ଆଜିର ଏହି ଅତ୍ୟାଧୁନିକ ଜୀବନରେ ସବୁ ବୟସର ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି । ଖାସ୍ କରି ଛୋଟ ଛୋଟ ପିଲାଙ୍କ ଓଜନ ଖୁବ୍ ଶୀଘ୍ର ବଢୁଛି । ଡାକ୍ତରମାନେ କହିଛନ୍ତି ଯେ, ଏହା ପଛରେ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ । ଯଦି କୌଣସି ପିଲା ଅତ୍ୟଧିକ ଶୀତଳ ପାନୀୟ (କୋଲ୍ଡ ଡ୍ରିଙ୍କ୍ସ) ପିଇଥାଏ ଏବଂ କୌଣସି ଶାରୀରିକ କାର୍ଯ୍ୟକଳାପ କରି ନଥାଏ, ତେବେ ସେହି ପିଲା ମେଦବହୁଳତାର ଶିକାର ହୋଇପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ କେଉଁ ପ୍ରକାରର ଖାଦ୍ୟ ଖାଉଛନ୍ତି । କାରଣ ଯଦି ଆପଣ ଲଗାତାର ଅସ୍ୱାସ୍ଥ୍ୟକର ଖାଦ୍ୟ ନିଜ ପିଲାଙ୍କୁ ଖାଇବାକୁ ଦେଉଛନ୍ତି, ତେବେ ଆପଣଙ୍କ ପିଲାର ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ସେଥିପାଇଁ ଫାଷ୍ଟଫୁଡ୍ ଖାଇବା ଅନୁଚିତ୍ ବୋଲି କୁହାଯାଇଥାଏ । କାରଣ ଏଥିରେ ମିଶ୍ରଣ ହେଉଥିବା ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ।
ଆଜିକାଲି ପିଲାମାନେ ଘରେ ରନ୍ଧା ଖାଦ୍ୟ ଖାଇବା ପରିବର୍ତ୍ତେ ବାହାରର ଜଙ୍କଫୁଡ୍ ଏବଂ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ଏହି କାରଣରୁ ସେମାନେ ମେଦବହୁଳତାର ଶିକାର ହେଉଛନ୍ତି । କିଛି ସମୟ ଏପରି ଖାଦ୍ୟ ଖାଇବା ପରେ ସେମାନେ ଅନେକ ଗମ୍ଭୀର ରୋଗର ଶିକାର ହେଉଛନ୍ତି ।
ମେଦବହୁଳ ଶିଶୁଙ୍କପାଇଁ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି। ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ । ଡାକ୍ତରଙ୍କ କହିବା ଅନୁଯାୟୀ, ଖାଦ୍ୟ ଅଭ୍ୟାସ ଯୋଗୁଁ ପିଲାମାନଙ୍କ ମଧ୍ୟରେ ମେଦବହୁଳତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ସେମାନଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ପିଲାମାନଙ୍କ ମଧ୍ୟରେ ମୋଟାପଣ ବୃଦ୍ଧି ପାଇବାର କାରଣ କ'ଣ ଆସନ୍ତୁ ଜାଣିବା ।
ମାତ୍ରାଧିକ ପ୍ୟାକେଜ୍ଡ ଫୁଡ୍ ଖାଇବା-
ପିଲାଦିନେ ମୋଟାପଣ ଅନେକ ରୋଗର କାରଣ ହୋଇପାରେ। ଏହି କାରଣରୁ କମ୍ ବୟସରେ ମଧୁମେହ, ହୃଦରୋଗ ଏବଂ ଶ୍ୱାସକ୍ରିୟା ସମସ୍ୟା ଦେଖା ଦେଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଭାରତରେ ପିଲାମାନଙ୍କର ଖାଦ୍ୟ ଅଭ୍ୟାସ ଧିରେ ଧିରେ ଖରାପ ହେଉଛି । ସେମାନେ ସବୁବେଳେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ସେମାନେ ଅତ୍ୟଧିକ ପ୍ୟାକେଜ୍ ଫୁଡ୍ ଯେପରିକି ଚିପ୍ସ, କେକ୍ ଇତ୍ୟାଦି । ଯାହା ସେମାନଙ୍କ ଶରୀରରେ ଚର୍ବି ଜମା କରୁଛି । ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ତିଆରି ହେଉଥିବା ପ୍ୟାକେଜ୍ ଫୁଡ୍ରେ ଅନେକ ଖାଦ୍ୟରେ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଅଧିକ ପରିମାଣର ଚିନି ରହିଥାଏ । ଯାହା ଛୋଟ ଛୋଟ ପିଲାମାନଙ୍କ ମୋଟାପଣର ଏକ ପ୍ରମୁଖ କାରଣ ସାଜୁଛି ।
ଜଙ୍କ୍ ଫୁଡ୍-
ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଜଙ୍କଫୁଡ୍ ଏବଂ ପ୍ୟାକେଜଜ୍ଡ ଫୁଡ୍ ଖୁଆଇ ଦେଉଛନ୍ତି । ଯାହା ଫଳରେ ସେମାନେ ସନ୍ତୁଳିତ ଖାଦ୍ୟ ପାଇପାରୁ ନାହାଁନ୍ତି । ଶରୀରରେ ପୁଷ୍ଟିକର ଖାଦ୍ୟାଭାବ ଯୋଗୁଁ ସେମାନଙ୍କ ମଧ୍ୟରେ ମୋଟାପଣ ବୃଦ୍ଧି ପାଉଛି ।
ମୋଟାପଣ ବଢିବା ଦ୍ୱାରା ମାଡ଼ି ଆସେ ବିପଦ-
ପିଲା ମାନଙ୍କ ଶରୀରରେ ମେଦବହୁଳତା ହେବା ଦ୍ୱାରା ସେମାନେ ଅନେକ ସମସ୍ୟାର ଶିକାର ହୋଇପାରନ୍ତି । ଏପରି ହେବା ଦ୍ୱାରା ସେମାନଙ୍କ ମେଣ୍ଟାଲ୍ ହେଲ୍ଥ ପ୍ରଭାବିତ ହୋଇଥାଏ । ଏପରିକି ଭାବନାତ୍ମକ ଶକ୍ତି ବା ଚିନ୍ତା କରିବାର କ୍ଷମତା ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ମୋଟାପଣ ବଢିବା କାରଣରୁ ସେମାନେ ଥଟ୍ଟା ଏବଂ ପରିହାସର ପାତ୍ର ହୋଇଥାନ୍ତି । ଏପରି ହେବା ଦ୍ୱାରା ସେମାନେ ଡିପ୍ରେସନ୍ର ଶିକାର ହେବା ସହ ତାଙ୍କ ଆତ୍ମବିଶ୍ୱାସ ମଧ୍ୟ କମିଯାଇଥାଏ ।
ପିଲାମାନଙ୍କୁ ମୋଟାପଣରୁ ରକ୍ଷା କରିବା ପାଇଁ କ'ଣ କରିବେ?
ପିଲାଙ୍କୁ ପ୍ୟାକେଜ୍ ହୋଇଥିବା ଏବଂ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରଖନ୍ତୁ । ଖାଦ୍ୟରେ ଆବଶ୍ୟକୀୟ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବରକୁ ସାମିଲ କରନ୍ତୁ । ସବୁଜ ପନିପରିବା ଏବଂ ଫଳ ଖାଇବାକୁ ଦିଅନ୍ତୁ । ପିଲାମାନଙ୍କୁ କେବଳ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ । ଦିନରେ ଯଥା ସମ୍ଭବ ପାଣି ପିଇବାକୁ ଦିଅନ୍ତୁ । ଥଣ୍ଡା ପାନୀୟ କିମ୍ବା ଅନ୍ୟାନ୍ୟ ମିଠା ଜିନିଷ ଖାଇବାଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ ।