ଜଗତସିଂହପୁର,୩୦ା୩ : ଜିଲ୍ଲାରେ ସରକାରୀ ମେଡିକାଲ୍ କଲେଜ ଓ ଗ୍ରୀନ ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ଉକ୍ତ ଘୋଷଣାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । ଏବେ କିନ୍ତୁ ସୋସିଆଲ୍ ମିଡିଆରେ ପରୋକ୍ଷରେ ଏହାର ଶ୍ରେୟକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି । ରାଜନୈତିକ ସ୍ତରରେ ଯେତିକି ଟଣାଭିଡ଼ା ନାହିଁ ତା’ଠାରୁ ଅଧିକ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ବିଶେଷଙ୍କ ସ୍ତରରେ ପରିଲକ୍ଷିତ ହୋଇଛି । ସିଧାସଳଖ ନହେଲେ ସୁଦ୍ଧା ପରୋକ୍ଷରେ ସୋସିଆଲ୍ ମିଡିଆରେ ବାର୍ତ୍ତା ପୋଷ୍ଟ ହେବାରେ ଲାଗିଲାଣି । ଏପରିକି ମେଡିକାଲ୍ କଲେଜ ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ହେବ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରାଗଲାଣି ।
ଅପରପକ୍ଷେ ଜିଲ୍ଲାରେ ମେଡିକାଲ୍ କଲେଜ ନିମନ୍ତେ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ପ୍ରଥମେ ଭିତ୍ତିଭୂମିକୁ ସେ ଗୁରୁତ୍ୱ ଦେଇଥିଲେ । ଏବଂ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ସରକାରଙ୍କୁ ଜଣାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶଯ୍ୟା ସଂଖ୍ୟାକୁ ୧୨୬ରୁ ୩୦୦କୁ ବୃଦ୍ଧି କରାଇ ପାରିଥିଲେ । ତତ୍ସହିତ ଜଗତସିଂହପୁର ଥାନା, ସବ୍ ରେଜିଷ୍ଟର ଅଫିସ, ଷ୍ଟେଟ ବ୍ୟାଙ୍କ, ପୌର ବିଲ୍ଡିଂ ଆଦିକୁ ସ୍ଥାନୀୟ ଯୋଗଧାରୀ ସ୍ଥିତ ଏକ ସରକାରୀ ଜାଗାକୁ ସ୍ଥାନାନ୍ତରଣ ନିମନ୍ତେ ଚିନ୍ତା କରି ମାପଚୁପ ଆରମ୍ଭ କରି ଦେଇଥିଲେ । କେବଳ ସେତିକି ନୁହେଁ ଯୋଗଧାରୀର ଉକ୍ତ ସରକାରୀ ଜମିରେ ବିଜୁ ନଗର ପ୍ରତିଷ୍ଠାର ପରିକଳ୍ପନା ସହ ଏସବୁ କାର୍ଯ୍ୟାଳୟ ଓ ଥାନାକୁ ସେଠାକୁ ଉଠାଇ ନେଇ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିଥିଲେ । ସରକାରଙ୍କଠାରେ ମଧ୍ୟ ଏବିଷୟରେ ପ୍ରସ୍ତାବ ରଖିଥିଲେ । ତେବେ ତାଙ୍କ ବଦଳି ପରେ ଏସବୁ ଉଦ୍ୟମ ପାଣି ଭଳି ମିଳେଇ ଯାଇଥିଲା । ପରବର୍ତ୍ତୀ ସମୟରେ ଅବଶ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ମେଡିକାଲ କଲେଜ ଦାବିକୁ ଜୋର୍ଦାର କରାଯାଇଥିଲା । ସହରର ବଜାର ବନ୍ଦଠାରୁ ଆରମ୍ଭ କରି ଧାରଣା, ଶୋଭାଯାତ୍ରା ଆଦିର ଆୟୋଜନ ହୋଇଥିଲା ।
ଏହାଛଡ଼ା ଜଗତସିଂହପୁର ବ୍ଲକ ଅଳସୁଧାର ନିପୁରରେ ପର୍ଯ୍ୟାପ୍ତ ସରକାରୀ ଜମି ଥିବାରୁ ସେଠାରୁ ମେଡିକାଲ୍ କଲେଜ ନିମନ୍ତେ ସ୍ୱର ଉଠାଯାଇଥିଲା । ସେତେବେଳେ ମଧ୍ୟ ମେଡିକାଲ୍ କଲେଜ କ୍ଷେତ୍ରରେ ଟାଳଟୁଳ ନୀତିକୁ ନେଇ ବିଜେଡିର କିଛି ଜନପ୍ରତିନିଧିଙ୍କୁ ସମାଲୋଚନା କରାଯାଇଥିଲା । ଗତ ସାଧାରଣ ନିର୍ବାଚନରେ ମଧ୍ୟ ମେଡିକାଲ୍ କଲେଜ ପ୍ରସଙ୍ଗ ବେଗ ଧରିଥିଲା । ବିଜେପି ବିଧାୟକ ପ୍ରାର୍ଥୀ ଥିବା ଅମରେନ୍ଦ୍ର ଦାସ ମେଡିକାଲ୍ କଲେଜ ନିର୍ମାଣ ସପକ୍ଷରେ ରହିଥିଲେ । ବିଧାୟକ ନିର୍ବାଚିତ ହେବା ପରେ ଉକ୍ତ ପ୍ରସଙ୍ଗକୁ ବାରମ୍ବାର ସରକାରଙ୍କ ଗୋଚରକୁ ଆଣିଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ସରକାରୀ ମେଡିକାଲ୍ କଲେଜ ଦାବି ନିମନ୍ତେ ଧାରଣାକୁ ସମର୍ଥନ ସହ ସାମିଲ ହୋଇଥିଲେ । ନବ ନିର୍ମାଣ କୃଷକ ସଂଗଠନଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ ସମର୍ଥନ ଜଣାଇଥିଲେ । ମେଡିକାଲ୍ କଲେଜ ସହ ଅତୀତରେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ୍ର ସ୍ୱର ଉଠିଥିଲା । ଏଥିନେଇ ରାଜଧାନୀ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଅର୍ଥାତ ସରକାର ସିନା ଜିଲ୍ଲାରେ ମେଡିକାଲ୍ କଲେଜର ବାଟ ପରିଷ୍କାର ହୋଇଥିବା ଘୋଷଣା କରିଦେଲେ, ତେବେ ନିର୍ଦ୍ଦିଷ୍ଟ କେଉଁ ଜାଗାକୁ ଚୂଡାନ୍ତ କରିଛନ୍ତି ସେ ବିଷୟରେ ଘୋଷଣା ହୋଇନଥିବାରୁ ଆଗକୁ ପୁଣି ସେଇ ପ୍ରସଙ୍ଗ ଉପରେ ଆନ୍ଦୋଳନ, ବିକ୍ଷୋଭ, ଧାରଣା ସୃଷ୍ଟି ହେବାର ସଙ୍କେତ ମିଳିଲାଣି ।