ପ୍ରମୂଖ ଖବର
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ସ୍ମାର୍ଟସିଟିରେ ଦୁର୍ନାମ ଆଣୁଛି ମୁକୁଳା ଡ୍ରେନ୍‌, ରାଜେଶ ମୃତ୍ୟୁ ପାଇଁ ଦାୟୀ କିଏ ?

ଭୁବନେଶ୍ୱର,୧୯/୦୬ : ସ୍ମାର୍ଟସିଟି ଭୁବନେଶ୍ୱର । ସବୁ ନାଗରିକ କୈନ୍ଦ୍ରିକ ସେବା ସହଜରେ ମିଳୁଥିବାରୁ ମିଳିଛି ସ୍ମାର୍ଟ ମାନ୍ୟତା । ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱର ପାଇଛି ବହୁ ପୁରସ୍କାର ଓ ସ୍ୱୀକୃତି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମେୟର, କର୍ପୋରେଟର୍‌ ଓ ବରିଷ୍ଠ ଅଧିକାରୀଙ୍କୁ ମିଳିଛି ଢ଼େର୍‌ ପ୍ରଶଂସା । କିନ୍ତୁ ଏହି ତମାମ କସରତରେ ପାଣି ଫିଙ୍ଗି ଦେଇଛି ମୁକୁଳା ଡ୍ରେନ୍‌ । ମଙ୍ଗଳବାର ଡ୍ରେନ୍‌ରେ ଭାସିଯାଇ ୟୁନିଟ୍‌-୩ ମସଜିଦ୍‌ କଲୋନିର ଆବୁ ବକର ଶାହା (ରାଜେଶ) ପ୍ରାଣ ହରାଇଛନ୍ତି । ରାଜେଶଙ୍କ ମୃତ୍ୟୁ ପରେ ସ୍ମାର୍ଟସିଟିର ନାଗରିକ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନିକ ଅବହେଳା କାରଣରୁ ରାଜଧାନୀ ସାରା ମୁକୁଳା ଡ୍ରେନ୍‌ ଆଁ କରିଛି । ପ୍ରତିବର୍ଷ ଡ୍ରେନ୍‌ରେ ଭାସିଯାଇ ନିରୀହ ଲୋକଙ୍କ ଜୀବନ ଯାଉଛି । ଡ୍ରେନେଜ୍‌ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଫଳ ଶୂନ । କେତେବେଳେ ବିଦେଶୀ ନାଗରିକ ଡ୍ରେନ୍‌ରେ ଖସିଲେଣି ତ ପୁଣି ପଡ଼ି ଗୋଡ଼ହାତ ଭାଙ୍ଗିଲାଣି । 

ଭୁବନେଶ୍ୱରରେ ରହିଛି ୧୧ଟି ମୁଖ୍ୟ ଡ୍ରେନ୍‌ । ଏଥିରୁ ମୋଟ ୭୭ କିଲୋମିଟର ମୁଖ୍ୟ ଡ୍ରେନ୍‌, ୯୦୦ କିମି ଶାଖା ଡ୍ରେନ୍‌ । ପୂର୍ତ୍ତ ବିଭାଗର ୩୬୦ କିଲୋମିଟର ସହିତ ଏନ୍‌ଏଚ୍‌ଆଇ ଓ ଇଡ୍‌କୋ ଡ୍ରେନ ବି ରହିଛି । ଏହି ସବୁ ଡ୍ରେନ୍‌ ମଧ୍ୟରୁ ଶାଖା ଡ୍ରେନ୍‌ଗୁଡିକ ସ୍ଲାବ ପକାଇବାକୁ ନିର୍ଦ୍ଦେଶ ହୋଇଥିଲା । ହେଲେ ମାତ୍ର ୫୦ ପ୍ରତିଶତ ଡ୍ରେନ୍‌ରେ ସ୍ଲାବ ପକାଇ ବସିପଡ଼ିଛି ବିଏମ୍‌ସି । ଦାୟିତ୍ୱରେ ଥିବା ବିଏମ୍‌ସି ଅଧିକାରୀ ମାନେ ଠିକ୍‌ ଭାବରେ କାମ ତଦାରଖ କଲେନି । ମୁଖ୍ୟ ଡ୍ରେନ୍‌ ପାଶ୍ୱର୍ରେ ଜାଲି ଲଗାଇଲେନି । ଫଳରେ ଏପରି ଘଟଣା ଘଟିଲା । ଏହି ଘଟଣା ପରେ ବିଏମ୍‌ସି ରାତି ଅଧିଆ ବୈଠକ ଡକାଇଛି । ଅଧିକାରୀଙ୍କୁ ସୁରକ୍ଷା ଦେବା ଲାଗି ବିଏମ୍‌ସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । 

ରେଳବାଇ ଉପରେ ଦୋଷ ଲଦିବାକୁ ଉଦ୍ୟମ

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉକ୍ତ ଡ୍ରେନ୍‌କୁ ଲାଗି ରେଳବାଇ ଜାଗା ରହିଛ । ତେଣୁ ଡ୍ରେନ୍‌ କାର୍ଯ୍ୟରେ ବାଧା ଉପୁଜିଥିଲା । ଏବେଠୁ ଠିକ୍‌ ଘଟଣା କହିବା ମୁସ୍କିଲ । ଆଜି କାଗଜ ଦେଖିବା ପରେ ସ୍ପଷ୍ଟ ହେବ । ରାଜେଶ ମୃତ୍ୟୁର ପ୍ରକୃତ ଦୋଷୀ କିଏ? କାହିଁକି ବିଏମ୍‌ସି ଦୋଷ ଲୁଚାଇବାକୁ ଉଦ୍ୟମ କରୁଛି? କାହାକୁ ବଞ୍ଚାଇବାକୁ ଉଦ୍ୟମ ହୋଇଛି? ଆଜି ଏହି ଘଟଣା ପରେ ବିଏମ୍‌ସି କମିଶନର ଘଟଣାସ୍ଥଳକୁ ନ ଆସିବାକୁ ସମାଲୋଚନା କରାଯାଇଛି । ଘଟଣା ପରେ ବିଜେପି ଓ ବିଜେଡିର ମାଳମାଳ କର୍ପୋରେଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଏତେ ଦିନ ଧରି ବିଏମ୍‌ସି ଡ୍ରେନ୍‌ ମୁକୁଳା ରହିବା ନେଇ କେହି ପାଟି ଖୋଲି ନଥିଲେ ।

ଡ୍ରେନ୍‌ରେ ଯାଇଥିବା ଅମୂଲ୍ୟ ଜୀବନ

୨୦୨୧ ସେପ୍ଟେମ୍ବର ୧୯: ଶତାବ୍ଦୀ ନଗର ଦେଇ ଯାଇଥିବା ଡ୍ରେନ୍‌ ନମ୍ବର -୮ (ଏ)ରେ ବରମୁଣ୍ଡା ଢ଼ିପସାହିର ଜ୍ୟୋତିପ୍ରକାଶ ବେହେରା ନାମକ ଜଣେ ନାବାଳକ ଭାସିଯାଇ ମୃତ 

୨୦୧୯: ଏକାମ୍ର ଭିଲ୍ଲା ରାସ୍ତାରେ ଖୋଲା ଡ୍ରେନ୍‌ରେ ପଡ଼ି ୬୫ ବର୍ଷୀୟା ମହିଳା ମୃତ 

୨୦୧୮ ଅଗଷ୍ଟ: ୟୁନିଟ୍‌-୪ର ପିଚୁପଡ଼ିଆ ବସ୍ତିର ବାସିନ୍ଦା ହରି ପଟ୍ଟନାୟକ ଖୋଲା ଡ୍ରେନ୍‌ରେ ପଡ଼ି ପ୍ରାଣ ହରାଇଥିଲେ 

୨୦୧୭: ପ୍ରବଳ ବର୍ଷାରେ ଉଛୁଳା ଡ୍ରେନ୍‌ରେ ପଡ଼ି ଚନ୍ଦ୍ରଶେଖରପୁର ଅଞ୍ଚଳର ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ 

୨୦୧୫: ନୂଆପଲ୍ଲୀର ମମ୍‌ତାଜ ଅଲ୍ଲୀ ହାଇସ୍କୁଲ୍‌ ନିକଟରେ ଡ୍ରେନ୍‌ରେ ଭାସିଯାଇ ୯ ବର୍ଷର ବାଳକଙ୍କ ମୃତ୍ୟୁ

ବିଏମ୍‌ସିକୁ ୫ଟି ପ୍ରଶ୍ନ

୧) ଭୁବନେଶ୍ୱରରେ ଥିବା ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ିବ କେବେ? 

୨) ୨୦୨୧ ସେପ୍ଟେମ୍ବର ୧୯ ତାରିଖରେ ଶତାବ୍ଦୀ ନଗର ଦେଇ ଯାଇଥିବା ଡ୍ରେନ୍‌ ନମ୍ବର -୮ (ଏ)ରେ ବରମୁଣ୍ଡା ଢ଼ିପସାହିର ଜ୍ୟୋତିପ୍ରକାଶ ବେହେରା ନାମକ ଜଣେ ନାବାଳକ ଭାସିଯାଇ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ବିଏମ୍‌ସି କ’ଣ ପଦକ୍ଷେପ ନେଇଛି? କେଉଁ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି? 

୩) ଆଜିର ଦୁର୍ଘଟଣା ପାଇଁ କେଉଁ ବିଭାଗ ଉତ୍ତରଦାୟୀ? କେଉଁ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ? 

୪) ଅସରାଏ ବର୍ଷାରେ ଯଦି ଡ୍ରେନ୍‌ରେ ଭାସିଯାଇ ନାବାଳକ ପ୍ରାଣ ହରାଉଛନ୍ତି, ତେବେ ବର୍ଷା ଋତୁରେ ସ୍ଥିତି କ’ଣ ହେବ? 

୫) ଡ୍ରେନ୍‌ ଉପରୁ କେବେ ଜବରଦଖଲ ହଟିବ?


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.