ଜୟପୁର,୩୧/୩(ବ୍ୟୁରୋ): ବେଲଜିୟମରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ସିନେମା ‘ଚାରିକାନ୍ଥ’। ଏଥିଲାଗି ସେଠାକାର ଓଡିଶା କମ୍ୟୁନିଟି ଏବଂ ଚାରିକାନ୍ଥ ସିନେମା ପ୍ରସ୍ତୁତ କରିଥିବା ଟିମ୍ର ମିଳିତ ଉଦ୍ୟମ ରହିଥିଲା। ବେଲଜିୟମ୍ ଇତିହାସରେ ପ୍ରଥମ ଓଡ଼ିଆ ସିନେମା ପ୍ରଦର୍ଶିତ ହୋଇଥିବା କହିଛନ୍ତି ସିନେ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଜୟପୁରର ବିଶ୍ୱନାଥ ରଥ। ଶ୍ରୀ ରଥ କହିଛନ୍ତି, ବେଲଜିୟମରେ ଓଡ଼ିଆ ସିନେମା ପ୍ରଦର୍ଶିତ କରିବାକୁ ଉତ୍ସାହ ଦେଖାଇଥିଲେ ସେଠାକାର ଓଡ଼ିଆ କଲଚରାଲ ଆସୋସିଏସନ। ସେମାନଙ୍କ ଅନୁରୋଧରେ ପୁରସ୍କାରପ୍ରାପ୍ତ ସିନେମା ପ୍ରଯୋଜକ ଅତୀଶ କୁମାର ରାଉତ ଓ ସେ(ବିଶ୍ୱନାଥ) ଉଦ୍ୟମ କରିଥିଲେ। ମାର୍ଚ୍ଚ ୨୫ ତାରିଖରେ ବେଲଜିୟମର ରାଜଧାନୀ ବ୍ରୁସେଲରେ ପ୍ରଦର୍ଶିତ ହୋଇଥିଲା ‘ଚାରିକାନ୍ଥ’।
ସିନେମାର ରଚନା ଏବଂ ନିର୍ଦ୍ଦେଶକ ହେଉଛନ୍ତି ସେ ନିଜେ। ଅତୀଶ ଏହାର ପ୍ରଯୋଜକ ରହିଛନ୍ତି। ହରୀଶ ସେଠୀ ମୁଖ୍ୟ ସହନିର୍ଦ୍ଦେଶକ, ଲିଙ୍ଗରାଜ କୁମ୍ଭାର ଫଟୋଗ୍ରାଫି ନିର୍ଦ୍ଦେଶକ, ଦିଲେଶ୍ୱର ପ୍ରଧାନ ଅଡିଓଗ୍ରାଫି ନିର୍ଦ୍ଦେଶକ ରହିଥିବା ବେଳେ ସିନେମା ଏଡିଟ କରିଛନ୍ତି ବୀରକୁମାର ନନ୍ଦ। ଏଥିରେ ଅଭିନୟ କରିଛନ୍ତି ଶକ୍ତି ବରାଳ, ସୁଶୀଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା ଓ ପ୍ରଭଞ୍ଜନ ମିଶ୍ର।