ନୂଆଦିଲ୍ଲୀ: କେରଳର ୱାୟନାଡ ଜିଲ୍ଲାର ଅମରକ୍କୁନି ଗାଁରେ ସୋମବାର ସକାଳେ ଏକ ବାଘ ଏକ ଛେଳି ଉପରେ ଆକ୍ରମଣ କରିଥିବା ନେଇ ଖବର ମିଳିଛି। ବାଘକୁ ଧରିବା ପାଇଁ ବନ ବିଭାଗ ଦ୍ୱାରା ଉକ୍ତ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ସରିବାର କିଛି ଘଣ୍ଟା ପରେ ବାଘଟି ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛି।
ସୂଚନା ମୁତାବକ, ବାଘଟି ଗତ ଏକ ସପ୍ତାହ ମଧ୍ୟରେ ତିନିଟି ଛେଳି ମାରିସାରିଲାଣି। ଏହି ଖବର ମିଳିବା ପରେ ଉକ୍ତ ଅଞ୍ଚଳରେ ବନବିଭାଗ ଏକ ବଡ ସର୍ଚ୍ଚ ଅପରେସନ ଜାରି କରିଥିଲା। ହେଲେ ବାଘ ନମିଳିବାରୁ ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଇଥିଲା। ସର୍ଚ୍ଚ ଅପରେସନ ସରିବାର କିଛି ସମୟ ପରେ ବାଘଟି କେଶବନ ନାମକ ଜଣେ ଲୋକଙ୍କ ଘରୁ ଆଉ ଏକ ଛେଳି ଉଠାଇନେଇଥିଲା।
ଏହି ଘଟଣା ଘଟିବା ପରେ ସ୍ଥାନିୟ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ନିଜ ପରିବାର ତଥା ପାଳିତ ପଶୁପକ୍ଷୀଙ୍କ ସୁରକ୍ଷାକୁ ନେଇ ସ୍ୱର ଉଠାଇଥିଲେ। ଯଦି ବାଘଟି ଯନ୍ତାରେ ପଡୁନାହିଁ ତେବେ ତାକୁ ଗୁଳି କରାଯାଉ ବୋଲି ସେମାନେ ଦାବି କରିଥିଲେ।
ୱାଇଲ୍ଡ ଲାଇଫ୍ ଏକ୍ସପର୍ଟ ଅରୁଣ ଜଚାରିଆ କୁମକି ହାତୀ ବିକ୍ରମ ଓ ସୁରେନ୍ଦ୍ରନଙ୍କ ସହାୟତାରେ ବାଘକୁ ଠାବ କରିବା କାମରେ ନିୟୋଜିତ ଅଛନ୍ତି। ନର୍ଥ ୱାୟନାଡ ରପିଡ ଆକ୍ସନ ଫୋର୍ସ ମଧ୍ୟ ଏହି ଟିମ ସହ ମିଳିତ ଭାବେ ବାଘକୁ ଖୋଜିବା କାମରେ ନିୟୋଜିତ ହୋଇଛି। ବହୁ ଜଲଦି ବାଘ ମିଳିବ ଆଉ ତାକୁ ଏକ ସୁରକ୍ଷିତ ସ୍ଥାନରେ ନେଇ ଛଡାଯିବ ବୋଲି ସର୍ଚ୍ଚ ଅପରେସନ ଦଳର ଅଧିକାରୀ ସୂଚନା ଦେଇଛନ୍ତି।