କଟକ, ୧/୪ : କଟକଠାରେ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇଥିଲେ । ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି ।
ପ୍ରତିଷ୍ଠା ଦିବସ ମହାସମାରୋହରେ ଡିଜିପି ଶ୍ରୀ ଖୁରାନିଆ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡିଶା ପ୍ରଦେଶ ଗଠନ ସହ ଓଡିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ୯୦ବର୍ଷର ଅତିକ୍ରମ ପଥରେ ଓଡିଶା ପୋଲିସ ବିଭିନ୍ନ ସମୟରେ ସମସ୍ଯା ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରତ୍ଯେକଥର ସଫଳତାର ସହିତ ସମସ୍ତ ସମସ୍ୟାର ମୁକାବିଲା କରି ଲୋକମାନଙ୍କୁ ନିରନ୍ତର ସେବା ପ୍ରଦାନ କରିବାରେ ସଫଳ ହୋଇଛୁ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି । ଏହି ଅବସରରେ ଡିଜିପି ମାଓବାଦୀ ଦମନ କ୍ଷେତ୍ରରେ ଓଡିଶା ପୋଲିସର ଦଳଗତ ସଫଳତା ପାଇଁ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ। ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡିଶା ପୋଲିସ ଉଚ୍ଚକୋଟିର ଦକ୍ଷତା ପ୍ରଦର୍ଶନ କରିଛି ବୋଲି ମତବ୍ୟକ୍ତ କରିଥିଲେ।
ନିଶାଦ୍ରବ୍ଯ ଚୋରା ଚାଲାଣ ବିରୋଧରେ ରାଜ୍ୟ ପୋଲିସ କଠୋର ପଦକ୍ଷେପ ନେଉଛି । ୨୦୨୫ ମସିହା ମାର୍ଚ୍ଚ ୩୧ ପର୍ଯ୍ଯନ୍ତ ୨୮୦ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୬ ହଜାର ୫ ଶହ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯିବା ସହ ୩୩୫ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଉପାନ୍ତ ଅଞ୍ଚଳରେ ଗଞ୍ଜେଇ ଚାଷକୁ ରୋକିବା ପାଇଁ ମଧ୍ୟ ରାଜ୍ୟ ପୋଲିସ ସ୍ଵତନ୍ତ୍ର ଅଭିଯାନ ଜାରି ରଖିଛି । ଚଳିତ ବର୍ଷ ରେକର୍ଡ ପରିମାଣର ୩୦ହଜାରରୁ ଅଧିକ ଏକର ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି ବୋଲି ଡିଜିପି କହିଥିଲେ। ସେହିପରି ସାରା ରାଜ୍ୟରେ ବାଲି ମାଫିଆଙ୍କ ବିରୁଦ୍ଧରେ ୧୪ଶହରୁ ଅଧିକ ମାମଲା ରୁଜୁ କରାଯାଇଥିବାବେଳେ ୧୭ଶହରୁ ଅଧିକ ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ଟିପ୍ପର ଓ ହାଇୱା ଜବତ କରାଯାଇଛି। ଏହାସହ ୭୫୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ ।
ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଥାନା ଗୁଡିକୁ ଅଧିକ କ୍ରିୟାଶୀଳ ଏବଂ ପୋଲିସକୁ ଆହୁରି ଲୋକାଭିମୁଖୀ କରିବାକୁ ସମସ୍ତ ଥାନାଗୁଡିକୁ ଅତିରିକ୍ତ ଯାନ ହିସାବରେ ଦ୍ରୁତ ଗାମୀ ସ୍କର୍ପିଓ ଗାଡି, ପ୍ରତ୍ଯେକ ତଦନ୍ତକାରୀ ଅଧିକାରୀଙ୍କୁ ବୁଲେଟ ମଟର ସାଇକେଲ, ମହିଳା ତଦନ୍ତକାରୀ ଅଧିକାରୀଙ୍କୁ ସ୍କୁଟି ଏବଂ ଅତ୍ୟାଧୁନିକ ଲାପଟପ, ସ୍ମାର୍ଟ ଫୋନ୍ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ। ରାଜ୍ୟ ପୋଲିସ ବିଭାଗରେ SI, ASI ଏବଂ Constable ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ନିଯୁକ୍ତି ପ୍ରକ୍ରିୟାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ। Cyber Crime, Economic offence ଭଳି ଅନେକ ନୂଆ ନୂଆ ସମସ୍ଯା ପୋଲିସ ପାଇଁ challenge ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ରୋକିବାରେ ରାଜ୍ୟ ପୋଲିସ ସଫଳ ହୋଇଛି ବୋଲି ସେ କହିଥିଲେ।
ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର ପାଠ କରିଥିଲେ । ଡିଜିପି ଶ୍ରୀ ଖୁରାନିଆ ଦେଶର ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ପାଟପୁର ଥାନାର ଇନ୍ସପେକ୍ଟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ, ଏସଡିପିଓ ପ୍ରଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଡିଏସପି ମାନସ ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଥିଲା।
ଏହାପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଓଏସଏପି ଷଷ୍ଠ ବାଟାଲିୟନ, କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ଓଏସଏପି ଷଷ୍ଠ ବାଟାଲିୟନ, କଟକ (ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲ।। ଆଜିର ଆନୁଷ୍ଠାନିକ ପ୍ୟାରେଡରେ SOG, ଚନ୍ଦକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ O.S.A.F ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ ଖୁରାନିଆଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଆଜିର ଏହି ଆନୁଷ୍ଠାନିକ ପରେଡରେ SOG, OSAP, IRB , UPD Cuttack (APR Women), UPD Cuttack (APR Men)/ Traffic Constable, UPD Cuttack, O.D.R.A.F, O.I.S.F, O.S.A.F ଓ Fire Serviceଙ୍କୁ ନେଇ ସର୍ବମୋଟ ଦଶଟି (୧୦)ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହାପରେ କଟକସ୍ଥିତ ଆର.କେ ପାଢୀ ମେମୋରିଆଲ ହଲଠାରେ ୫୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା। ଏସଓଜି ର ୧୯ ଜଣ, ସ୍ପେଶାଲ ବ୍ରାଞ୍ଚ ର ୦୭ ଜଣଙ୍କ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ସେବା ନିବୃତ୍ତ ଅଧିକାରୀ ପୋଲିସ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।