ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରାସନ କାର୍ଡ ଅପେକ୍ଷାରେ ଲକ୍ଷ ଲକ୍ଷ ପରିବାର, କେବେ ଫିଟିବ ଯୋଗ୍ୟ ହିତାଧିକାରୀଙ୍କ ଭାଗ୍ୟ...

ଭୁବନେଶ୍ୱର ୦୨/୦୭: ରାସନ କାର୍ଡ ଖଣ୍ଡିଏ ପାଇବାର ଅପେକ୍ଷା ଲମ୍ବି ଚାଲିଛି । କିଏ ମାସ ମାସ ଧରି  ଅପେକ୍ଷା କରି ରହିଛନ୍ତି ତ ଆଉ କିଏ ଆବେଦନପତ୍ର ଦାଖଲ କରିବାର ବର୍ଷେ ଡେଇଁଲାଣି । ହିତାଧିକାରୀ  ତାଲିକାରେ ନାଁ ଚଢ଼ିପାରୁନି । ସରକାରୀ ରାସନ ଗଣ୍ଡାକ  ସ୍ୱପ୍ନ ହୋଇ ରହିଛି ଲକ୍ଷ ଲକ୍ଷ ପରିବାର ପାଇଁ । 

ଯୋଗ୍ୟ ଆବେଦନକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ମାସ ମାସ, ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି । ଅନ୍ୟପଟେ ନକଲି  ହିତାଧିକାରୀ ଟନ ଟନ ଖାଦ୍ୟ ସାମଗ୍ରୀ ଉଠାଇ ଚାଲିଛନ୍ତି  ବର୍ଷ ବର୍ଷ ଧରି । ନା ନକଲି ହଟୁଛନ୍ତି, ନା ଆବେଦନ  କରିଥିବା ଯୋଗ୍ୟ ଲୋକ ସଂଯୁକ୍ତ ହୋଇପାରୁଛନ୍ତି ।  ଆବେଦନକାରୀ ଉପରକୁ ଅନେଇ ରହିଛନ୍ତି କେବେ  ଫିଟିବ ଭାଗ୍ୟ... । 

ନୂଆ ସରକାର ଆସିବା ପରେ ଅପେକ୍ଷାରତ ଆବେଦନକାରୀଙ୍କ ଭିତରେ ଆଶା ବଢ଼ିଛି । ନୂଆ ସରକାର ବି ଆସୁ ଆସୁ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଖୋଦ୍‌ ବିଭାଗୀୟ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନକଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଯେଉଁମାନେ ଜାଲିଆତି କରି ସରକାରୀ ରାସନ ସାମଗ୍ରୀ ହାତେଇ ଆସୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବେ । ଜିଲ୍ଲାପାଳମାନଙ୍କୁ  ଏ ନେଇ ତାଗିଦ୍‌ କରାଯାଇଥିବା ବିଭାଗୀୟ ସୂତ୍ରରୁ  ଜଣାପଡ଼ିଛ । 

ସୂଚନା ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଅର୍ନ୍ତଭୁକ୍ତ ଅଛନ୍ତି । ଜନଗଣନା ଓ ଅନ୍ୟାନ୍ୟ ଆନୁସଙ୍ଗିକ  ପ୍ରକ୍ରିୟା ଅଟକି ଥିବାରୁ ଏ ଯୋଜନାରେ ଆଉ କେହି  ଯୋଡ଼ି ହୋଇପାରୁନାହାନ୍ତି । ସେଥିପାଇଁ ୨୦୧୫ରୁ  ରାଜ୍ୟ ସରକାର ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା  ହାତକୁ ନେଇଥିଲେ । ପ୍ରାୟ ୧୦ ଲକ୍ଷ ହିତାଧିକାରୀ  ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି ।  ହେଲେ ଏଥିରେ ସାମିଲ ହେବା ପାଇଁ ପ୍ରାୟ ୩ ଲକ୍ଷ  ୮୦ ହଜାର ଆବେଦନ ପଡ଼ି ରହିଛି । ଯୋଗାଣ ବିଭାଗ  ନିୟମାନୁସାରେ ନୂଆ ହିତାଧିକାରୀ ସାମିଲ ହେବା  ପ୍ରକ୍ରିୟା ବେଶ ଜଟିଳ । ସାଧାରଣତଃ କେହି ପୁରୁଣା  ହିତାଧିକାରୀ କଟିଲେ ହିଁ ନୂଆ ନାଁକୁ ଯୋଡ଼ାଯାଉଛି ।  

ଏହାସହ ନକଲି ହିତାଧିକାରୀ ଧରାପଡ଼ିଲେ ତାଙ୍କୁ  ତାଲିକାରୁ ବାଦ୍‌ ଦେଇ ଯୋଗ୍ୟ ଆବେଦନକାରୀଙ୍କୁ  ରାସନ କାର୍ଡ ମିଳିଥାଏ । ୨୦୧୫-୧୬ ମସିହାରେ  ଏ ନେଇ ଜୋରଦାର ଧରପଗଡ଼ ହୋଇଥିଲା । ସେ  ସମୟରେ କାର୍ଯ୍ୟାନୁଷ୍ଠାନ ଭୟରେ ବି ବହୁ ଅଯୋଗ୍ୟ  ହିତାଧିକାରୀ ନିଜ ଆଡୁ ରାସନ କାର୍ଡ ଫେରାଇଥିଲେ ।  ଅନେକଙ୍କ ବିରୋଧରେ କାର୍ଯ୍ୟାନୁନଷ୍ଠାନ ବି ହୋଇଥିଲା ।  ମାତ୍ର ୨୦୧୯ ନିର୍ବାଚନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପୂରା  ବନ୍ଦ ହୋଇଗଲା । ନିର୍ବାଚନ ମଉକାରେ ଲକ୍ଷାଧିକ  ନକଲି ହିତାଧିକାରୀ କାରସାଦି କରି ପଶିଗଲେ ।  କୋଭିଡ ମହାମାରୀ ସମୟରୁ ସରକାର ଆଉ  ନକଲି, ଅସଲି ଖୋଳତାଡ଼ କଲେନି । ନକଲିଙ୍କ  କଳେବର ବଢ଼ି ଚାଲିଲା । ବର୍ତ୍ତମାନ ନକଲିଙ୍କ ସଂଖ୍ୟା  ଏତେ ଅଧିକ ଯେ ଯୋଗାଣ ବିଭାଗ ଯୋଗ୍ୟଙ୍କୁ  ବି ତାଲିକାରେ ଯୋଡ଼ି ପାରୁନି । ଖୁବଶୀଘ୍ର ନୂଆ  ସରକାର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଲେ କିଛି  ଯୋଗ୍ୟ ଆବେଦନକାରୀଙ୍କ ଦୁଃଖ ଦୂର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.