ନୀଳଗିରି,୩୦/୩: ଜଣେ ବ୍ୟକ୍ତି ଗ୍ରାମର ଏକ ଗୋଚର ଜମିକୁ ଜବର ଦଖଲ ପରେ ଉକ୍ତ ଜମି ଉପରେ ସରକାରଙ୍କ ନିୟମ କୁ ଫୁ କରି ସରକାରୀ ପୋଖରୀ ଖୋଳା ଯୋଜନାରେ ୨ଥର ପୋଖରୀ ଖୋଳିଛନ୍ତି । ଯାହାକି ଅଞ୍ଚଳବାସୀଙ୍କୁ ହତବାକ୍ କରିଛି । ଏଭଳି ଏକ ବିବାଦୀୟ ଘଟଣା ଘଟିଛି ନୀଳଗିରି ବ୍ଳକ ଅଧୀନ ଆରବନ୍ଧ ପଞ୍ଚାୟତ ବଡ଼ପାଳସା ଗ୍ରାମରେ । ଏହି ବ୍ୟକ୍ତି ୧୦ ବର୍ଷ ପୂର୍ବେ ଉକ୍ତ ଗୋଚର ଜମିକୁ ନିଜ ଅକ୍ତିଆରକୁ ଆଣିବା ପରେ ଉଦ୍ୟାନ ବିଭାଗ ପକ୍ଷରୁ ଏକ ପୋଖରୀ ଖୋଳାଇଥିଲେ । ଗ୍ରାମବାସୀ ଉକ୍ତ ଜମି ଉପରେ ଅଙ୍ଗନବାଡ଼ି କେନ୍ଦ୍ର କରିବାପାଇଁ ପ୍ରସ୍ତାବ ରଖିଥିବା ବେଳେ ସରକାରୀ ନିୟମକୁ ଫୁ କରି ସେ ପୋଖରୀ ଖୋଳିଥିଲେ ।
ଚଳିତ ବର୍ଷ ପୁଣି ଫିସରୀ ବିଭାଗ ପକ୍ଷରୁ ପୋଖରୀ ଖୋଳା ପାଇଁ ଏକ କାର୍ଯ୍ୟାଦେଶ ପାଇ ପୁଣି ଉକ୍ତ ଗୋଚର ଜମି ଉପରେ ଜେସିବି ମେସିନ ଲଗାଇ ପୋଖରୀ ଖୋଳୁଛନ୍ତି । ଏସମ୍ପର୍କରେ ଫିସରୀ ବିଭାଗ ଅଧିକାରିଣୀ ପ୍ରିୟଙ୍କା ସାମଲଙ୍କୁ ଯୋଗଯୋଗ କରାଯାଇଥିବାବେଳେ ଏସବୁ ବେଆଇନ କାମ ବୋଲି ସେ ଜାଣିବା ପରେ କାର୍ଯ୍ୟାଦେଶ ବାତିଲ କରିଛନ୍ତି ବୋଲି କହିଛନ୍ତି । ସରଜମିନ ତଦନ୍ତ ଓ ଦସ୍ତାବିଜ ଯାଞ୍ଚ କରିସାରିବା ପରେ କିପରି ଏଭଳି ବିବାଦୀୟ ଜମି ଉପରେ କାର୍ଯ୍ୟାଦେଶ ଦିଆଗଲା ତାହା ଚଞ୍ଚକତା ବ୍ୟତୀତ କିଛି ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି ।