ମୁଁ ସବୁ କିଛି ବୁଝୁଛି, ପୁଣି ବୁଝିପାରୁନାହିଁ । ଚିରକାଳ ଦ୍ୱନ୍ଦ୍ୱରେ, ଅସମାହିତ ପ୍ରଶ୍ନମାନଙ୍କରେ ଘାରି ହେଉଛି । ସେଇ ଘାରି ହେବା ହିଁ ଯେପରି ମୋର ନିୟତି । ମୋର ମୁକ୍ତିର ପ୍ରୟୋଜନ ନାହିଁ କି ଜ୍ଞାନର ପ୍ରୟୋଜନ ନାହିଁ ।
କେତେବେଳେ ରାତି ପାହି ନଥାଏ । ନିଦ ଭାଙ୍ଗିଯାଏ । ଲେମ୍ବୁମିଶା ଚା' ଅବା ହଳଦୀମିଶା କ୍ଷୀରର ଉଷ୍ମତାରେ ଫେରିଆସେ ପଢ଼ାଘରର ଟେବୁଲ ପାଖକୁ । ବସି ରହେ ବହିମାନଙ୍କ ମେଳରେ ସିନ୍ଦୂରା ଫାଟିବା ଯାଏଁ । ଆଉ କେତେବେଳେ ଖରା ଆସି ଦାଣ୍ଡବାରଣ୍ଡାରେ ଖବରକାଗଜ ଖେଳଉଥିଲେ ବି ଆଖିପତାରୁ ନିଦ ହଟିବାର ନାଁ ଧରୁ ନଥାଏ । ବିଚିତ୍ର ମୋ ଜୀବନର ଚଳଣି । କୌଣସି ଶୃଙ୍ଖଳ ନାହିଁ କି ଶୃଙ୍ଖଳା ନାହିଁ । ତଥାପି ମୁଁ ମୋ ଜୀବନକୁ ଭୋଗ କରେ ମୋ ଢଙ୍ଗରେ । କ'ଣ ପଢ଼େ ବା ନ ପଢ଼େ, କ'ଣ ଲେଖେ ବା ନଲେଖେ, ମୋ ଲେଖାର କିଛି ମୂଲ୍ୟ ଅଛି କି ନାହିଁ, ତା'ର ବିଚାର ମୁଁ କରେନାହିଁ । ତଥାପି ମନକୁ ମନ ଗୁଣୁ ଗୁଣଉଥାଏ, ଗାରେଇ ଚାଲିଥାଏ । ମୋର ଏ ଗୁଞ୍ଜନ ଅବା କଲମର ଗାର ଯଦି କାହା ମନରେ ଟିକିଏ ଗାର ଟାଣିଦିଏ, ତେବେ ମନେକରେ ମୋ ଜୀବନ ବ୍ୟର୍ଥ ଯାଇନାହିଁ । ମୋ ଲେଖା ମୂଲ୍ୟହୀନ ହୋଇନାହିଁ ।
ମାତ୍ର ଏବେ ନା ଲେଖା, ନା ପଢ଼ା । ଚୁପ୍ଚାପ୍ ବସି ରହୁଛି ଘଣ୍ଟା ଘଣ୍ଟା ପଢ଼ାଘରେ ଅବା ଦାଣ୍ଡପିଣ୍ଡାରେ । ପଢ଼ାଘରେ ଥିବା ଥାକ ଥାକ ବହି ମୋତେ ଆଖି ଠାରି ଡାକୁଛନ୍ତି । ବେଳେବେଳେ ଗୋଟିଏ, ଦୁଇଟି ଆଣି ହାତରେ ଧରୁଛି । ଧୀରେ ଧୀରେ ପୃଷ୍ଠା ଖୋଲୁଛି । ମାତ୍ର ଶେଷପୃଷ୍ଠା ଯାଏଁ ଯାଇ ପାରୁନାହିଁ । ସେମାନଙ୍କ ଯଥାସ୍ଥାନକୁ ସେମାନଙ୍କୁ ଫେରେଇ ନେଉଛି ଏବଂ ଫେରିଆସୁଛି ନିଜ ନିରବତାର ନିଭୃତ ନିଳୟକୁ । ତା'ରି ଭିତରେ ବସି ଦେଖୁଛି ଅନେକଙ୍କ ଯିବାଆସିବା ଲାଗି ରହିଛି । କେତେ ଚିହ୍ନା, କେତେ ଅଚିହ୍ନା ମୁହଁର ମେଳଣ । ସେମାନଙ୍କ ସ୍ୱର ଓ ସଂଳାପ ମୋତେ ଆନମନା କରିଦେଉଛି । ମୁଁ ଘୂରି ବୁଲୁଛି ସେମାନଙ୍କ ସହ କେତେ ଦୂର-ଅଦୂର ସ୍ଥାନମାନଙ୍କରେ । ଶେଷରେ ପୁଣି ଫେରି ଆସୁଛି ଏକାଠି ହେବାର ସେହି ଆନନ୍ଦମୟ ପରିବେଶରୁ ନିଜର ଏକାନ୍ତବାସକୁ । ଆଖି ମୁଦି ବିଶ୍ୱ ପରିକ୍ରମା କରୁଥିଲି । ଆଖି ମେଲି ନିଜର ବ୍ୟକ୍ତିସତ୍ତାକୁ ଆବୋରି ବସିଛି । ନିଜକୁ ବୁଝିବାର ପ୍ରୟାସ କରୁଛି ।
ନିଜକୁ ବୁଝିବା ଏତେ ସହଜ କଥା ନୁହେଁ । ସେଥିପାଇଁ ତ କହିଲି, ନିଜକୁ ବୁଝିବାର ପ୍ରୟାସ କରୁଛି । ବେଳେବେଳେ ସେଭଳି କୌଣସି କାରଣ ନଥାଇ ମୁଁ ହସି ହସି ବେଦମ୍ ହୋଇଯାଉଛି ତ ଆଉ କେତେବେଳେ ଅଶ୍ରୁଧାରା ମୋ ଦୁଇ ଆଖିର ଉପକୂଳ ଡେଇଁ ବୋହିଯିବାକୁ ବ୍ୟାକୁଳ ହେଉଛନ୍ତି । ହସକାନ୍ଦର ସ୍ୱାଭାବିକ ଜୀବନଧାରାରେ ପୁଣି ଆତ୍ମପ୍ରକାଶ କରୁଛି କ୍ରୋଧର ଅନଳ । ସେ ଅନଳରେ କାହାରିକୁ ଜାଳିଦେବାର ନିଷ୍ଫଳ ଆକ୍ରୋଶରେ ଶେଷରେ ମୁଁ ନିଜେ ଜଳି ଜଳି ପାଉଁଶ ହୋଇଯାଉଛି । ପାଉଁଶ ତଳର ନିଆଁ ବି ଲିଭିଯାଉଛି । ମୁଁ ଜଳୁଛି, ଲିଭୁଛି । ଲିଭୁଛି, ପୁଣି ଜଳୁଛି । ହସୁଛି, କାନ୍ଦୁଛି । ହସି ହସି କାନ୍ଦୁଛି । ପୁଣି କାନ୍ଦି କାନ୍ଦି ହସୁଛି । ଏ ସମସ୍ତ ବିରୋଧାଭାସ ଭିତରେ ମୁଁ ଅନୁଭବ କରୁଛି ମୋ ଭିତରେ ଥିବା ପ୍ରେମର ଅନ୍ତରୀଣ ପ୍ରବାହଟିକୁ ।
ଏ ପ୍ରବାହ ଭିତରେ ବ୍ୟକ୍ତି, ବିଶ୍ୱ, ବିଭୁ ଓ ପ୍ରକୃତି ସମସ୍ତେ ଏକାକାର । ବିବିଧତାରେ ଭରା, ନାନା ବୈଚିତ୍ର୍ୟରେ ବର୍ଣ୍ଣାଢ଼୍ୟ ଏ ବିଶ୍ୱ ଓ ସଂସାର। ମାତ୍ର ଆମେ ଏହାକୁ ଏକାତ୍ମ ଦୃଷ୍ଟିରେ ନଦେଖି ବିଭାଜିତ କରିଚାଲିଛୁ ବିଭିନ୍ନ ସୀମାରେଖାରେ । ଭୁଲିଯାଉଛୁ ଯେ ବିବିଧତା ଭିତରେ ଏକତ୍ୱ ଏବଂ ବୈଚିତ୍ର୍ୟ ଭିତରେ ଏକ ସମାନ ଚିତ୍ର ମଧ୍ୟ ସୂକ୍ଷ୍ମ ଭାବରେ ଅକ୍ଷୁଣ୍ଣ ରହିପାରେ । ମାତ୍ର ଆମେ ଯେତେବେଳେ ନିଜେ ନିଜକୁ ବୁଝିପାରୁନାହୁଁ, ସେତେବେଳେ ଏ ବିରାଟ ବିଶ୍ୱର କ୍ରିୟା-ପ୍ରକ୍ରିୟା-ପ୍ରକରଣକୁ ବୁଝିବୁ କିପରି? "ଆମେ' କହିଲା ବେଳେ ସେଥିରେ ପ୍ରଥମେ ଓ ମୁଖ୍ୟତଃ ମୁଁ ନିଜକୁ ହିଁ ସାମିଲ କରୁଛି । ସବୁ କିଛି ବୁଝି, ପୁଣି ଅବୁଝା ହୋଇଯାଉଛି । ହସୁଛି, କାନ୍ଦୁଛି, ରାଗୁଛି, ରୁଷୁଛି ଏବଂ ନିଜର ଦୋଷକୁ ଅଣଦେଖା କରି ଅନ୍ୟ ଉପରେ ଦୋଷାରୋପ କରୁଛି ।
ଅଭିବ୍ୟକ୍ତିରେ ପୁଣି ସେଇ ବିରୋଧିତା? କହୁଛି, ଅନ୍ତରରେ ପ୍ରେମର ପ୍ରବାହ । ଅଥଚ ବ୍ୟକ୍ତ କରୁଛି ରାଗ-ରୋଷ, ଦୋଷଦର୍ଶୀ ହେବାର ସ୍ୱଭାବ? କଥା ହେଲା, ପ୍ରେମକଳାକୁ ମୁଁ ପୂର୍ଣ୍ଣ ଭାବରେ ଆୟତ୍ତ କରିପାରିନାହିଁ । ଦେବାର ଆନନ୍ଦ ଭିତରେ ତଥାପି କିଛି ପାଇବାର ଆଶା ରହିଯାଉଛି ଅବଚେତନରେ । ନିଜକୁ ନିଃସ୍ୱ କରିଦେଇ ବିଶ୍ୱଦୃଷ୍ଟି ମୋ ପକ୍ଷରେ ସମ୍ଭବ ହେଉନାହିଁ, ଯେଉଁ ଦୃଷ୍ଟି ଥିଲା କବି ଓ ଦାର୍ଶନିକ ଭୀମ ଭୋଇଙ୍କର । ତେଣୁ ମୁଁ ଘାରି ହେଉଛି । ଘୂରି ବୁଲୁଛି ଘରସାରା । ଘରୁ ବାହାର, ପୁଣି ବାହାରୁ ଘର । ଘର ଭିତରେ ପହଁରି ଆସୁଛି ଥାକଭର୍ତ୍ତି ବହିମାନଙ୍କରେ । ବହିର ପୃଷ୍ଠାରେ ପୃଷ୍ଠାରେ ସଞ୍ଚରି ଯାଇଥିବା ଜୀବନ, ମୃତ୍ୟୁ, ପ୍ରେମ, ସ୍ୱପ୍ନ ସବୁ ସଂକ୍ରମିତ ହୋଇ ଆସୁଛି ମୋ ଭିତରକୁ । ମୁଁ ଭୋଗୁଛି ସେଇ ସଂକ୍ରମଣର ପୀଡ଼ା । ମୁକ୍ତି ଖୋଜୁଛି ପୁସ୍ତକଲବ୍ଧ ଜ୍ଞାନ, ସୂଚନା ତଥା ଅନ୍ୟର ଉପଲବ୍ଧି ଓ ଅନୁଭବ ଭିତରୁ । ମାତ୍ର ସହଜରେ ମୁକ୍ତି ମିଳୁନାହିଁ ଏହି ବାହ୍ୟ ସଂକ୍ରମଣରୁ । ବହିଭର୍ତ୍ତି ଥାକ ସବୁ ପାଲଟି ଯାଉଛନ୍ତି ଥାକ ଥାକ ଦୁଃଖ । ହୁଏତ ସେଇ ଦୁଖ ଭିତରେ ନିହିତ ଥାଇପାରେ ସୁଖର ବୀଜ ।
ହଁ, ତଥାକଥିତ ସୁଖ । କାହିଁକି ନା "ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ, ହାତେ ଆସେ ହାତୁ ତଥା ପଡ଼ିବା ପାଇଁ ସେ'– ସ୍ୱତଃ ମନେ ପଡ଼ିଯାଉଛି କବି ବଚନ । ମୁଁ ସବୁ କିଛି ବୁଝୁଛି, ପୁଣି ବୁଝିପାରୁନାହିଁ । ଚିରକାଳ ଦ୍ୱନ୍ଦ୍ୱରେ, ଅସମାହିତ ପ୍ରଶ୍ନମାନଙ୍କରେ ଘାରି ହେଉଛି । ସେଇ ଘାରି ହେବା ହିଁ ଯେପରି ମୋର ନିୟତି । ମୋର ମୁକ୍ତିର ପ୍ରୟୋଜନ ନାହିଁ କି ଜ୍ଞାନର ପ୍ରୟୋଜନ ନାହିଁ । ସକଳ ବନ୍ଧନ ଭିତରେ ମୁଁ ଘୋଷଣା କରିବାକୁ ଚାହେଁ ଯେ, ମୁଁ ସ୍ୱଭାବତଃ ନିତ୍ୟମୁକ୍ତ । ସତ୍ୟ, ଶିବ, ସୁନ୍ଦରର ସ୍ୱରୂପ ।