ନୂଆଦିଲ୍ଲୀ, ୧୩/୦୧ : ପ୍ରୟାଗରାଜରେ ମହାକୁମ୍ଭର ଶଙ୍ଖନାଦ। ଆରମ୍ଭ ହୋଇଛି ସନାତନୀ ଅସ୍ଥାର ମହାପର୍ବ। ତ୍ରିବେଣୀ ତଟରେ ଆସ୍ଥାର ସଙ୍ଗମ। ଶ୍ରଦ୍ଧାର ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ। ଏହି ପବିତ୍ର ମହାସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ରହିଛି ପୌରାଣିକ ମାନ୍ୟତା। ସେଇଥି ପାଇଁ ତ କାହିଁ କେଉଁଆଡ଼ୁ ମହାକୁମ୍ଭକୁ ଧାଇଁ ଆସନ୍ତି ସାଧୁସନ୍ଥ। ଏହି ମହାକୁମ୍ଭର ଅନ୍ୟତମ ଆକର୍ଷଣ ହେଉଛନ୍ତି ଅଘୋରୀ ବାବା। ସେମାନଙ୍କର ବେଶଭୂଷା ଯେତିକି ଭୟାନକ ତାଙ୍କର ଜୀବନଶୈଳୀ ସେତିକି ବିକଟାଳ। ଏମାନେ ସାଧନା ପାଇଁ ଶବ ସହ ଏମିତି କାମ କରନ୍ତି, ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।
ଭଗବାନ ଶିବଙ୍କ ଉପାସକ ହେଉଛନ୍ତି ଅଘୋରୀ। ଶିବଙ୍କ ୫ଟି ସ୍ଵରୂପ ମଧ୍ୟରୁ ଗୋଟିଏ ହେଉଛି ଅଘୋର। ଅଘୋରୀ ହେବାପାଇଁ ପ୍ରଥମ ସର୍ତ୍ତ ହେଉଛି ମନରୁ ଘୃଣାଭାବ ଦୂର କରିବା। ତେଣୁ ମଣିଷ ଜାତି ଯାହାକୁ ଘୃଣା କରନ୍ତି, ଅଘୋରୀମାନେ ତାହାକୁ ଆପଣେଇ ନିଅନ୍ତି। ଏମାନେ ହିନ୍ଦୁ ଧର୍ମର ପରମ୍ପରା ଏବଂ ରୀତିନୀତି ମାନନ୍ତିନି। ତନ୍ତ୍ର ସାଧନାରେ ଲୀନ ରୁହନ୍ତି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଯାଇ ଅତି କଷ୍ଟସାଧ୍ୟ କାମ କରନ୍ତି। ଶବ ଉପରେ ବସି ସାଧାନା କରନ୍ତି। କେବଳ ସେତିକି ନୁହେଁ ଏମାନେ ଶବଙ୍କ ସହ ଶାରିରୀକ ସମ୍ବନ୍ଧ ବି ରଖନ୍ତି। ଏହା ସେମାନଙ୍କ ପାଇଁ ଶିବ-ଶକ୍ତିଙ୍କ ଉପାସନାର ଏକ ମାଧ୍ୟମ, ଏବଂ ସରଳ ଉପାୟ ମଧ୍ୟ। ଶବ ସହ ଶାରିରୀକ ସମ୍ପର୍କ ରଖିବା ବେଳେ ମନ ଶିବଙ୍କ ଭକ୍ତିରେ ଲୀନ ରଖିବାକୁ ପଡ଼େ। ଯାହାକି ଅଘୋରୀଙ୍କ ପାଇଁ ସବୁଠୁ ବଡ଼ ସାଧନା ହୋଇଥାଏ। ଏହାଦ୍ଵାରା ସେମାନଙ୍କର ଶକ୍ତି ଆହୁରି ବଢିଯାଏ। ତନ୍ତ୍ର ବିଦ୍ୟାରେ ନିପୁଣତା ମିଳେ। ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଅଲୌକିକ ଶକ୍ତି ମିଳେ। ଏପରିକି ସେମାନେ ଭବିଷ୍ୟତ ବି ଦେଖିପାରନ୍ତି।
ସାଧାରଣତଃ ସାଧୁମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି। ହେଲେ ଅଘୋରୀ ସାଧୁ ଏହାର ସମ୍ପୂର୍ଣ୍ଣ ଓଲଟା। ସେମାନେ ଖାଲି ଶବ ସହ ନୁହଁନ୍ତି ବରଂ ଜୀବିତ ବ୍ୟକ୍ତି ସହ ବି ସମ୍ପର୍କ ରଖନ୍ତି। ଏକାଗ୍ରତା ପାଇଁ ଶ୍ମଶାନରେ ରୁହନ୍ତି, ମଦିରା ପାନ କରନ୍ତି ଏବଂ ମଣିଷ ମାଂସ ଭକ୍ଷଣ କରନ୍ତି। ନରମୁଣ୍ଡକୁ ପାତ୍ର କରି ଏଥିରେ ଖାଦ୍ୟ ଖାଆନ୍ତି। ଅଘୋରୀ ମୂର୍ତ୍ତି ପୂଜା କରନ୍ତି ନାହିଁ। ଭୌତିକ ବସ୍ତୁ ଠାରୁ ଦୂରରେ ରୁହନ୍ତି। ନିବସ୍ତ୍ର ବୁଲନ୍ତି ଏବଂ କୁକୁରଙ୍କୁ ପାଖରେ ରଖନ୍ତି।