କମର୍ଦ୍ଦା,୩୦/୩: ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନ ୧୦ ନଂ ୱାର୍ଡ଼ର ୪୦ରୁ ଅଧିକ ପରିବାର ପାଣିପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଖରା ଯେତିକି ବଢୁଛି ପିଇବା ପାଣିର ସମସ୍ୟା ସେତିକି ଉତ୍କଟ ହେଉଛି । ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଭୋଗରାଇ ବ୍ଲକ ଅଧୀନରେ ଥିବା ଅନେକ ସାହିରେ ନଳକୂପ ଅଚଳ ଅବସ୍ଥାରେ ରହିଛି । ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ସଂଯୋଗ ହୋଇଥିବା ଟ୍ୟାପରୁ ଠିକ ସମୟରେ ପାଣି ଯୋଗାଇ ଦିଆଯାଉ ନାହିଁ । ତେଣୁ ଲୋକେ ଅପରିଷ୍କାର ଗୋଳିଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିମ୍ବା ପଞ୍ଚାୟତ କତ୍ତୃ ର୍ପକ୍ଷ ନିୟମିତ ନଳକୂପଗୁଡ଼ିକୁ ବିଶୋଧନ କରୁ ନାହାନ୍ତି । ଫଳରେ ନଳକୂପରୁ ଅପରିଷ୍କାର ଏବଂ ଗୋଳିଆ ପାଣି ବାହାରୁଥିବାରୁ ଲୋକମାନେ ବାଧ୍ୟ ହୋଇ ବହୁ ଦୂରକୁ ଯାଇ ପିଇବା ପାଣି ଆଣୁଥୁବାର ଦେଖିବାକୁ ମିଳିଛି ।
ଉଲୁଡ଼ା ଠାରୁ ଭୋଗରାଇ ଲକ୍ ମୁଖ୍ୟ ରାସ୍ତା ମଧ୍ୟସ୍ଥଳ ଦହମୁଣ୍ଡା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ୧୦୦ ମିଟର ଦୂରରେ ଅବସ୍ଥିତ ନଳକୂପର ଅବସ୍ଥା ସଂଗୀନ । ଏଥିରୁ ଦୁର୍ଗନ୍ଧ ଓ ଗୋଳିଆ ପାଣି ବାହାରୁଥିବାରୁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାପାଳ ଯଥାଶିଘ୍ର ପାନୀୟ ଜଳର ସୁବ୍ୟବସ୍ଥା କରନ୍ତୁ ବୋଲି ସୁକୁଲ ସୋରେନ୍, କଟି ମାରାଣ୍ଡି, ବାବୁଲା ହେମ୍ବ୍ରମ, ସନାତନ ମାରାଣ୍ଡି, ସିଂରାଇ ମାରାଣ୍ଡି, ରାଣୀ ମାରାଣ୍ଡି, ମଞ୍ଜୁ ହେମ୍ବ୍ରମ, ଆରତୀ ମାରାଣ୍ଡି, ସାଧନା ସୋରେନଙ୍କ ସମେତ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।