ଅହମ୍ମଦାବାଦ,୧୩/୦୧: ଦେଶରେ ଏପରି ଅନେକ ମନ୍ଦିର ରହିଛି ଯେଉଁଗୁଡ଼ିକ ନିଜସ୍ୱ ଢଙ୍ଗରେ ଅନନ୍ୟ ତଥା ଅଦ୍ୱିତୀୟ । ଗୁଜରାଟର ଜାମନଗର ସ୍ଥିତ ବାଲ୍ ହନୁମାନ ସଂକୀର୍ତ୍ତନ ମନ୍ଦିର ଏହାର ଅନ୍ୟତମ ଉଦାହରଣ । ଏହି ମନ୍ଦିରରୁ ଅହରହ ଗୁଞ୍ଜରିତ ହେଉଛି ‘ରାମଧୂନ୍’ । ଏପରିକି ବଳଶାଳୀ ଭୂମିକମ୍ପ ମଧ୍ୟ ରାମଧୂନ୍ର ନିରନ୍ତରତାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସକ୍ଷମ ହୋଇ ପାରିନାହିଁ ।
ଜାମନଗରର ରଣମାଲ ହ୍ରଦ (ଲାଖୋଟା ହ୍ରଦ)ର ଦକ୍ଷିଣପୂର୍ବରେ ଅବସ୍ଥିତ ବାଲ୍ ହନୁମାନ ମନ୍ଦିର । ୧୫୪୦ ମସିହାରେ ଜାମନଗରର ସ୍ଥାପନା ସହିତ ସ୍ଥାପିତ ହୋଇଥିଲା ଏହି ଚମତ୍କାରୀ ମନ୍ଦିର । ମନ୍ଦିରର ବିଶେଷତ୍ୱ କେବଳ ପ୍ରାଚୀନତାରେ ସୀମିତ ନୁହେଁ, ମନ୍ଦିରଟି ଏବେ ଗିନିଜ୍ ବିଶ୍ୱ ରେକର୍ଡ ତାଲିକାରେ ସାମିଲ ହୋଇପାରିଛି । କାରଣ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ ଦିନ ହେଲାଣି ଏହି ମନ୍ଦିରରେ ଜାରି ରହିଛି ରାମଧୂନ୍ । ଯାହା ସୃଷ୍ଟି କରିଛି ଅଦ୍ୱିତୀୟ ରେକର୍ଡ । ୧୯୬୪ମସିହାର କଥା । ଶ୍ରୀ ଭିକ୍ଷୁଜୀ ମହାରାଜ ମନ୍ଦିରର ଜୀର୍ଣ୍ଣୋଦ୍ଧାର କରାଇଥିଲେ । ଏହି ଅବସରରେ ଅଗଷ୍ଟ ୧ତାରିଖରୁ ତାଙ୍କର ପରାମର୍ଶ କ୍ରମେ ଏଠାରେ ସାତଦିନ ବ୍ୟାପି ରାମଧୂନ୍ ଗାୟନର ଆୟୋଜନ ହୋଇଥିଲା । କିନ୍ତୁ ବିଧିର ବିଧାନ.. ଏହି ସପ୍ତାହ ଦିନ ୫୦ବର୍ଷରେ ପହଞ୍ଚିଲାଣି ।
ମନ୍ଦିରରେ ଦିନରାତି ୨୪ଘଣ୍ଟା ‘ଶ୍ରୀରାମ ଜୟ ରାମ ଜୟ ଜୟ ରାମ..’ ଗାନ ଚାଲିଥାଏ ବାଲ୍ ହନୁମାନ ମନ୍ଦିରରେ । ଏହା ଗାଇବା ପାଇଁ କୌଣସି ପେସାଦାର ଗାୟକଙ୍କୁ ନିଯୁକ୍ତ କରାଯାଇନାହିଁ । ପରନ୍ତୁ ସାଧାରଣ ଭକ୍ତଟିଏ ଏହି ନାମ ମହାଯଜ୍ଞରେ ସାମିଲ ହୋଇଥାଏ ଛାଏଁ ଛାଏଁ । ଆଜିକାଲି ରାମଧୂନ୍ରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିମାଙ୍କର ତାଲିକା ପୂର୍ବଦିନରୁ ମନ୍ଦିର ସମ୍ମୁଖରେ ଟଙ୍ଗାଇ ଦିଆଯାଉଛି । ଏମାନଙ୍କ ବ୍ୟତୀତ ଆହୁରି ୪ଜଣ ଅତିରିକ୍ତ ଜପକାରୀଙ୍କ ମଧ୍ୟ ସାମିଲ ହୋଇଥାନ୍ତି । ଯଦି କେହି ଅନୁପସ୍ଥିତ ରହିଲା ତେବେ ଅତିରିକ୍ତ ଶ୍ରଦ୍ଧାଳୁ କାମ ଚଳାଇଥାନ୍ତି । ଅନ୍ୟ ଯିଏ ମଧ୍ୟ ଚାହିଁବେ ସେ ରାମଧୂନ୍ ଗାଇବାରେ ନିଜର ଯୋଗଦାନ ଦେଇପାରିବେ ।
୨୦୦୧ ମସିହାରେ ଗୁଜରାଟରେ ସଂଘଟିତ ବିନାଶକାରୀ ଭୂମିକମ୍ପ ମଧ୍ୟ ବାଲ୍ ହନୁମାନ ମନ୍ଦିରର ରାମଧୂନ୍ରେ ବିଘ୍ନ ଘଟାଇ ପାରିନଥିଲା । ଭୂମିକମ୍ପ ବେଳେ ଏବଂ ପରେ ସବୁଦିନ ପରି ଜାରି ରହିଥିଲା ରାମଧୂନ୍ । ଭଗବାନ୍ଙ୍କର କୃପା ଏବଂ ଭକ୍ତଗଣଙ୍କ ଅବିଚଳିତ ନିଷ୍ଠାର ଏହା ଥିଲା ବଡ଼ ପ୍ରତିଫଳନ । ପ୍ରାକୃତିକ ଦୁର୍ବିପାକ ଏବଂ ଅନ୍ୟାନ୍ୟ ବିପଦରୁ ବୀର ହନୁମାନ୍ ସେମାନଙ୍କୁ ରକ୍ଷା କରିଥାନ୍ତି ବୋଲି ସ୍ଥାନୀୟ ବାସିନ୍ଦାଙ୍କର ରହିଛି ଦୃଢ଼ ବିଶ୍ୱାସ ।