ଜୟପୁର,୩୦/୩ : କାମ ଆରମ୍ଭର ଅଢେଇ ବର୍ଷ ବିତିଯାଇଛି । କାର୍ଯ୍ୟକ୍ଷମ ହେଉନି ସ୍ଥାନୀୟ ସତୀଗୁଡା ଡ୍ୟାମରେ ନିର୍ମିତ ଇନ୍ଟେକ୍ ୱେଲ୍ । ଇନଟେକ୍ ୱେଲ୍ର ସିଭିଲ୍ କାମ ଶେଷ ହୋଇଯାଇଛି । ବିଦ୍ୟୁତ ସଂଯୋଗ ଲାଗି ଖୁଣ୍ଟ ପୋତା ହେଇଛି । ତାର ଟଣା ଓ ଟ୍ରାନ୍ସଫର୍ମର ବସାଯାଇନି । ଯାହା ଫଳରେ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଇନ୍ଟେକ୍ ୱେଲ୍ କାର୍ଯ୍ୟକ୍ଷମ ହୋଇପାରୁନି । ବିଦ୍ୟୁତ ବ୍ୟବସ୍ଥାରେ ବିଳମ୍ବ ଯୋଗୁ କାର୍ଯ୍ୟକ୍ଷମ ହେଉ ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ବିଚିତ୍ରାନନ୍ଦ ବେହେରା । ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି । ଅପରକୋଲାବ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ପରେ ସତୀଗୁଡା ଡ୍ୟାମରେ ପାଣି ଗଚ୍ଛିତ ରଖାଯାଉଛି । ଡ୍ୟାମରେ ଗଚ୍ଛିତ ପାଣି ମୋଟର ଦ୍ୱାରା ଉଠାଇ ବିଶୋଧନାଗାରାକୁ ପଠାଯାଉଛି । ପାଣି ବିଶୋଧନ ହେବା ପରେ ସହରବାସୀଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଇ ଦିଆଯାଉଛି । ସତୀଗୁଡାରେ ପାଣି ଗଚ୍ଛିତ ରହିଲେ ଯୋଗାଣରେ କୌଣସି ସମସ୍ୟା ହେଉନି । କୌଣସି କାରଣରୁ ବିଦ୍ୟୁତ ଉତ୍ପାଦନ ନହେଲେ, ଡ୍ୟାମ୍ରେ ପାଣି କମିଗଲେ ସମସ୍ୟା ହେଉଛି ।
ଏହି ସମସ୍ୟା ଦୂର କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା କରାଯାଇଛି । ଏଥିଲାଗି ନାକଟିଡଙ୍ଗରର ଦକ୍ଷିଣ ଦିଗରେ ସତୀଗୁଡା ଡ୍ୟାମରେ ଇନଟାକ୍ ୱେଲ୍ ନିର୍ମାଣ କରାଯାଇଛି । ଇନଟାକ୍ ନିର୍ମାଣ ଓ ୪୦୦ ମିଟର ମୋଟା ପାଇପ ପିଛାଇବାକୁ ୪.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅଢେଇ ବର୍ଷ ତଳେ ଇନଟେକ ୱେଲ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବର୍ଷେ ମଧ୍ୟରେ ନିର୍ମାଣ କାମ ଶେଷ କରିବାକୁ ବିଭାଗ ସହ ଚୁକ୍ତି କରିଥିଲା ଠିକାସଂସ୍ଥା । ସିଭିଲ କାମ ସହ ରଙ୍ଗଦିଆ ସରିଗଲାଣି । ୧୧ କେଭି ବିଦ୍ୟୁତ ସଂଯୋଗ ଲାଗି ଶୁକୁଆଗୁଡାରୁ ଇନ୍ଟେକ୍ ୱେଲ୍ ପର୍ଯ୍ୟନ୍ତ ଖୁଣ୍ଟ ପୋତା ସରିଛି । ଟ୍ରାନ୍ସଫର୍ମର ବସାଇବା ଲାଗି ବ୍ୟବସ୍ଥା ହୋଇଛି । ଖୁଣ୍ଟ ପୋତା ଶେଷ ହୋଇଥିଲେ ମଧ୍ୟ ତାର ଟଣାଯାଇନି ।
ଫଳରେ ମୋଟର ଏ ପର୍ଯ୍ୟନ୍ତ ବସାଯାଇନି । ବିଦ୍ୟୁତ କାମ ଶେଷ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀ ବେହେରା । ଶ୍ରୀ ବେହେରା କହିଛନ୍ତି, ଇନ୍ଟେକ୍ ୱେଲ କାର୍ଯ୍ୟକ୍ଷମ ହେଲେ ଜଳଭଣ୍ଡାରରେ ପାଣି କମ ରହିଲେ ମଧ୍ୟ ଯୋଗାଣରେ ଆଉ ସମସ୍ୟା ହେବ ନାହିଁ ।