କାକିରିଗୁମା : ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗରେ ଗତ ୧ ବର୍ଷ ହେଲାଣି କୌଣସି ଅଧିକାରୀ ନାହାନ୍ତି। କନିଷ୍ଠ ଯନ୍ତ୍ରୀ ରମେଶଚନ୍ଦ୍ର ନାୟକଙ୍କ ରାୟଗଡ଼ାକୁ ବଦଳି ପରେ କାହାକୁ ଏଠାରେ ନିଯୁକ୍ତି ଦିଆଯାଇ ନାହିଁ। ବର୍ତ୍ତମାନ ବନ୍ଧୁଗାଁ ବ୍ଲକ କନିଷ୍ଠଯନ୍ତ୍ରୀ ସୁନୀଲ କୁମାର ବେହେରାଙ୍କୁ ଏହି ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ କାଁଭାଁ ଆସି ସାଇଟ୍ ପରିଦର୍ଶନ କରି ଫେରି ଯାଉଛନ୍ତି। ଅନ୍ୟପକ୍ଷେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ସମସ୍ତ କାମ ଚାଲିଛି । କର୍ମଚାରୀ ଜଣଙ୍କ ଆବଶ୍ୟକ ପଡ଼ିଲେ ଉନ୍ନୟନ କାମର ତଦାରଖ ମଧ୍ୟ କରୁଥିବା ନାମ ଗୋପନ ସର୍ତ୍ତରେ ଜଣେ ସରପଞ୍ଚ କହିଛନ୍ତି।
ଅନ୍ୟପକ୍ଷେ କେହି ଅଧିକାରୀ ନଥିବାରୁ ଅନେକ ଉନ୍ନୟନମୂଳକ କାମ ବାଧା ପ୍ରାପ୍ତ ହେଉଛି। କାକିରିଗୁମ୍ମା ନିକଟ ଭିତରଗଡ଼ ପଞ୍ଚାୟତ କାପସିପୁଟ ରାସ୍ତା ଦୀର୍ଘ ବର୍ଷରୁ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଯଦ୍ୱାରା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁରୂପ ଭାବେ ତୁନପାର ପଞ୍ଚାୟତ ସର୍ଗିଗୁଡା ରାସ୍ତା କାମ ଚାଲିଛି। କୌଣସି ଅଧିକାରୀ ନଥିବାରୁ ତଦାରଖ ହୋଇପାରୁ ନାହିଁ।
ମୁରବୀ ନଥିବାରୁ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ଏହି ୨ଟି ରାସ୍ତା ନୁହେଁ, ମୌଳକଣା-କେଲାର ରାସ୍ତା କାମ ଚାଲିଥିବା ବେଳେ ତଦାରଖ ହୋଇ ପାରୁନି। ଏହି ରାସ୍ତାରେ ବଡ଼ ବ୍ରିଜ, କଲଭର୍ଟ ନିର୍ମାଣ ଚାଲିଛି। ତଦାରଖ ପାଇଁ କେହି ଆସୁ ନଥିବାରୁ ଏଠାରେ ମଧ୍ୟ ଠିକାଦାର ମନଇଚ୍ଛା କାମ ଚଳାଇଛନ୍ତି।
ଲୋକଙ୍କ ଗମନାଗମନ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ତଦାରଖ ଅଭାବରୁ କାମର ଗୁଣାତ୍ମକ ମାନକୁ ନେଇ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ଅତିଶୀଘ୍ର ପୂର୍ତ୍ତ ବିଭାଗର ଖାଲି ପଦବି ପୂରଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।