ନୀଳଗିରୀ,୩୧/୩(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରୀ ଅଞ୍ଚଳରେ ଥିବା ସୋନନଦୀରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ କମିନାହିଁ। ସୋନନଦୀର କାଠପାଳ ପୋଲ ତଳୁ ବାଲି ତାଡି ନେଇଛନ୍ତି ମାଫିଆ। ଫଳରେ ପୋଲର ସ୍ଥାୟିତ୍ବକୁ ନେଇ ପ୍ରଶ୍ବବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ନୀଳଗିରୀ ତହସିଲ ଅଧିନ ସୋନନଦୀ ଏବେ ବାଲି ମାଫିଆଙ୍କ କବଜାରେ ରହିଛି। ନଦୀପଠା ସମେତ ନଦୀ ଗର୍ଭରୁ ବାଲି ଚୋରି କରି ନେଉଥିବା ବେଳେ କୋଟିକୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି ସରକାର। ବାଲେଶ୍ଵର-ମିତ୍ରପୁର-ଉଦଳା ମୁଖ୍ୟ ରାସ୍ତା କାଠପାଳ ଠାରେ ସୋନନଦୀ ଉପରେ ନିର୍ମିତ ପୋଲ ଏବେ ଭୁଶୁଡି ପଡିବା ଆଶଙ୍କା ଘାରିଛି।ପୋଲ ତଳୁ ଟ୍ରାକ୍ଟର ଲଗାଇ ବାଲି ଚୋରି କରିନେଉଥିବା ଦେଖାଯାଇଛି।ପୂର୍ବରୁ ପୋଲ ନିକଟରେ ଏକ ବାଲି ଖାଦାନ ନିଲାମ ହୋଇଥିବା ବେଳେ ନଦୀ ଉଠାଇଲେ ପୋଲ ଉପରେ ବିପଦ ହେବ ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇ ବାଲି ଖାଦାନ ସରକାର ବନ୍ଦ କରିଦେଇଥିଲେ। ତେବେ ବାଲି ମାଫିଆ ଗ୍ରାମର କିଛି ଲୋକଙ୍କୁ ହାତ କରି ପୋଲ ତଳୁ ବାଲି ଚୋରି କରୁଛନ୍ତି।
ଚୋରିର ଦୃଶ୍ୟ ଜନୈକ ବ୍ୟକ୍ତି ଉତ୍ତୋଳନ କରି ପ୍ରଶାସନ ଓ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପରେ ତାଙ୍କୁ ମାଫିଆ ମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି।ବାରମ୍ବାର ସେ ବାଲିଚୋରି କୁ ବିରୋଧ କରୁଥିବା ବେଳେ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଥିବା କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।