ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ପୁଣି ଅଘଟଣ । ସୋମବାର ତିରୁପତି ମନ୍ଦିରରେ ଥିବା ଲଡୁ ବିତରଣ କାଉଣ୍ଟରରେ ଅଗ୍ନିକାଣ୍ଡ ଘଟିଛି । ଭୀଷଣ ଅଗ୍ନିକାଣ୍ଡ ପରେ ପ୍ରବଳ ଧୂଆଁ ବାହରୁଥିବା ଦେଖିବାକୁ ମିଳିଛି । ଲଡୁ ବିତରଣ କାଉଣ୍ଟରରେ ଅକ୍ନିକାଣ୍ଡ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ତିରୁପତି ମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । ଏହା ପୂର୍ବରୁ ଦର୍ଶନ ଟିକେଟ୍ କାଉଣ୍ଟର ସାମ୍ନାରେ ଦଳଚକଟା ଘଟି ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ଏବଂ ଅନେକ ଆହତ ହୋଇଥଲେ ।
ଜାନୁଆରୀ ୮ରେ ବାର୍ଷିକ ବୈକୁଣ୍ଠ ଦ୍ବାର ଦର୍ଶନ ଲାଗି ଟିକେଟ୍ କାଉଣ୍ଟର ନିକଟରେ ଦଳାଚକଟା ହୋଇଥିଲା । ଟିକେଟ ପାଇଁ ଯାଇଥିବା ୬ ଶ୍ରଦ୍ଧାଳୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ବୈକୁଣ୍ଠ ଦ୍ୱାର ଦର୍ଶନ କରିବାକୁ ୪ ହଜାର ଶ୍ରଦ୍ଧାଳୁ ଟିକେଟ ପାଇଁ ଧାଡ଼ି ଲଗାଇଥିଲେ । ତେବେ ଭକ୍ତମାନଙ୍କୁ ବାଇରାଗୀ ପଟ୍ଟିଦା ପାର୍କରେ ଧାଡ଼ି ଲଗାଇବାକୁ କୁହାଯିବାରୁ ଏହି ଘଟଣା ଘଟିଥିଲା ।
ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯାଇଛି । ଅନିୟମିତତା ଅଭିଯୋଗରେ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ ଆଜି ପୁଣି ଥରେ ମନ୍ଦିରର ଲଡୁ ବିତଣଣ କାଉଣ୍ଟରରେ ଅଗ୍ନିକାଣ୍ଡ ଘଟଣା ଶ୍ରଦ୍ଧାଳୁଙ୍କୁ ବିଚଳିତ କରିଛି ।