କୋରାପୁଟ,୩୧/୩: କାମ ସରିନି ଫାଟ ସୃଷ୍ଟି ହୋଇଛି । ଅତ୍ୟନ୍ତ ନିମ୍ନମାନର କାମ କରାଯାଇଛି । ଯେଉଁଥିପାଇଁ କାମ ସରିବା ଆଗରୁ ବକ୍ସ ବ୍ରିଜ୍ ଓ ଗାର୍ଡୱାଲରେ ଫାଟ ସୃଷ୍ଟି ହୋଇଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ୍ ବି.ସିଂହପୁର ଟିଙ୍ଗରିଗୁଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାମରେ । ନିମ୍ନମାନର କାମ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ତ୍ତ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ତଥାପି କୌଣସି ସୁଫଳ ମିିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ତ୍ତ ବିଭାଗ ପକ୍ଷରୁ ବୋରିଗୁମ୍ମା ବ୍ଲକର ବି.ସିଂହପୁର ରାଣୀଗଡ଼ ରାସ୍ତାର ଟିଙ୍ଗରୀଗୁଡା ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତାରେ ଏକ ବକ୍ସ ବ୍ରିଜ ସାଙ୍ଗକୁ ରାସ୍ତାପାଶ୍ୱ ର୍ରେ ପ୍ରାୟ ୬ କିଲୋମିଟର ଗାର୍ଡୱାଲ ନିର୍ମାଣ କରାଯାଇଛି । କାମ ଠିକ ଭାବେ କରାଯାଇନଥିବାରୁ ଏହି ରାସ୍ତାର ମେର୍ଦାମାଳ ନିକଟରେ ବକ୍ସ ବ୍ରିଜ କାମରେ କଂକ୍ରିଟ୍ ଖସି ପଡୁଛି । ଗାର୍ଡୱାଲ ଏକାଧିକ ସ୍ଥାନରେ ଫାଟି ଆଁ କରିଛି ।
ନିର୍ମାଣ କାମରେ ବ୍ୟବହାର କରାଯାଉଥିବା କଂକ୍ରିଟ ଲ୍ୟାବ୍ରେ ଟେଷ୍ଟ କରିବା ବଦଳରେ ନିଜେ ମିଶ୍ରଣ କରି ତାହାକୁ ପରୀକ୍ଷା ପାଇଁ ପଠାଯାଉଛି । କୋଟି କୋଟି ଟଙ୍କାର ଏହି ରାସ୍ତା କାମକୁ ବିଭାଗ ତରଫରୁ ଉପଯୁକ୍ତ ତଦାରଖ କରାଯାଉ ନଥିବାରୁ ଏଭଳି ନିମ୍ନମାନର କରାଯାଇଛି । ସବୁଠାରୁ ବଡ଼କଥା ହେଲା, ନିର୍ମାଣ କାମରେ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ନିୟୋଜିତ କରାଯାଇ ନଯାଇ ବାହାର ଶ୍ରମିକଙ୍କ ଦ୍ୱାରା ଏଭଳି ବେଆଇନ କାର୍ଯ୍ୟ କରାଯାଉଛି । ବିଭାଗ ନିକଟରେ ଅଭିଯୋଗ ପରେ ବି କୌଣସି ସୁଫଳ ନମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ସେମାନେ ଦୁଃଖ ଜଣାଇବେ ବୋଲି ରଣସପୁର ପଞ୍ଚାୟତର ଅନନ୍ତ ନାରାୟଣ ନାୟକ, ବୁଲୁ ପରଜା, ଦେବ ଗୌଡ଼, ସୋନୁ ହରିଜନ, ପବିତ୍ର କୁଳଦୀପ, ନାଇନା ମାଛୁ, ଡମ୍ବରୁ ହରିଜନ, କମ ପେଣ୍ଟିଆ ପ୍ରମୁଖ କହିଛନ୍ତି । ଏ ସମ୍ପର୍କରେ ଆମେ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ପଚାରିବାରୁ କହିଛନ୍ତି, କିଛିଦିନ ତଳେ ଅଭିଯୋଗ ଆସିଥିଲା । ଏସ୍ଡିଓଙ୍କୁ ସେଠାରେ ପଠାଇ ତଦନ୍ତ କରାଯାଇଥିଲା । କାମ ଠିକ୍ ଥିବା ସେ ରିପୋର୍ଟ ଦେଇଛନ୍ତି । ଏହାପରେ ବି ଗ୍ରାମବାସୀ ଯଦି ସନ୍ତୁଷ୍ଟ ନୁହନ୍ତି, ତେବେ ସେ ନିଜେ ଯାଇ ନିର୍ମାଣାଧୀନ କାମର ତଦନ୍ତ କରିବେ ।