ଭୁବନେଶ୍ୱର, ୦୩/୦୪: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ହେବ ପୁନଃ ସାକ୍ଷ୍ୟଗ୍ରହଣ। ଏଡିଜେ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ ମେହେର। ଆଜି ପୁନଃ ସାକ୍ଷ୍ୟଗ୍ରହଣ କରାଯିବ। ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ତାଙ୍କ ବୟାନ ରେକର୍ଡ କରାଯାଇଛି।
ସୂଚନା ମୁତାବକ, ୨୦୧୮ ଫେବ୍ରୁଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପାଟଣାଗଡ଼ ଜବାହରଲାଲ କଲେଜର ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁଙ୍କ ଏକମାତ୍ର ପୁଅ ସୌମ୍ୟଶେଖର ସାହୁଙ୍କ ବିବାହରେ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା । ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା ।