ଭୁବନେଶ୍ୱର, ୩୧/୦୩: ମ୍ୟାଁମାର ଭୂକମ୍ପ ସାରା ବିଶ୍ୱକୁ ଡରାଇ ଦେଇଛି । ଏବେ ବି ଭୂକମ୍ପର ଝଟ୍କା ବାରମ୍ବାର ଆସୁଛି । ରବିବାର ପୁଣି ୫.୧ ତୀବ୍ରତାର ଝଟକା ଥରାଇଛି ମାଣ୍ଡଳୟ ଅଞ୍ଚଳକୁ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡ ନିକଟବର୍ତ୍ତୀ ଟୋଙ୍ଗା ଦ୍ୱୀପରେ ଶକ୍ତିଶାଳୀ (୭.୧ ତୀବ୍ରତା) ଭୂକମ୍ପ ଉତ୍ପନ୍ନ ହୋଇଛି ରବିବାର । ଏହାର ପ୍ରଭାବ ଭାରତୀୟ ଭୂଖଣ୍ଡରେ ବିଚଳନ ସୃଷ୍ଟି କରିବ କି? ଓଡ଼ିଶା ପାଇଁ ଡର ଭାବେ ଜଣାଶୁଣା ବଙ୍ଗୋପସାଗର ଫାଟ ଅସ୍ଥିର ହୋଇ ଯିବ କି? ଏଭଳି ଆଶଙ୍କା ଉଙ୍କି ମାରିବା ସ୍ୱାଭାବିକ ।
ବିଶେଷଜ୍ଞଙ୍କ ମତରେ, ମ୍ୟାଁମାର ଭୂକମ୍ପ କେନ୍ଦ୍ରସ୍ଥଳରେ ଏଭଳି ଶକ୍ତି ଉତ୍ପନ୍ନ ହେଲା ଭୟଙ୍କର ଧ୍ୱଂସଲୀଳା ଭିଆଇଲା । ୩୩୪ଟି ଆଣବିକ ବୋମା ବିସ୍ଫୋରଣର ଶକ୍ତି ଭୂକମ୍ପ କେନ୍ଦ୍ରସ୍ଥଳରୁ ନିର୍ଗତ ହୋଇଥିଲା । ସାରା ବିଶ୍ୱରେ ଭୂଖଣ୍ଡ ଭିତରେ କିଛି ବଡ଼ଧରଣର ହଲଚଲ୍ ହୋଇଛି। ବିଶ୍ୱବ୍ୟାପୀ ଭୂଖଣ୍ଡ ବର୍ତ୍ତମାନ ଅସ୍ଥିର ରହୁଥିବା ଲକ୍ଷ୍ୟ କରାଯାଉଛି । କେତେବେଳେ କେଉଁଠି କିଛି ବି ହୋଇପାରେ । ଭୂକମ୍ପ ପ୍ରବଣ ଅଞ୍ଚଳ ନ ହେଲେ ବି ଓଡ଼ିଶା ବିପଦମୁକ୍ତ ନୁହେଁ ।
ଭୂତତ୍ତ୍ୱ ବିଶେଷଜ୍ଞଙ୍କ କହିବାନୁସାରେ ମ୍ୟାଁମାର ଭୂଖଣ୍ଡ ଆମଠାରୁ ବିଶେଷ ଦୂରରେ ନାହିଁ । ମ୍ୟାଁମାର ଓଡ଼ିଶା ଉପକୂଳରୁ ମାତ୍ର ୮ଶହ କିଲୋମିଟର ଦୂର । ୨୦୧୬ ଅଗଷ୍ଟ୨୫ରେ ମ୍ୟାଁମାରରେ ଆସିଥିବା ଭୂକମ୍ପ ଯୋଗୁ ଉପକୂଳ ଓଡ଼ିଶା ଥରିଥିଲା ।
ଏଥର ମ୍ୟାଁମାର ଭୂକମ୍ପରେ କୋଲକାତା ଯାଏଁ କମ୍ପନ ଅନୁଭୂତ ହୋଇଥିଲା । ୨୦୦୪ରେ ସୁମାତ୍ରାରେ ଆସିଥିବା ଭୂକମ୍ପ ଯୋଗୁ ସୁନାମି ଆଣ୍ଡାମାନ ନିକୋବର ସହ ଚେନ୍ନାଇରେ ପ୍ରଳୟ ରଚିଥିଲା । ବର୍ତ୍ତମାନ ବିଭିନ୍ନ ଭୂଖଣ୍ଡରେ ଅସ୍ଥିରତା ଦେଖା ଦେଇଛି, ଏହା ଆଗକୁ ବି ଜାରି ରହିପାରେ । ସାଧାରଣତଃ ଗୋଟିଏ ସ୍ଥାନରେ ଭୂକମ୍ପ ଉତ୍ପନ୍ନ ହେଲେ, ପରବର୍ତ୍ତୀ ସମୟରେ ଅନ୍ୟ କିମ୍ବା ନିକଟବର୍ତ୍ତୀ ଭୂଖଣ୍ଡରେ ଭୂକମ୍ପ ଆସିବାର ନଜିର ରହିଛି ।
ଗତ ଫେବ୍ରୁଆରୀରେ ଓଡ଼ିଶାରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ପୁରୀ, ଭୁବନେଶ୍ୱର, ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାରିପଦା, ବାଲେଶ୍ୱର ସମେତ କୋଲକାତା ପର୍ଯ୍ୟନ୍ତ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ରିପୋର୍ଟ ମୁତାବକ, ଭୂକମ୍ପର କେନ୍ଦ୍ର ଥିଲା ବଙ୍ଗୋପସାଗରରେ । ପୁରୀଠାରୁ ୨୮୬ କିଲୋମିଟର ପୂର୍ବ, ଭୁବନେଶ୍ୱରର ୨୯୭ କିମି ପୂର୍ବ-ଦକ୍ଷିଣ ପୂର୍ବରେ ଓ ବ୍ରହ୍ମପୁରର ପୂର୍ବରେ ୩୯୪ କିମି ଦୂରରେ ସମୁଦ୍ର ଭିତରେ ଥିଲା ଭୂମିକମ୍ପର ଉତ୍ପତ୍ତି ସ୍ଥଳ । କେନ୍ଦ୍ରସ୍ଥଳରେ ତୀବ୍ରତା ଥିଲା ୫.୧ ଓ ଗଭୀରତା ଥିଲା ୯୧ କିମି । ଗଭୀରତା କମ୍ ହୋଇଥିଲେ, କ୍ଷୟକ୍ଷତି ବଢ଼ିଥାଆନ୍ତା ।
ବିଶେଷଜ୍ଞଙ୍କ କହିବାନୁସାରେ ୫.୧ ତୀବ୍ରତାର ଭୂକମ୍ପ ସେଭଳି ବଡ଼ ନୁହେଁ । ମାତ୍ର ଓଡ଼ିଶାରେ ଏ ଧରଣର ଭୂକମ୍ପ ସଂଖ୍ୟା ବହୁତ କମ୍ । ୧୦ ବର୍ଷ ତଳେ ୨୦୧୪ ମେ’ ୨୧ ତାରିଖରେ କୋଣାର୍କଠାରୁ ୨୭୬ କିମି ଦୂରରେ ସମୁଦ୍ର ଭିତରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତା’ର ଗଭୀରତା କମ୍ ଥିବାରୁ (୪୭ କିମି) ସେତେବେଳେ ବଡ଼ ଧରଣର ଝଟ୍କା ଅନୁଭୂତ ହୋଇଥିଲା ଓଡ଼ିଶାରେ । ଏଥର ଗଭୀରତା ଅଧିକ ଥିବାରୁ ଭୂକମ୍ପର କମ୍ପନ କମ୍ ଅନୁଭୂତ ହୋଇଥିଲା । ସମୁଦ୍ରର ଗୋଟିଏ ଅଞ୍ଚଳରୁ ୧୦ ବର୍ଷ ଭିତରେ ଦୁଇ ଥର ଭୂକମ୍ପ ଉତ୍ପନ୍ନ ହେବା ସାମାନ୍ୟ କଥା ନୁହେଁ ।
ବିଶେଷଜ୍ଞ କହିଛନ୍ତି, ପୁରୀ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଯେଉଁଠାରେ ଭୂକମ୍ପ ଉତ୍ପନ୍ନ ହୋଇଥିଲା, ସେଠାରେ ପ୍ଲେଟ ବାଉଣ୍ଡରୀ ନାହିଁ । ମାତ୍ର ବହୁ ପ୍ରାଚୀନ ଦୁଇଟି ଫାଟ (ରିଜ୍) ଅଛି, ଯାହାକି ବହୁ ବର୍ଷରୁ ସୁପ୍ତ ଓ ନିଷ୍କ୍ରିୟ ଅବସ୍ଥାରେ ଥିଲା । କୌଣସି ବଡ଼ ଚାପ ଯୋଗୁ ସେଇ ଫାଟ ଧୀରେଧୀରେ ସକ୍ରିୟ ହେଉଛି । ଚାପ ବଢ଼ିବାରୁ ସେ ଅଞ୍ଚଳରୁ ଭୂକମ୍ପ ଉତ୍ପନ୍ନ ହେଉଛି । ଆଗକୁ ଭୂକମ୍ପର ତୀବ୍ରତା ଯଦି ବଢ଼ିବ, ତେବେ ଉପକୂଳ ଓଡ଼ିଶା ପାଇଁ ଆଣିପାରେ ବଡ଼ ବିପଦ । ଏବେ ବି ଭୂକମ୍ପର କେନ୍ଦ୍ରସ୍ଥଳରୁ ଓଡ଼ିଶାର ପ୍ରମୁଖ ସହରର ଦୂରତା ୨୦୦ କିମିରୁ ୩ଶହ କିମି ଭିତରେ । ବଡ଼ ତୀବ୍ରତାର ଭୂମିକମ୍ପ ଆସିଲେ ବଡ଼ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସୂଚନାଯୋଗ୍ୟ, ୧୯୮୨ ମସିହା ଏପ୍ରିଲ ୮ ତାରିଖରେ ପୁରୀଠାରୁ ୧୪୯ କିମି ଦୂରରେ ସମୁଦ୍ର ଭିତରେ ୫ରୁ ଅଧିକ ତୀବ୍ରତାର ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା ।
ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) ପକ୍ଷରୁ ପ୍ରସ୍ତୁତ ସେସମିକ୍ ହାଜାର୍ଡ ମ୍ୟାପ୍ ରିପୋର୍ଟ ଅନୁସାରେ ସମଗ୍ର ଉପକୂଳ ଓଡ଼ିଶା ଯେଉଁ ଭୂଖଣ୍ଡରେ ରହିଛି, ସେଠାରେ ୬.୧ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ଆସିପାରେ । ସେହିପରି ମହାନଦୀ ଗ୍ରାବେନ ଅଞ୍ଚଳରେ ୫.୩ ତୀବ୍ରତା ପର୍ଯ୍ୟନ୍ତ ଭୂକମ୍ପ ଆସିପାରେ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ତାଳଚେର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, ପାରାଦୀପ, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଭୂକମ୍ପ ପ୍ରବଣ ଜୋନ୍-୩ ପରିସରଭୁକ୍ତ । ଭୂକମ୍ପ ପ୍ରବଣ ଜୋନ୍-୨ରେ ରହିଛି ମାଲକାନଗିରି, କୋରାପୁଟ, ରାୟାଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼ ଓ କେନ୍ଦୁଝର ।