ଆମେ ସମସ୍ତେ ପ୍ରଚୁର ପାଣି ପିଇବା ଉଚିତ । ଆପଣ ପ୍ରାୟତଃ ଲୋକମାନଙ୍କୁ ଏପରି କହିବା ନିଶ୍ଚୟ ଶୁଣିଥିବେ । ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହେଲେ କମ୍ ପାଣି ପିଇବା ଶରୀରରେ ଅନେକ ପ୍ରକାରର ସମସ୍ୟା ବଢ଼ାଇପାରେ । ପ୍ରକୃତରେ ଆମ ଶରୀରର ୬୦ରୁ ୭୦% କେବଳ ପାଣି । ଶରୀରର କାର୍ଯ୍ୟକ୍ଷମତା ପାଇଁ ଏହାର ପ୍ରତ୍ୟେକ କୋଷକୁ ପର୍ଯ୍ୟାପ୍ତ ପରିମାଣର ପାଣି ଏବଂ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ତେଣୁ ସବୁବେଳେ ଶରୀର ହାଇଡ୍ରେଟେଡ୍ ରଖିବା ଉଚିତ୍ ଅର୍ଥାତ୍ ଶରୀରରେ ପାଣିର ଅଭାବ ହେବା ଉଚିତ୍ ନୁହେଁ । କାରଣ ଶରୀର ଭିତରେ ହେଉଥିବା ଅଧିକାଂଶ କାର୍ଯ୍ୟକଳାପରେ ଜଳୀୟ ଅଂଶ (ପାଣି) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ପାଣି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ, ପାଚନ କ୍ରିୟାକୁ ସୁଦୃଢ କରିବାରେ ଏବଂ ରକ୍ତ ସଂଚାଳନକୁ ଉନ୍ନତ କରିବାର କାମ କରିଥାଏ । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଶରୀରରେ ଜଳର ପରିମାଣ କମିଛି ବୋଲି ଆପଣ କିପରି ଜାଣିବେ । ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।
ପରିଶ୍ରାର ରଙ୍ଗ-
ଯଦି ପରିସ୍ରାର ରଙ୍ଗ ଅଧିକ ଗାଢ଼ ହୋଇଥାଏ, ତେବେ ଏହା ପାଣି ଅଭାବର ଲକ୍ଷଣ ହୋଇପାରେ । ଯେତେବେଳେ ଶରୀରରେ ଜଳୀୟ ଅଂଶ କମିଯାଏ, ପରିସ୍ରାର ରଙ୍ଗ ଗାଢ଼ ହୋଇଯାଏ । ଯଦି ଆପଣଙ୍କ ସହ ଏଭଳି ହେଉଛି, ତେବେ ଆପଣ ଅଧିକ ପାଣି ପିଇବା ଉଚିତ୍।
ପିଞ୍ଚ୍ ଟେଷ୍ଟ୍-
ବିଶେଷଜ୍ଞଙ୍କ ମତରେ, ଶରୀରରେ ଜଳୀୟ ଅଂଶ ହ୍ରାସ ଅର୍ଥାତ୍ ପାଣିର ଅଭାବ ଚିହ୍ନଟ କରିବା ପାଇଁ ଆପଣ ପିଞ୍ଚ୍ ଟେଷ୍ଟ୍ର ସାହାଯ୍ୟ ମଧ୍ୟ ନେଇପାରିବେ । ଏଥିପାଇଁ ଆପଣଙ୍କ ପାପୁଲିକୁ ତଳ ଆଡ଼କୁ ମୁହଁ କରି ରଖନ୍ତୁ ଏବଂ ହାତର ଉପର ଅଂଶର ଚର୍ମକୁ ହାଲୁକା ଭାବରେ ଚିମୁଡ଼ି ଦିଅନ୍ତୁ । ତା'ପରେ ଏହାକୁ ଛାଡ଼ି ଦିଅନ୍ତୁ । ଯଦି ଆପଣଙ୍କ ହାତର ଚର୍ମ ତୁରନ୍ତ ପୂର୍ବ ଅବସ୍ଥାକୁ ଫେରି ଆସୁଛି, ତେବେ ଏହାର ଅର୍ଥ ହେଉଛି ଆପଣ ହାଇଡ୍ରେଟେଡ୍ ଅଛନ୍ତି । ଯଦି ଏପରି ନହୁଏ, ତେବେ ଆପଣଙ୍କ ଶରୀରରେ ପାଣିର ଅଭାବ ଅଛି ।
ମୁହଁ କହିବ ଶରୀରରେ ପାଣିର ପରିମାଣ-
ଡାକ୍ତରମାନଙ୍କ ମତ ଅନୁଯାୟୀ, ଯେତେବେଳେ ଶରୀରରେ ପାଣିର ଅଭାବ ହୁଏ ନାକ ଚାରିପାଖରେ, କପାଳରେ କିମ୍ବା ଗାଲରେ ଶୁଷ୍କତା ଦେଖାଯାଏ । ଏହା ବ୍ୟତୀତ, ଯଦି ଆପଣ ପାଣିରେ ମୁହଁ ଧୋଇବା ପରେ ମୁହଁରେ ଟାଣ କିମ୍ବା ଶୁଷ୍କତା ଅନୁଭବ କରନ୍ତି, ତେବେ ଏହା ପାଣି ଅଭାବରୁ ମଧ୍ୟ ହୋଇପାରେ । ଯଦି ମୁହଁରେ ହଠାତ୍ ବ୍ରଣ ହେଉଛି, ତେବେ ଏହା ଡିହାଇଡ୍ରେସନ୍ ଯୋଗୁଁ ମଧ୍ୟ ହୋଇପାରେ । ପାଣି ଅଭାବରୁ ମୁହଁରେ ସିବମ୍ ଉତ୍ପାଦନ ବଢ଼ିଯାଇଥାଏ । ଯାହା ଦ୍ୱାରା ତ୍ୱଚାର ଛିଦ୍ରଗୁଡ଼ିକ ବନ୍ଦ ହୋଇଯାଏ, ଯାହା ବ୍ରଣ ସୃଷ୍ଟି କରେ।
ମୁହଁ ଫୁଲିବା-
ଡାକ୍ତରମାନେ କୁହନ୍ତି ଯେ ଯଦି ଆପଣ ଠିକ୍ ଭାବରେ ପାଣି ପିଉନାହାନ୍ତି ଏବଂ ଶରୀରରେ ପାଣିର ଅଭାବ ଅଛି, ତେବେ ନିଦରୁ ଉଠିବା ପରେ ମୁହଁ ସାମାନ୍ୟ ଫୁଲିଥାଏ । ଏହା ସହ ଆଖି ତଳ ମଧ୍ୟ ଫୁଲିଥାଏ କିମ୍ବା ଚର୍ମ ଟାଣ ହୋଇଯାଇପାରେ।
ଏହି ପଦ୍ଧତି ମାଧ୍ୟମରେ ଜାଣିପାରିବେ ଶରୀରରେ ପାଣିର ଅଭାବ-
ପ୍ରଚୁର ପାଣି ପିଇବା ସତ୍ତ୍ୱେ ଶୋଷ ହେବା, ମୁଣ୍ଡବିନ୍ଧା ଏବଂ ଅତ୍ୟଧିକ ଥକାପଣ ଅନୁଭୂତ ହେବା, ମାଂସପେଶୀରେ ପ୍ରବଳ ଯନ୍ତ୍ରଣା ହେବା, ବାରମ୍ୱାର ଓଠ ଏବଂ ଜିଭ ଶୁଖିବା, ଶୀଘ୍ର ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ରକ୍ତଚାପ କମିବା ମଧ୍ୟ ଶରୀରରେ ପାଣିର ପରିମାଣ କମ୍ ଅଛି ବୋଲି ଦର୍ଶାଇଥାଏ ।