ପାରଳାଖେମୁଣ୍ଡି,୩୧/୦୩: କିଛି ଦିନ ହେଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ କାଶୀନଗର ବନାଞ୍ଚଳରେ ୪ ଟିକିଆ ହାତୀପଲ ଫସଲ ନଷ୍ଟ କରୁଛନ୍ତି । ଏପରିକି ଗାଁ ନିକଟକୁ ଆସୁଥିବାରୁ ଗ୍ରାମବାସୀ ଭୟଭୀତ ରହିଛନ୍ତି । ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରେ ବିଦ୍ୟୁତ କାଟ କରାଯାଉଛି । ଗରମ ଗୁଳୁଗୁଳିରେ ଶୋଇ ପାରୁ ନାହାନ୍ତି ଗ୍ରାମବାସୀ । ପୁରୁଟିଗୁଡ଼ା, ଖାଣ୍ଡବା, ସାରା, ବାଡ଼ିଗାଁ, ସିଆଳି, କରଣୀଭଦ୍ରା, ଜାଇଗୁଡା, ଆଦର୍ଶ ନଗର ଆଦି ଗ୍ରାମାଞ୍ଚଳରେ ପନିପରିବା ସହ ତରଭୁଜ, କଦଳୀ ଆଦି ପ୍ରଚୁର ପରିମାଣର ଚାଷ ହୋଇଛି । ଅମଳ ସମୟରେ ହାତୀ ଉପଦ୍ରବ ଦେଖିବାକୁ ମଳିଛି । ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଜନବସତି ମୁହାଁ ହେଉଛନ୍ତି ହାତୀ। ଖରାଦିନରେ ଜଙ୍ଗଲରେ ପତ୍ରଝଡ଼ା ଯୋଗୁଁ ଡାଳପତ୍ର ନାହିଁ । ସେଥିରେ ପୁଣି ଜଙ୍ଗଲରେ ପାଣି ପିଇବାକୁ ନାହିଁ । ସେଥିପାଇଁ ବଂଶଧାରା ନଦୀକୂଳକୁ ଆସିଥାନ୍ତି ହାତୀପଲ।
ଏପଟେ ପନିପରିବା ଅମଳ ସମୟ ଫଳରେ ଖାଇବାକୁ ଯଥେଷ୍ଟ ମିଳୁଛି । ହାତୀ ଉପଦ୍ରବକୁ ନେଇ ଉଭୟ ବନ ବିଭାଗ ଓ ଜନସାଧାରଣ ଚିନ୍ତିତ ରହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀପଲ ବୁଲୁଥିବା ଅଞ୍ଚଳର ଲୋକଙ୍କୁ ସତର୍କ କରାଇବା ସହିତ ସଂପୃକ୍ତ ଅଞ୍ଚଳ ବିଦ୍ୟୁତ୍ କାଟ କରାଯାଉଛି । ଏନେଇ ଗରମରେ ହଇରାଣ ହେଉଥିବା ସହିତ ଭୟରେ ବାହାରକୁ ଯାତାୟାତ କରିପାରୁ ନାହାନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ ଅନୁକମ୍ପା ରାଶି ମିଳିବ, ସେଥିପାଇଁ ରାଜସ୍ୱ ବିଭାଗ ସହାୟତାରେ ହାତୀଙ୍କ ଦ୍ୱାରା ନଷ୍ଟ ହେଉଥିବା ଫସଲର ଆକଳନ କରାଯାଉଛି ବୋଲି କାଶିନଗର ବନାଞ୍ଚଳ ଅଧିକାରୀ ସୁଧିର ବେହେରା କହିଛନ୍ତି ।