ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଅନୁଗୁଳରେ ବାଟବଣା ସ୍ୱଚ୍ଛ ଭାରତ ମିଶନ, ଅଧିକାଂଶ ପାଇଖାନା ପାଲଟିଛି ଷ୍ଟୋର୍‌ ରୁମ୍‌

Published By : Prameya | March 25, 2025 12:41 AM

ଅନୁଗୁଳ,୨୪ା୩ (ଲିଟୁନ୍‌ କୁମାର ସାହୁ): ଶିଳ୍ପ ଜିଲ୍ଲା ଅନୁଗୁଳରେ ବାଟବଣା ହୋଇଛି ସ୍ୱଚ୍ଛ ଭାରତ ମିଶନ୍‌ । ମହତ୍‌ ଉଦ୍ଦେଶ୍ୟ ରଖି ସରକାର ପ୍ରତି ପରିବାରକୁ ବାଣ୍ଟିଥିଲେ ପାଇଖାନା । ଘରେ ଘରେ ତିଆରି ହୋଇଥିଲା ଶୌଚାଳୟ । ମାତ୍ର ବର୍ଷ କେଇଟାରେ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ବାଟ ହୁଡ଼ ିଛି । କେଉଁଠି ପାଇଖାନା ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ଷ୍ଟୋର୍‌ରୁମ୍‌ ପାଲଟିଛି । କେଉଁଠି ପାଇଖାନା ଭିତରେ ଜାଳ ଗଦା ଯାଇଥିବା ବେଳେ ଆଉ କେଉଁଠି ପରିତ୍ୟକ୍ତ ହୋଇପଡ଼ିଛି । ସରକାରୀ ଅନୁଦାନ ମିଳୁଛି ବୋଲି ଲୋକ ଘରେ ପାଇଖାନା ସିନା ତିଆରି କରିଦେଲେ, ହେଲେ ମାନସିକତା ବଦଳିଲାନି । ଗାଁରୁ ସହର, ଅଧିକାଂଶ ଢାଳ ଧରି ପଡ଼ିଆ ମୁହାଁ ହେଉଛନ୍ତି । କେଉଁ ଉପାନ୍ତ ଅଞ୍ଚଳ ନୁହଁ, ଅନୁଗୁଳ ସହରରେ ପ୍ରତିଦିନ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ସରକାରୀ ତଥ୍ୟ ମୁତାବକ, ସ୍ୱଚ୍ଛ ଭାରତ ମିଶନ୍‌ ଯୋଜନାରେ ଜିଲ୍ଲାରେ ୨ ଲକ୍ଷ ୭୧ ହଜାର ପରିବାର ଶୌଚାଳୟ ପାଇଥିଲେ ।

 ଆରମ୍ଭରୁ ମାସ କେଇଟା ଲୋକ ଏହି ପାଇଖାନା ବ୍ୟବହାର କରିଥିବା ବେଳେ ଅଧିକାଂଶ ପରିବାରରେ ସତେ ଯେମିତି ଅଲୋଡ଼ା ହୋଇପଡ଼ିଛି । ଆଠମଲ୍ଲିକରୁ ପାଳଲହଡା, ତାଳଚେରରୁ ବଅଁରପାଳ, ଯୁଆଡ଼େ ଦେଖିଲେ ଲୋକ ଶୌଚ ପାଇଁ ପଡ଼ିଆ, ନାଳ, ପୋଖରୀ କୂଳକୁ ମୁହାଁଉଛନ୍ତି । ଏମିତିକି ରାଜ୍ୟର ପ୍ରଥମ ଖୋଲା ମଳମୁକ୍ତ ପଞ୍ଚାୟତ ଭାବେ ଘୋଷଣା ହୋଇଥିବା ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତରେ ସଙ୍ଗୀନ୍‌ ସ୍ଥିତି । କୁମୁରିସିଂହା ଗ୍ରାମର ୮୦ ପ୍ରତିଶତରୁ ଊଦ୍ଧ୍ୱ ର୍ ପରିବାର ପାଇଖାନା ବ୍ୟବହାର କରୁଥିବା ବେଳେ ଏହି ପଞ୍ଚାୟତର ପାତେଳି, ତଳବାହାଳ, ବଡ଼ବାହାଳ, ପାତେଳି ଗ୍ରାମର ଅନେକ ଲୋକ ପଡ଼ ିଆ ଓ ନାଳକୁ ଧାଉଁଛନ୍ତି । ଜିଲ୍ଲାର ଅନୁଗୁଳ ବ୍ଲକର ସର୍ବାଧିକ ପରିବାର ପାଇଥିଲେ ପାଇଖାନା । ଅନୁଗୁଳ ବ୍ଲକ୍‌ର ୫୭ ହଜାର ୨୭୪ଟି ପରିବାର ଓ କଣିହାଁ ବ୍ଲକ୍‌ର ୩୮ ହଜାର ୨୮୫ଟି ପରିବାର ପାଇଖାନା ପାଇଛନ୍ତି । ସେହିପରି ଆଠମଲ୍ଲିକ ବ୍ଲକର ୨୫ ହଜାର ୬୫ଟି ପରିବାର, ବଅଁରପାଳ ବ୍ଲକର ୩୫ ହଜାର ୩୨ଟି, ଛେଣ୍ଡିପଦା ବ୍ଲକର ୨୬ ହଜାର ୩୦୫ଟି, କିଶୋରନଗର ବ୍ଲକର ୨୮ ହଜାର ୩୧୮ଟି ପରିବାର ଓ ତାଳଚେରର ୨୪ ହଜାର ୯୮୩ଟି ପରିବାରକୁ ସରକାର ପାଇଖାନା ଯୋଗାଇ ଦେଇଛନ୍ତି । ସରକାର ସ୍ୱଚ୍ଛ ଭାରତ ମିଶନ୍‌ରେ ପ୍ରତି ପରିବାରକୁ ପାଇଖାନା ଯୋଗାଇ ଦେଇଥିଲେ । ସଢ଼େ ୩ ଫୁଟିଆ ଚଟାଣ ଓ ୭ ଫୁଟ ଉଚ୍ଚତାର ଘର ସାଙ୍ଗକୁ ଟାଙ୍କି ବସାଇ ଦେଲେ । 

ସରକାରୀ ଅନୁଦାନରେ ମାଗଣାରେ ପାଇଖାନା ମିଳୁଥିବାରୁ ଯିଏ ଯେଉଁଠି ପାଇଲା ପାଇଖାନା ତିଆରି କରିଥିଲା । କିଏ ପାହାଡ଼ ଉପରେ ତ କିଏ ଆଉ କିଛି ପରିବାର ଗୋଟିଏ ସ୍ଥାନରେ ଏକାଧିକ ପାଇଖାନା ନିର୍ମାଣ କରିଥିଲେ । ପାଇଖାନା ନିର୍ମାଣ ପରେ ଲୋକ ଆଉ ଖୋଲାମେଲାରେ ମଳତ୍ୟାଗ କରିବେ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ମାସ କେଇଟା ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି । ଅଧିକାଂଶ ଲୋକ ଏହି ସରକାରୀ ପାଇଖାନା ବ୍ୟବହାର ନକରି ଖୋଲାମେଲାରେ ମଳତ୍ୟାଗ କରି ପରିବେଶକୁ ନଷ୍ଟ କରୁଛନ୍ତି । ଏପରିକି ଶୌଚ ହେବାକୁ ପଡ଼ିଆକୁ ଯାଇ ହାତୀ ହାବୁଡ଼ରେ ପ୍ରାଣ ହରାଇବାର ବି ନଜିର ରହିଛି । ସଚେତନତାର ଅଭାବ ହେଉ କି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନଥିବାରୁ ସରକାରୀ ଅର୍ଥ ଶ୍ରାଦ୍ଧ ସିନା ହେଲା ଉଦ୍ଦେଶ୍ୟ ସାଧିତ ହେଲା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ  ପାଇଛି । ଏ ନେଇ ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’ର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ସରକାରଙ୍କ ‘ସ୍ୱଚ୍ଛ ଭାରତ ମିଶନ୍‌’ ଏକ ଯୁଗାନ୍ତକାରୀ ଯୋଜନା । ଗ୍ରାମୀଣ ସ୍ତରରେ କିଛି ପରିବାର ସରକାରୀ ପାଇଖାନା ବ୍ୟବହାର କରୁଥିଲେ ସୁଦ୍ଧା ଅନେକ ବ୍ୟବହାର କରୁନାହାନ୍ତି । ଯାହା ଅଯଥାରେ ଦେଶର ପ୍ରାକୃତିକ ସମ୍ପଦ ଓ ରାଜସ୍ୱ ନଷ୍ଟ ହେବାକୁ ଦର୍ଶାଉଛି । ବ୍ୟାପକ ଓ ସଠିକ୍‌ ଜନସଚେତନତା ଓ ତଳ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ଦ୍ୱାରା ସ୍ୱଚ୍ଛ ଭାରତ ମିଶନକୁ ପୂର୍ଣ୍ଣ ରୂପେ ସଫଳ କରାଯାଇପାରିଥାନ୍ତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.