ସୋର,୩୧/୩: ସୋର ବ୍ଲକ ମୂଳିସିଂ ପଞ୍ଚାୟତ ମୂଳିସିଂ ଗ୍ରାମରେ କିରାସିନି ଚୋରା ଚାଲାଣ ବେଳେ ଜଣେ ଯୁବକଙ୍କୁ ଅଟକାଇ ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଗତ ଶନିବାର ଅପରାହ୍ନରେ ମୂଳିସିଂ ନିକଟରେ ଦୁଇ ଜଣେ ବ୍ୟକ୍ତି ଏକ ବାଇକ୍ରେ ୫୦ ଲିଟର କିରାସିନି ନେଇ ସୋର ଅଭିମୁଖେ ଯାଉଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇବା ସହିତ ସୋର ପୁଲିସକୁ ଖବର ଦେଇଥିଲେ । ପୁଲିସ ୫୦ ଲିଟର କିରାସିନି ଜବତ କରିଛି । ଏ ବାବଦରେ ଗ୍ରାମବାସୀଙ୍କ ପକ୍ଷରୁ ସୋର ଥାନା, ବିଡିଓ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ନିରୀକ୍ଷକଙ୍କୁ କରାଯାଇଛି । ଏହି ଗ୍ରାମରେ ଥିବା କଣ୍ଟ୍ରୋଲ ରିଟେଲର ଚନ୍ଦ୍ରଶେଖର ମହାପାତ୍ର ଚାଉଳ, କିରାସିନି ଲୋକଙ୍କୁ ନ ଦେଇ ଏହାକୁ ବାହାରେ ବିକ୍ରି କରୁଥିବା ଗ୍ରାମବାସୀମାନେ ଅଭିଯାଗ କରିଛନ୍ତି ।
ଗତ ଶନିବାର ଅପରାହ୍ନରେ ଉକ୍ତ କଣ୍ଟ୍ରୋଲ ରିଟେଲର ଏହି କିରାସିନିକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ । ସେ ବାଇକ୍ରେ ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ଅଟକାଇ ପୁଲିସକୁ ଖବର ଦେଇଥିଲେ । କିରାସିନି ନେଇ ଯାଉଥିବା ବ୍ୟକ୍ତିଙ୍କୁ ପଚାରିବାରୁ ସେ ଚନ୍ଦ୍ରଶେଖରଙ୍କ ନିକଟରୁ କିରାସିନି ଧାର ନେଉଥିବା କହିଥିଲେ । ସୋର ବିଡିଓ ସତ୍ୟନାଥ ନାୟକ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।