ଦଶମନ୍ତପୁର,୩୦/୩ : ପୁରୁଷ ପୁରୁଷ ଧରି ଜଙ୍ଗଲ ଜମିରେ ପୋଡ଼ୁଚାଷ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ବନବାସୀ । ଏବେ ଉକ୍ତ ଜମି ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବନ ବିଭାଗ । ଯାହାକି ବନବାସୀଙ୍କ ଚିନ୍ତା ବଢ଼ାଇଛି । ଚଣାବାଡ଼ ପଞ୍ଚାୟତର ବି.ନୂଆଁଗୁଡ଼ାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମବାସୀ କହିଛନ୍ତି, ତତ୍କାଳୀନ ଜିଲ୍ଲାପାଳ ଅପରଜିତା ଷଡ଼ଙ୍ଗି ଏହି ଗାଁକୁ ଯାଇଥିଲେ । ଲୋକଙ୍କ ବସବାସ ଲାଗି ଆବାସ ଘର ଏବଂ ଚାଷ କରିବା ପାଇଁ ଜମି ଯୋଗାଇ ଦେଇଥିଲେ । ଏହି ଗାଁରେ ବର୍ତ୍ତମାନ ୧୭ ପରିବାର ଆଦିବାସୀ, କନ୍ଧ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଜନସଂଖ୍ୟା ପାଖାପାଖି ଶହେରୁ ଅଧିକ ହେବେ । ପୋଡ଼ୁ ଚାଷ କରି ସେମାନେ ଜୀବନ ନିର୍ବାହ କରୁଛନ୍ତି । ଏହି ଜଙ୍ଗଲ ଜମି ଛାଡ଼ିଦେଲେ ତାଙ୍କ ପାଖରେ ଅନ୍ୟକୌଣସି ଚାଷ ଜମି ନାହିଁ ।
ଚାଷ ଜମି ଯୋଗାଇ ଦିଆଗଲେ ଜଙ୍ଗଲ ଜମି ଛାଡ଼ିବେ । ନହେଲେ ଆନ୍ଦୋଳନ କରିବେ ବୋଲି ଗାଁର ସୁରେଶ ଦିଶାରୀ, କିଶୋର ଦିଶାରୀ, ବିସିଙ୍ଗ ଦିଶାରୀ, ମଙ୍ଗଳୁ ଜାନୀ, ସାହେବ ଦିଶାରୀଙ୍କ ସମେତ ଅନ୍ୟମାନେ ଚେତାବନୀ ଦେଇଛନ୍ତି । ଜଙ୍ଗଲ ଜମି ଛାଡ଼ି ପିଲାଛୁଆଙ୍କୁ ନେଇ କୁଆଡ଼େ ଯିବେ, କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଲକ୍ଷ୍ମୀପୁର ରେଞ୍ଜର କୁମାର ଖରାଙ୍କୁ ପଚାରିବାରୁ କହିଛନ୍ତି, ନାଲ୍କୋ ଅନୁଦାନରେ ଚାରାରୋପଣ ପାଇଁ କାର୍ଯ୍ୟକ୍ରମ ଚାଲିଛି । ଗାଁ ଲୋକଙ୍କୁ ୯୦ ଏକର ଜମି ଦିଆଯାଇଛି । ସେଥିରୁ ମାତ୍ର ୧୫ ହେକ୍ଟର ଜମିରେ ଚାରା ରୋପଣ କରାଯିବ । ଏଥିରେ ସେମାନଙ୍କୁ ମଧ୍ୟ କାମ କରିବା ଲାଗି ସାମିଲ୍ କରାଯିବ । ଜମିରେ, ଆମ୍ବ, ପଣସ, ପିଜୁଳି, ତେନ୍ତୁଳି ଚାରା ଲଗାଯିବ ।