ଭୁବନେଶ୍ବର,୦୨/୦୪: ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ (ସିଏମ୍ଏସଡିଏଫ୍) ଲାଗି ମିଳିଲେନି ଓଡ଼ିଆ ପିଲା । ମାସକୁ ୬୦ ହଜାର ଷ୍ଟାଇପେଣ୍ଡ ସହ ୩୯ଟି ସ୍ଥାନରେ ୨୫ ଜଣ ଅଣଓଡ଼ିଆଙ୍କୁ ମିଳିଛି ଫେଲୋସିପ୍ ଲାଗି ସୁଯୋଗ । ନବୀନ ସରକାର ଅମଳରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ନୂଆ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୧୬ରେ ଉଦଘାଟନ କରିଥିଲେ । ତେବେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଜୋର ଧରିଥିଲାବେଳେ କାହିଁକି ଓଡ଼ିଆ ଯୁବକଯୁବତୀଙ୍କୁ ସିଏମ୍ ଫେଲୋସିପ୍ରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ ଉଠିଛି । ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ସିଏମ୍ଏସଡିଏଫ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଭାଗର ସ୍କିଲଡ୍-ଇନ୍-ଓଡ଼ିଶା ଅଭିଯାନରେ ସାମିଲ କରି ରାଜ୍ୟର ଯୁବପିଢିଙ୍କୁ ଏକ ସୁଯୋଗ ଦେବା, ରାଜ୍ୟର ସବୁ ଜିଲ୍ଲାରେ ‘ଜିଲ୍ଲା ଦକ୍ଷତା ବିକାଶ ମିଶନ’କୁ ସୁଦୃଢ କରିବା ଏବଂ ସରକାରଙ୍କ ସମସ୍ତ ଯୋଜନା, ନୀତି ସମ୍ପର୍କରେ ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ସ୍ଥାନୀୟ ଭାଷା ଜ୍ଞାନ ଏବଂ ଦକ୍ଷତା କ୍ଷେତ୍ରରେ ପୂର୍ବ ଅନୁଭୂତିକୁ ଫେଲୋ ଚୟନ ମାନଦଣ୍ଡରେ ରଖାଯାଇଥିଲା ।
କିନ୍ତୁ ଏଥିରେ ୩୯ଟି ସ୍ଥାନରେ ମାତ୍ର ୧୪ଜଣ ଓଡ଼ିଆ ପିଲାଙ୍କୁ ସୁଯୋଗ ମିଳିଛି । ଅବଶିଷ୍ଟ ୨୫ ଜଣ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ବିହାର ଆଦି ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ମାସକୁ ୬୦ ହଜାର ଷ୍ଟାଇପେଣ୍ଡ ଏବଂ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି ପିଲାମାନଙ୍କୁ ୨ ବର୍ଷର ସମୟ ଅବଧି ଲାଗି ଏହି ସୁଯୋଗ ଦିଆଯାଇଛି । ନବୀନ ସରକାରଙ୍କ ଅମଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ପରେ ମୋହନ ସରକାରଙ୍କ ଅମଳରେ ୨୦୨୪ ଜୁଲାଇ ୧୫ରେ ଏହି ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିଥିଲା । ତେବେ ୧୬ ଜୁଲାଇରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ପ୍ରଥମ କୌଶଳ ଭବନ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଫେଲୋସିପ୍ ଯୋଜନା ଉନ୍ମୋଚନ କରିଥିଲେ । ସେବେଠାରୁ ୩୯ ଜଣ ଫେଲୋ ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀଙ୍କ ଅଧୀନରେ କାମ କରୁଛନ୍ତି । ସୂଚନା ଥାଉ କି, ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ କହିବା ହେଲା, କେନ୍ଦ୍ର ସରକାରଙ୍କ ପିଏମ୍ ରୁରାଲ ଡେଭଲେପମେଣ୍ଟ ଫେଲୋସିପ୍ (ପିଏମ୍ଆରଡିଏଫ୍) ଏବଂ ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋସିପ୍ (ଏମଜିଏନଏଫ୍)ର ପଦାନୁସରଣରେ ହିଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ ଆରମ୍ଭ କରାଯାଇଥିଲା । ପ୍ରଶିକ୍ଷଣଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ପର୍ଯ୍ୟନ୍ତ ଏହାର ସମସ୍ତ ଦାୟିତ୍ୱ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ (ଆଇଏସ୍ବି) ତୁଲାଇଥିଲା । ଯାହା ଯାହା ପ୍ରକ୍ରିୟା ପିଏମ୍ଆରଡିଏଫ୍ ଏବଂ ଏମଜିଏନଏଫ୍ରେ ହୋଇଥିଲା, ତାହାକୁ ଅନୁକରଣ କରି ସିଏମ୍ଏସଡିଏଫ୍ ହୋଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି ।
ଅନ୍ୟପଟେ ଜଣେ ଅଣଓଡିଆ ଫେଲୋଙ୍କୁ ସ୍ଥାନୀୟ ଭାଷାଜ୍ଞାନ ନଥିବାରୁ କାମରେ ଅସୁବିଧା ହେଉନାହିଁ କି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ, ପ୍ରଥମେ ପ୍ରଥମେ ଆମ ସମସ୍ତଙ୍କୁ ଅସୁବିଧା ହେଉଥିଲା । ଧୀରେ ଧୀରେ ଅଭ୍ୟାସ ହେଇଗଲାଣି । ଆମେ ସେମାନଙ୍କ କଥା ନ ବୁଝି ପାରିଲେ, ଆମର କେହି ଓଡିଆ ସହକର୍ମୀ ଅନୁବାଦ କରି ଆମକୁ ବୁଝାଇ ଦେଉଛନ୍ତି । ଏମିତି କାମ ଚଳିଯାଉଛି । ଉଲ୍ଲେଖଯୋଗ୍ୟ, ଏମଜିଏନ୍ଏଫ୍ ବା ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋସିପ୍ ଆଇଆଇଏମ୍, ବେଙ୍ଗାଲୁରୁ ପରିଚାଳନା କରୁଥିଲା । ଏହା ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଥିଲା । ଏଥିରେ ଓଡ଼ିଶାରେ ଓଡ଼ିଆ ପିଲାଙ୍କୁ ହିଁ ସୁଯୋଗ ଦିଆଯାଇଥିଲା । ୨୯ଜଣ ଓଡ଼ିଆ ପିଲା ଏହି ଜାତୀୟ ସ୍ତରର ଫେଲୋସିପ୍ର ସୁଯୋଗ ପାଇଥିଲେ । କିନ୍ତୁ ଏହାକୁ ଅନୁକରଣ କରି ଯେବେ ନବୀନ ସରକାର ସିଏମ୍ ଫେଲୋସିପ୍ ଆଣିଲେ ରାଜ୍ୟର ସ୍କିମ୍କୁ ଜାତୀୟ ସ୍ତରୀୟ କରିଦେଲେ । ଏମଜିଏନଏଫ୍ରେ ଥିଲା ଯେଉଁ ରାଜ୍ୟ ପାଇଁ ସେହି ରାଜ୍ୟର ପିଲା । କିନ୍ତୁ ସିଏମ୍ଏସଡିଏଫ୍ ଲାଗି ରାଜ୍ୟ ସରକାର କରିଦେଲେ ସବୁ ରାଜ୍ୟ ପାଇଁ ଓଡ଼ିଶା ଦ୍ୱାର ଖୋଲା । ଯଦି ୩୯ ଜଣ ଓଡ଼ିଆ ପିଲାଙ୍କୁ ଏହି ସୁଯୋଗ ମିଳିଥାନ୍ତା, ସେମାନେ ଏହି ଫେଲୋସିପ୍ ଜରିଆରେ ମାସିକ ୨୩ ଲକ୍ଷ ୪୦ ହଜାର ଏବଂ ବାର୍ଷିକ ୨ କୋଟି ୮୦ ହଜାର ଟଙ୍କା ଷ୍ଟାଇପେଣ୍ଡ୍ ପାଇଥାନ୍ତେ।