ଆଠଗଡ଼, ୩୧/୦୩: କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଧୁମ୍ଧାମ୍ରେ ପାଳନ ହେଉଛି ଇଦ୍ ଉଲ୍ ଫିତର । ଆଉ କିଛି ଦିନ ପରେ ରାମ ନବମୀ ଉତ୍ସବ ମଧ୍ୟ ବେଶ୍ ଆଡମ୍ୱର ସହ ପାଳନ ହେବ । ତେଣୁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି । ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ଵଜିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ସମେତ ଏକ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ସହିତ ତିଗିରିଆ ପୋଲିସ ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରିଥିଲେ । ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ବଜାର ଓ ନିଜିଗଡ଼ କରଡ଼ାପଲ୍ଲୀ ଅଞ୍ଚଳରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା ।
ଇଦ୍ ଓ ରାମନବମୀ ପରିପ୍ରେକ୍ଷୀରେ ଥାନା ଅଞ୍ଚଳରେ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପରିଦର୍ଶନ କରାଯାଉଛି । ଆଗାମୀ ଦିନରେ ଆସୁଥିବା ରାମନବମୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ କରାଯିବ। ରାପିଡ୍ ଆକ୍ସନ ଫୋର୍ସକୁ ନେଇ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ନହେବା ପାଇଁ ବିଭିନ୍ନ ପ୍ରକାରର କୌଶଳ ମଧ୍ୟ ପ୍ରସ୍ତୁତ କରିଛି ପୋଲିସ । ଯେପରି ରାମନବମୀ ଉତ୍ସବ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିନା କୌଣସି ଅସୁବିଧାରେ ସମ୍ପନ୍ନ ହେବ, ସେଥିପ୍ରତି ମଧ୍ୟ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।