  ଜାତି ଆଧାରରେ ଜନଗଣନା କର । କଂଗ୍ରେସ ସମେତ ବିରୋଧୀ  ଏହି ଜିଦ୍‌ରେ ଅଟଳ ଅଛନ୍ତି । ଆରଏସ୍‌ଏସ୍‌ ମଧ୍ୟ ଯୁକ୍ତି କରୁଛି  ଯେ, ଏହା ହେଉଛି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ପଛୁଆ ବର୍ଗଙ୍କ  କଲ୍ୟାଣ ପାଇଁ ଯଦି ସେମାନଙ୍କ ସଂଖ୍ୟା ଜାଣିବା ଦରକାର ତେବେ  ଜାତି ଜନଗଣନା ହେଉ । ମାତ୍ର  ଏହାକୁ ନେଇ ରାଜନୀତିର  ଚୁଲିରେ ରୋଟି ସେକା ନ  ଯାଉ । ବିଳମ୍ବିତ ଜନଗଣନା  ନିଆଁରେ ଘିଅ ଢାଳିଲେଣି  ଜେଡିୟୁ ନେତା ନୀତିଶ କୁମାର  ଓ ଟିଡିପି ମୁଖିଆ ଚନ୍ଦ୍ରାବାବୁ ନାଇଡୁ । ବିଜେପି ଜାତି ଜନଗଣନାକୁ  ମୁହଁ ମୋଡ଼ୁଥିଲା ବେଳେ ଏ ଦୁଇ ଭେଟେରାନ୍‌ କିନ୍ତୁ ଅଡ଼ି ବସିଛନ୍ତି ।  ଅକଳରେ ପଡ଼ିଛନ୍ତି ମୋଦି ସରକାର ।  

ବିରୋଧୀ ଯୁକ୍ତି କରୁଛନ୍ତି, ଜାତିଗତ ଜନଗଣନା ସଂରକ୍ଷଣ ଦୃଷ୍ଟିରୁ  କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏ ଦିଗରେ ଥିବା ଦ୍ୱନ୍ଦ୍ୱ ଓ ତଥ୍ୟଗତ ଅସଂଗତିକୁ ଦୂର କରିବାରେ ନିର୍ଣ୍ଣାୟକ ଭୂମିକା ତୁଲାଇବ ।  ୧୯୩୧ରେ ପ୍ରଥମ ଜାତିଭିତ୍ତିକ ଜନଗଣନାକୁ ୯୩ ବର୍ଷ ବିତିଲାଣି ।  ବିକାଶ ସ୍ରୋତରେ କେତେକ ଜାତିର ଉତ୍ତରଣ ଘଟିଛି । ଯେଉଁ  ଜାତି ଏକଦା ସାମାଜିକ ଓ ଅର୍ଥନୈତିକ ବୈଷମ୍ୟର ଶିକାର  ହୋଇଥିଲେ ସେହି ଜାତିର ଉତ୍ତରପିଢ଼ି ଏବେ ସ୍ୱଚ୍ଛଳ । ମାତ୍ର ଏବେ  ବି ସଂରକ୍ଷଣର ସୁବିଧା ପାଉଛନ୍ତି । ସଂରକ୍ଷଣ ଭିତରେ ସଂରକ୍ଷଣ ବା  ବର୍ଗୀକରଣ କରିବା ସପକ୍ଷରେ ସୁପ୍ରିମକୋର୍ଟ ଯେଉଁ ଐତିହାସିକ  ରାୟ ଦେଇଛନ୍ତି ସେଥିପାଇଁ ଜାତିଗତ ଜନଗଣନା ଜରୁରି । ମାତ୍ର  କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏଯାଏ ଅସ୍ପଷ୍ଟ । ସରକାର ଜାତିଗତ  ଜନଗଣନାକୁ ‘ହଁ’ କରିବେ ନା ନାହିଁ ତାହା ଅସ୍ପଷ୍ଟ ରହିଛି ।  

ଏଥର ଡିଜିଟାଲ୍‌ ଗଣନା  

ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଆଗାମୀ କିଛିଦିନ ମଧ୍ୟରେ  ଦେଶରେ ହେବ ଜନଗଣନା । ଏମିତି ସୂଚନା ମିଳୁଛି । ଏଥର  ଡିଜିଟାଲ୍‌ ବା ଇ-ଜନଗଣନା  କରିବାକୁ କେନ୍ଦ୍ର ସରକାର  ନିଷ୍ପତ୍ତି ନେଇଛନ୍ତି । ମୋବାଇଲ,  ଟାବ୍‌ଲେଟରେ ସାଧାରଣ ଲୋକଙ୍କ  ପାଖରୁ ସମସ୍ତ ତଥ୍ୟ ସଂଗ୍ରହ  କରାଯିବ । ଏହା ସରକାରଙ୍କ  ସଫ୍ଟୱେର୍‌ରେ ଅପଲୋଡ୍‌ ହେବ ।  ଏପରିକି ପରିବାର ସଦସ୍ୟ ଚାହିଁଲେ ନିଜ ପରିବାର ସଦସ୍ୟଙ୍କ  ତଥ୍ୟ ଏଥିରେ ନିଜେ ସଂଶୋଧନ କରିପାରିବେ । ଇ-ଜନଗଣନା  ଶତ ପ୍ରତିଶତ ସଠିକ୍‌ ହେବ । ଏ ନୂଆ ଡିଜିଟାଲ୍‌ ପ୍ରକ୍ରିୟା ଦେଶର  ନୀତି ନିର୍ଦ୍ଧାରଣରେ ବେଶ୍‌ ସହାୟକ ହେବ । ଆଗାମୀ ୨୫ ବର୍ଷ  ପାଇଁ ସରକାର ସହଜରେ ନୂଆ ନୀତି ଓ ଯୋଜନା ତିଆରି  କରିପାରିବେ । ୧୬ଟି ଭାଷାରେ ଇ-ଜନଗଣନା କରାଯିବ । ଦେଢ଼  ବର୍ଷ ମଧ୍ୟରେ ଏ ପ୍ରକ୍ରିୟା ଶେଷ ହେବ । 

ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକ କଲ୍ୟାଣ ଓ ବିକାଶ ହେଉଛି  ସରକାରଙ୍କ ପ୍ରାଥମିକତା । କଲ୍ୟାଣକାରୀ ଯୋଜନା ଓ ଦେଶର  ସାମଗ୍ରୀକ ଅଭିବୃଦ୍ଧି ପାଇଁ ଜନସଂଖ୍ୟା ସହ ଆନୁଷଙ୍ଗିକ ସୂଚନା  ହେଉଛି ମୂଳ ଆଧାର । ଜନଗଣନା ତଥ୍ୟର କୌଣସି ବିକଳ୍ପ  ନାହିଁ । ଆମେ ‘ବିଶ୍ୱଗୁରୁ’ ହେବାକୁ ଲକ୍ଷ୍ୟ ରଖିଛୁ । ୨୦୪୭  ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ ।  ମାତ୍ର ଏହି ଲକ୍ଷ୍ୟ ହାସଲ କରିବାକୁ ଦେଶବାସୀଙ୍କ ସାମାଜିକ ଓ  ଆର୍ଥିକ ସ୍ଥିତିର ସ୍ପଷ୍ଟ ଚିତ୍ର ଜାଣିବା ଜରୁରି ନୁହେଁ କି? ଯେତେ  ଶୀଘ୍ର ସରକାର ଜନଗଣନା ଆରମ୍ଭ କରିବେ ତାହା ଦେଶ ପାଇଁ  ସେତିକି ମଙ୍ଗଳ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.