ଅନୁଗୁଳ,୨୯/୩(ବ୍ୟୁରୋ): ଅନୁଗୁଳ ସହରର ଛାତି ଉପରେ ଛିଡ଼ା ହୋଇଛି ସରକାରୀ ଏନ୍ଏସି ଉଚ୍ଚ ବିଦ୍ୟାଳୟ। ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନକୁ ୩୨ ବର୍ଷ ପୂରିଲାଣି। ମାତ୍ର ଏଯାବତ୍ ବିଦ୍ୟାଳୟର ଚତୁଃପାଶ୍ୱର୍ରେ ପାଚେରି ନାହିଁ। ଚାରିଆଡେ ମୁକୁଳା ପଡ଼ିଛି। ଗାଈଗୋରୁ ପଶୁଛନ୍ତି। ଫଳରେ କେବଳ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇନାହିଁ, ବରଂ ବିଦ୍ୟାଳୟର ଉପକରଣ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛି। କେବଳ ଏନ୍ଏସି ଉଚ୍ଚ ବିଦ୍ୟାଳୟ ନୁହଁ, ଜିଲ୍ଲାର ଏମିତି ୫୪ଟି ବିଦ୍ୟାଳୟରେ ପାଚେରୀ ନାହିଁ। ସରକାରୀ ଖାତାରେ ଏହି ସଂଖ୍ୟା ୫୪ ଥିବା ବେଳେ ବାସ୍ତବ ଚିତ୍ର ଅଧିକ ବୋଲି କୁହାଯାଉଛି।
ଜିଲ୍ଲାରେ ଥିବା ଅନେକ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଚାରିପାଖରେ ପାଚେରି ନାହିଁ। ସରକାର ୫-ଟି ରୂପାନ୍ତରଣରେ ଏହି ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ କରିଥିଲେ ହେଁ ପାଚେରି ନଥିବାରୁ ମୂଲ୍ୟବାନ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ହୋଇଛି। ସରକାରୀ ତଥ୍ୟ ମୁତାବକ, ଜିଲ୍ଲାରେ ମୋଟ୍ ୭୧୩ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ତନ୍ମଧ୍ୟରୁ ୪୧ଟି ବିଦ୍ୟାଳୟରେ ପାଚେରି ନାହିଁ। କେଉଁଠି ଗୋଟିଏ ପାଶ୍ୱର୍ରେ ପାଚେରି ଥିବା ବେଳେ ତିନି ପାଖ ମୁକୁଳା। ଆଉ କେଉଁଠି ଆଦୌ ପାଚେରୀ ନାହିଁ। ସେହିପରି ଜିଲ୍ଲାରେ ଥିବା ୫୧୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୩ଟି ବିଦ୍ୟାଳୟ ପାଚେରି ବିହୀନ। ଅପରପକ୍ଷରେ ଜିଲ୍ଲାର ସମସ୍ତ ୧୩୬ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଚେରୀ ରହିଛି। ୧୪ଟି ଯାକ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପାଚେରୀ ରହିଥିବା ବେଳେ ୯୮ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ଅନେକ ବିଦ୍ୟାଳୟର ପାଚେରି ନଥିବା ଅଭିଯୋଗ ହୋଇଛି।
ପାଚେରି ନଥିବା ଯୋଗୁ ବିଦ୍ୟାଳୟରେ ଫୁଲଗଛ ଟିଏ ମଧ୍ୟ ସୁରକ୍ଷିତ ରହୁନାହିଁ। ଗାଈଗୋରୁ ପଶି ସବୁ ଉଜାଡ଼ି ଦେଉଛନ୍ତି। ପାଚେରି ନଥିବାରୁ ବାହାର ଲୋକଙ୍କ ଅବାଧ ପ୍ରବେଶ ରହିଥିବା ବେଳେ ସଞ୍ଜ ହେଲେ ଅସମାଜିକ ଲୋକଙ୍କ ଆଡ୍ଡା ଜମୁଛି। ଏନେଇ ଜଣେ ପ୍ରଧାନ ଶିକ୍ଷକ କହିଛନ୍ତି, ପାଚେରୀ ନଥିବାରୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଫୁଲଗଛ ଲଗାଇ ବିଦ୍ୟାଳୟକୁ ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଇଚ୍ଛା ଥିଲେ ହେଁ ଗାଈଗୋରୁଙ୍କ ଅବାଧ ପ୍ରବେଶ ଯୋଗୁଁ ସମ୍ଭବ ହେଉନାହିଁ। ବିଦ୍ୟାଳୟରେ ଅନେକ ସମୟରେ ବାହାର ଲୋକ ପଶୁଛନ୍ତି। ସନ୍ଧ୍ୟାରେ ଅସମାଜିକ ଲୋକ ଭୋଜିଭାତ କରୁଛନ୍ତି। ଅନେକ ସମୟରେ ବିଦ୍ୟାଳୟର ଜିନିଷପତ୍ର ଚୋରି ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା ସେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୂପାନ୍ତରୀକରଣରେ ପ୍ରାୟ ସମସ୍ତ ଉଚ୍ଚ ବିଦ୍ୟାଳୟରେ ପାଚେରି ରହିଛି। ପାଚେରି ସମସ୍ୟା ଥିବା କିଛି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଥିବା ସେ ପ୍ରକାଶ କରିଛନ୍ତି।