ବାଲେଶ୍ୱର,୨୯/୩: ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ଅବଗତ ପାଇଁ ଡାକ୍ତରଖାନା ପକ୍ଷରୁ ବିଭିନ୍ନ ବିଭାଗରେ ସୂଚନା ଫଳକ ଲାଗିଛି । ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ରୋଗୀଙ୍କ ସହାୟତା ପାଇଁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ବୋର୍ଡରେ ରୋଗୀ ସେବାର ସମୟ, କେଉଁ ଡାକ୍ତର ଡ୍ୟୁଟିରେ ନିୟୋଜିତ ରହିବେ, ସିଫ୍ଟ ଚାର୍ଟ, କେଉଁ କକ୍ଷରେ କେଉଁ ରୋଗୀଙ୍କୁ ଦେଖାଯିବ, ପୁରୁଷ ଓ ମହିଳାଙ୍କ ପାଇଁ କେଉଁ କକ୍ଷ, କେତେ ସମୟରୁ କେତେ ସମୟ ପର୍ଯ୍ୟନ୍ତ ଉଦ୍ଦିଷ୍ଟ ବିଭାଗ ଖୋଲା ରହିବ, କେଉଁ ଦିନ ଛୁଟି, ସପ୍ତାହରେ କେଉଁ ବାରରେ ଡାକ୍ତର ଚିକିତ୍ସା କରିବେ³ ସେହି ବାବଦରେ ରୋଗୀ ଓ ସମ୍ପର୍କୀୟଙ୍କ ସୂଚନା ପାଇଁ ଡାକ୍ତରଖାନା ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିଛି ଦିନ ପାଇଁ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହା ବେଶ୍ ଭଲରେ କାର୍ଯ୍ୟକାରୀ ହେଉଥିଲା । ମାତ୍ର ଏବେ ସୂଚନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଳୟ ଏବଂ ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲର ଅଧିକାଂଶ ବିଭାଗ ଏକାଠି କାର୍ଯ୍ୟ କରୁଛି ।
ଚିକିତ୍ସା ପାଇଁ ପ୍ରତିଦିନ ଶହ ଶହ ରୋଗୀ ଆସୁଛନ୍ତି । ସେମାନଙ୍କ ଅବଗତ ପାଇଁ ବିଭାଗରେ ଲାଗିଥିବା ଫଳକର ପ୍ରକୃତ ଉଦ୍ଦେଶ୍ୟ ବଦଳି ଯାଇଛି । କାନ୍ଥରେ ଫାଙ୍କା ବୋର୍ଡ ଝୁଲୁଛି, ତାହା କାମରେ ଲାଗୁନାହିଁ । ସର୍ଜରୀ ମେଡିସିନ, ଅସ୍ଥି ଶଲ୍ୟ ବିଭାଗ, ଇଏନଟି, ଚର୍ମ ସମ୍ବନ୍ଧୀୟ ସୂଚନା ପାଇଁ ବହିର୍ବିଭାଗର ସମ୍ମୁଖ କାନ୍ଥ, ଅଲଟ୍ରାସାଉଣ୍ଡ, ପ୍ରସୂତି ବିଭାଗ ସମ୍ପର୍କରେ ସେହି ବିଭାଗରେ ସୂଚନା ଫଳକ ଲାଗିଛି । ସେଥିରେ ରୋଗୀସେବାର ସମୟ ସୀମା, ନିୟୋଜିତ ଡାକ୍ତରଙ୍କ ସମେତ ଅନେକ ବିବରଣୀ ଲେଖା ହେବା କଥା । ମାତ୍ର ସେମିତି କିଛି ହେଉନାହିଁ । ବର୍ଷ ବର୍ଷ ଧରି ଏହି କାମରେ ଖିଲାପ ହେଉଥିବା ଦେଖିବାକୁ ମିଳୁଛି । କେବେ କେମିତି ଅଭିଯୋଗ ହେଲେ ଲେଖା ହେଉଛି, ନ ହେଲେ ମାସ ମାସ ଫାଙ୍କା ପଡ଼ୁଛି ଫଳକ । ପ୍ରତିଦିନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀ ।
ଫେବ୍ରୁଆରୀ ୧୮ରେ ଦିନ ୨ଟାରେ ରେଡିଓଲୋଜି ବିଭାଗରେ ଲାଗିଥିବା ଫଳକରେ କୌଣସି ସୂଚନା ନଥିବା ବେଳେ ମାର୍ଚ୍ଚ ୧ଅପରାହ୍ନ ପ୍ରାୟ ସାଢେ ୩ଟାରେ କାଜୁଆଲିଟି(ଜରୁରିକାଳୀନ) ବିଭାଗ ବାହାରେ ଥିବା ବୋଡ଼ ର୍ରେ ସେମିତି କିଛି ଲେଖା ନଥିଲା । ସେହିଭଳି ମାର୍ଚ୍ଚ ୨୭ରେ ମଧ୍ୟ ସ୍ଥିତି ସମାନ । ଭେଷଜ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଶିଶୁ ବିଭାଗ, ଚକ୍ଷୁ ବିଭାଗ, ଚର୍ମ ବିଭାଗ ଡ୍ୟୁଟିରେ ଥିବା କୌଣସି ଡାକ୍ତରଙ୍କ ନାମ ଲେଖା ନଥିଲା । ଏ ବାବଦରେ ଜଣେ ରୋଗୀ ସମ୍ପର୍କୀୟ ସିକ୍ୟୁରିଟିକୁ ପଚାରିଥିଲେ, ହେଲେ ସିକ୍ୟୁରିଟି ଜଣଙ୍କ ଡାକ୍ତରଙ୍କ ନାମ କୁହାଯିବନି ବୋଲି କହି ବିରକ୍ତି ହୋଇଥିଲେ । ଯାହାକୁ ନେଇ ରୋଗୀ ସମ୍ପର୍କୀୟ ଜଣକ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସୂଚନା ପାଇଁ ସେମାନଙ୍କୁ ଏପଟସେପଟ ହେବାକୁ ପଡୁଛି ବୋଲି କହିଛନ୍ତି । ଏ ସମ୍ପର୍କରେ ସିଡିଏମ୍ଓ ଡା. ଗୋପିନାଥ ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହି କାମ ମେଡିକାଲ କଲେଜର, ଏହା ଆମର ନୁହେଁ । ଯେବେଠୁ ମୁଁ ଆସିଛି ସବୁ ବେଳେ ଫାଙ୍କା ଫଳକ ଝୁଲୁଛି । ସେ ବାବଦରେ ମେଡିକାଲ କଲେଜ ଓ ହପ୍ପିଟାଲର ଅଧୀକ୍ଷକ କିମ୍ବା ପ୍ରାଶାସନିକ ଅଧିକାରୀ କହି ପାରିବେ । ଏଫ୍ଏମ୍ ମେଡିକାଲ କଲେଜର ପ୍ରାଶାସନିକ ଅଧିକାରିଣୀଙ୍କୁ ଯୋଗାଯୋଗ କରାଯାଇଥିଲେବି ଉତ୍ତର ମିଳିନି ।