ଚଣ୍ଡିଗଡ଼,୩୦/୦୯: ହରିଆଣା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଏହାର ରଣନୀତି ପ୍ରସ୍ତୁତ କରିଛି । ଏହା ଅନୁସାରେ ରାହୁଲ ଗାନ୍ଧୀ ରାଲି ବଦଳରେ ରାଜ୍ୟରେ ଏକ ବିଜୟ ସଂକଳ୍ପ ରଥଯାତ୍ରା କରିବାକୁ ଯାଉଛନ୍ତି । ସୋମବାରଠାରୁ ରାହୁଲ ଭାରତ ଯୋଡ଼ୋ ଯାତ୍ରା ଭଳି ହରିଆଣାରେ ଏହି ଯାତ୍ରାରେ ବାହାରିବେ ବୋଲି ଜଣାପଡ଼ିଛି ।
ଅକ୍ଟୋବର ୫ରେ ଭୋଟିଂ ହେବାକୁ ଥିବାବେଳେ ରାହୁଲଙ୍କ ବିଜୟ ସଂକଳ୍ପ ରଥଯାତ୍ରା ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । କଂଗ୍ରେସ ଜିତିବାକୁ ଥିବା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଏହି ଯାତ୍ରା ଅନ୍ୟ ସ୍ଥାନକୁ ଯିବ ବୋଲି କୁହାଯାଉଛି । ତେବେ ଯାତ୍ରାର ବିସ୍ତୃତ ରୁଟ୍ ବାବଦରେ ସୂଚନା ଦିଆଯାଇନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସକୁ ଫାଇଦା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ହରିଆଣାରେ ବହୁସଂଖ୍ୟାରେ ଜନମତ ହାସଲ କରିବାକୁ କଂଗ୍ରେସ ଏପରି ମେଗା ପ୍ଲାନ୍ କରିଛି। ଏହି ଅଭିଯାନରେ କଂଗ୍ରେସ ନେତ୍ରୀ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାମିଲ ହୋଇପାରନ୍ତି ।