ଅନୁଗୁଳ : ସାଇବର ଠକଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ବଅଁରପାଳ ଥାନା ଇଲାକା ଫୁଲପଡ଼ା ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଅନଲାଇନ୍ ଲୁଟେରା ଲିଙ୍କ୍ ଦେଇ ଯୁବକଙ୍କ ଆକାଉଣ୍ଟରୁ ୮୭ ହଜାର ୫୦୦ ଟଙ୍କା ଲୁଟି ନେଇଛି। ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି ।
ପୁଲିସ୍ ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ଫୁଲପଡ଼ା ଅଞ୍ଚଳର ଏସ୍. ଗଡ଼ନାୟକ । ଗତ ସୋମବାର ରାତି ସାଢ଼େ ୮ଟାରେ ତାଙ୍କ ମୋବାଇଲ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ଫୋନ୍ କରିଥିବା ଠକ ନିଜକୁ ଏସ୍ବିଆଇର ଅଧିକାରୀ ବୋଲି ପରିଚୟ ଦେଇଥିଲା । ତୁମ ଏସ୍ବିଆଇ କ୍ରେଡିଟ୍ କାର୍ଡ୍ରେ ଇନ୍ସ୍ୟୁରାନ୍ସ ସକ୍ରିୟ ହୋଇଯାଇଛି । ଏହାକୁ ବନ୍ଦ ନକଲେ ମାସକୁ ୧୪୦୦ ଟଙ୍କା ଲେଖାଏଁ କଟିବ ବୋଲି କହିଥିଲା ।
ପରେ ଅନଲାଇନ୍ ଲୁଟେରା ଶ୍ରୀ ଗଡ଼ନାୟକଙ୍କ ହ୍ୱାଟ୍ସଆପ୍କୁ ଏକ ଲିଙ୍କ୍ ପଠାଇଥିଲା । ଏହି ଲିଙ୍କ୍ ଜରିଆରେ ଇନ୍ସ୍ୟୁରାନ୍ସକୁ ବନ୍ଦ କରିବାକୁ କହିଥିଲା । ତା’ କଥାରେ ଭାସି ଯାଇ ଶ୍ରୀ ଗଡ଼ନାୟକ ଲିଙ୍କ୍ରେ କ୍ଲିକ୍ କରିଥିଲେ । ଫଳରେ ତାଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ୮୭ ହଜାର ୫୦୦ ଟଙ୍କା କଟି ଯାଇଥିବା ଏତଲାରେ ଦର୍ଶାଇଛନ୍ତି ।