ନୂଆଦିଲ୍ଲୀ,୨୫/୬:ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଟଳିପଡିଲେ ଓଡିଶା ଖେଳାଳି । ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଚାଲିଥିବା ଫୁଟବଲ ମ୍ୟାଚ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ,ଡେରାଡୁନର କ୍ଲେମେଣ୍ଟ ଟାଉନରେ ଥିବା ତିବ୍ଦତୀୟ ବିଦ୍ୟାଳୟ ପରିସରରେ ତିବ୍ଦତୀୟ କମ୍ୟୁନିଟି ପକ୍ଷରୁ ୪୦ବର୍ଷରୁ ଊର୍ଦ୍ଧ ବୟସ ନ୍ୟାସନାଲ ଏପିଏଫ୍ ଗୋଲ୍ଡ ଫୁଟବଲ୍ କପ୍ ଚାମ୍ପିଅନସିପ୍ ଆୟୋଜନ କରାଯାଇଥିଲା । ଏହି ଚାମ୍ପିୟନସିପ୍ରେ ପୋଟଲା ଇଲେଭେନ ଓଡିଶା ଓ ଗ୍ୟାଙ୍ଗଚୁପା ଏଫ୍ସି ଦିଲ୍ଲୀ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଉଥିଲା।
ଉଭୟ ଟିମ ମଧ୍ୟରେ ଚାଲିଥିବା ଫୁଟବଲ ମ୍ୟାଚ୍ ସମୟରେ ଓଡିଶା ଦଳର ଗୋଲକିପର ୪୪ ବର୍ଷିୟ ତେନଜିଙ୍ଗ ଟୋକନ୍ଦେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ଗୋଲକିପରଙ୍କୁ ତୁରନ୍ତ ପଡ଼ିଆରୁ ବାହାରକୁ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଟୁର୍ନାମେଣ୍ଟର ଆୟୋଜକ ୟାସିଲ ରଙ୍ଗଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।