କେନ୍ଦ୍ରାପଡ଼ା,୩୦ା୩ : ଅତି ଆବଶ୍ୟକ ଥିବା ସ୍ଥାନରେ ପଥର ପ୍ୟାକିଂ ହୋଇପାରୁନି । ଯେଉଁଠାରେ ପଥର ପ୍ୟାକିଂ ହୋଇଥିଲା ତାହା ଖସି ପଡ଼ିଲାଣି । ପୂର୍ଣ୍ଣଗର୍ଭା ଗୋବରୀ ନଦୀ ସବୁବେଳେ କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଆୟବା ପଞ୍ଚାୟତର ଗଣ୍ଡାକିଆ ଓ ମଧୂରକୂଳ ଗ୍ରାମବାସୀଙ୍କୁ ଭୟଭୀତ କରି ରଖିଛି । ମଧୁରକୂଳ ଗାଁର ଠାକୁରାଣୀ ଆଗ ଘଣୀମୁହଁରେ ପଥର ପ୍ୟାକିଂ କରାନଗଲେ ମଧୁରକୂଳ ଗାଁ ସମ୍ପୂର୍ଣ୍ଣ ନଦୀଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ନରଣପୁର ଗ୍ରାମର ଅନେକ ଚାଷଜମି ବି ନଈମୁହଁରେ ଯାଇ ସାରିଲାଣି । ବର୍ଷା ହେଲେ ବାରି ପଛପଟେ ପାଣି ଲହଡ଼ି ମାରିବା ସହ କୁମ୍ଭୀର ଖେଳୁଛି । ଏମିତିରେ ଭରସା ସାଜିଛି ବାଉଁଶବୁଦା । ରୋପଣ କରାଯାଇଥିବା ପ୍ରାୟ ୩୦ ରୁ ଅଧିକ ବାଉଁଶ ବୁଦା ମାଟିକୁ ଜାବୁଡ଼ି ଧରିଥିବାରୁ ଗାଁ ନିଶ୍ଚିହ୍ନ ହେବା ପୂର୍ବରୁ ବଞ୍ଚିଯାଇଛି । ହେଲେ ସମ୍ପୂର୍ଣ୍ଣ ଆଶ୍ୱସ୍ତି ମିଳିନି । ଆଶା, ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି ଅଞ୍ଚଳବାସୀ । ଦିନକୁ ଦିନ ଏଠାରେ ଗୋବରୀ କୂଳ ଖାଇଚାଲିଛି । ନଈରେ ପଥରପ୍ୟାକିଂ ସହ ତାରବାଡ଼ ଘେରାଇବା ପାଇଁ ଦୀର୍ଘଦିନ ହେବ ଦାବି ହେଉଥିଲେ ବି ଏଯାଏ ପୂରଣ ହୋଇପାରିଲା ନାହିଁ । ପଦକ୍ଷେପ ନେବାରେ ବିଳମ୍ବ ହେଲେ ଉଭୟ ଗାଁ ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ସେହିପରି ଗଣ୍ଡାଖିଆ, ମଧୁରକୂଳ, ନରଣପୁର, ସମେତ ପାଖକୁ ଲାଗିଥିବା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ କୁପୁଣି, ଲୋକନାଥପୁର, କଇଁକୂଳା, ଭେଡ଼ିସାହିରେ ମଧ୍ୟ ପଥରପ୍ୟାକିଂ ପାଇଁ ଦାବି ହେଉଛି ।
କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଆୟବା ପଞ୍ଚାୟତରେ ରହିଛି ଗଣ୍ଡାକିଆ ଓ ମଧୁରକୂଳ ଗ୍ରାମ । ଗୋବରୀ ନଦୀକୁ ଲାଗି ଉଭୟ ଗ୍ରାମରେ ପ୍ରାୟ ୧୮୦ ପରିବାର ବସବାସ କରୁଛନ୍ତି । ନଈ କୂଳେ କୂଳେ ବର୍ଷବର୍ଷ ଧରି ବସବାସ କରିଆସୁଛନ୍ତି । ଜୀବନ, ଜୀବିକା ସବୁକିଛି ଏଇଠି । ହେଲେ ନଦୀକୂଳ ବାସିନ୍ଦାଙ୍କ ଜୀବନ ଜୀବିକାକୁ ବିପର୍ଯ୍ୟୟ କରିଆସିଛି ଗୋବରୀ । କୃଷି ଓ ଗୋବରୀ ମାଛମାରି ଜୀବିକା ନିର୍ବାହ କରିବା ଅଞ୍ଚଳବାସୀଙ୍କ ମୂଳ ବେଉସା । ୧୯୯୯ ମସିହା ମହାବାତ୍ୟାବେଳେ ଉଛୁଳା, ପୂର୍ଣ୍ଣଗର୍ଭା ନଈ ଜନବସତିକୁ ମାଡ଼ିଆସି ଅନେକ କ୍ଷୟକ୍ଷତି ଘଟାଇଥିଲା । କେତେ ଘରଦ୍ୱାର ଉଜୁଡ଼ି ଯାଇଛି ଗୋବରୀ ଆଁରେ । ଯେ କୌଣସି ମୁହୂର୍ତ୍ତରେ ଗିଳିଦେଇପାରେ ଗଣ୍ଡାକିଆ ଗାଁକୁ । ସାମାନ୍ୟ ବର୍ଷା ହେଲେ ଫୁଲିଲା ନଦୀ । ଗୁହାଳ, ପାଇଖାନା, ବାରି ଘର ସବୁଆଡ଼େ ପାଣି ପଶେ । ଗୋବରୀ ଜୁଆରିଆ ହୋଇଥିବାରୁ ଜୁଆର ଆସିଲେ ଗାଁ ଲୋକଙ୍କ ଆଖିରୁ ନିଦ ହଜିଯାଏ । ଜୁଆର ମାଡ଼ରେ ବାଡ଼ିରେ ଥିବା ବଡ଼ବଡ଼ ଗଛ ବି ଉପୁଡ଼ିଗଲାଣି । ଫସଲ ମଧ୍ୟ ଉଜୁଡ଼ିଛି । ପାଣି ଘର ଛୁଇଁବା ନେଇ ଆଶଙ୍କା ଦେଖାଦେଇଛି । ଗଣ୍ଡାକିଆ ଗାଁ ନିକଟରେ ଗୋବରୀ ବେଶ୍ ଗଭୀର । ବର୍ଷ ତମାମ୍ ଏଠାରେ ଜଳ ପ୍ରବାହିତ ହୋଇଥାଏ ।
ଗଣ୍ଡାକିଆଠାରେ ଗୋବରୀ ୨ ଭାଗରେ ବିଭକ୍ତ ହୋଇଥିବାବେଳେ ଗୋଟିଏ ଅଂଶ ବଙ୍ଗୋପସାଗରକୁ ଯାଇଥିବାବେଳେ ଅନ୍ୟଟି ପଟ୍ଟ ।ମୁଣ୍ଡାଇ ଆଡ଼େ ଯାଇଛି । ଗୋବରୀ ଗଣ୍ଡାକିଆଠାରେ ମୋଡ଼ ବଦଳାଇଥିବାରୁ ଏହିଠାରେ ଶକ୍ତିଶାଳୀ ହୋଇଥିବା ଗାଁ ଲୋକେ କୁହନ୍ତି । ନଦୀର ଗତିପଥ ବଦଳିବା ଯୋଗୁଁ ବିଭିନ୍ନ ସମୟରେ ଅଞ୍ଚଳବାସୀଙ୍କ ପ୍ରତି ବିପତ୍ତି ଆଶଙ୍କା ସୃଷ୍ଟି ହୋଇଛି । ଗୋବରୀ ନଦୀ ଏଠାରେ ବହୁତ ଗଭୀର ହୋଇଯାଇଛି । ଦ୍ରୁତଗତିରେ ନଦୀ କୂଳ ଖାଉଛି । ୧୮୬୬ ମସିହାରୁ ଗାଁ ଦେଇ ଉକ୍ତ କେନାଲ (ନଦୀ) ବହିଯାଇଛି । ହୁଏତ କିଛିବର୍ଷ ଗଲା ପରେ ଗୋବରୀରେ ଲୀନ ହୋଇଯିବ ଗାଁ । ସମାଧାନର ବାଟ ହେଉଛି ପଥର ପ୍ୟାକିଂ ଓ ତାରବାଡ଼ ଘେରାଉ । ତା’ ହେଲେ ଯାଇ ଗଣ୍ଡାକିଆ ଗାଁ ଓ ଅଞ୍ଚଳବାସୀ ସୁରକ୍ଷିତ ରହିପାରିବେ ବୋଲି ଗ୍ରାମବାସୀ କହନ୍ତି । ଏଠାରେ ଦୀର୍ଘଦିନ ହେବ ସ୍ଫର ନିର୍ମାଣ ଲାଗି ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନି । ପ୍ରତିଶ୍ରୁତିରେ ସୀମିତ ରହୁଛି କାମ । ବାରମ୍ବାର ଅଭିଯୋଗ, ନିବେଦନ ପରେ ମଧ୍ୟ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାକୁ ଲାଗିଛି । ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କ ସହ ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।