ପ୍ରମୂଖ ଖବର

ହିଞ୍ଜିଳିରେ ପୁଣି ବାଜିଲା ଶଙ୍ଖ, ଗଡ ବଜାୟ ରଖିଲେ ବେଜେଡି ସୁପ୍ରିମୋ

ହିଞ୍ଜିଳିକାଟୁ, ୦୫/୦୬: ବିଜେଡିର ଗଡ ଥିଲା ଗଞ୍ଜାମ ଜିଲ୍ଲା । ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ମାତ୍ର ୪୬୪୯ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜିଲ୍ଲାରେ ସମସ୍ତ ବିଜେତା ପ୍ରାର୍ଥୀଙ୍କ ଭୋଟ୍‌ ବ୍ୟବଧାନ ଦୃଷ୍ଟିରୁ ଏହା ସର୍ବନିମ୍ନ । ନବୀନ ୬୬୩୫୮ ଭୋଟ୍‌ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଶିଶିର ମିଶ୍ର ୬୧୭୦୯ ଭୋଟ୍‌ ପାଇଛନ୍ତି । ନବୀନଙ୍କୁ ଏଥର କଡ଼ା ଟକ୍କର ଦେଇଛନ୍ତି ଶିଶିର । କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ୫୩୬୬, ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ବଳରାମ ନାହାକ ୬୪୨, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ନାରାୟଣ ସାହୁ ୧୨୫୨, ଆମ୍‌ ଆଦମୀ ପାର୍ଟିର ଭଜରାମ ସାବତ ୫୯୧, ସ୍ୱାଧୀନ ପ୍ରାର୍ଥୀ ରାମ ନାରାୟଣ ବିଶ୍ୱାସରାୟ ୧୧୪୨, ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ନେତା ଅକ୍ଷୟ କୁମାର ୯୨୨, ଏସ୍‌. ଲକ୍ଷ୍ମୀ ଆଚାରୀ ୮୮୪, ସବିତା କୁମାରୀ ସାହୁ ୮୨୨ ଭୋଟ୍‌ ପାଇଥିବା ବେଳେ ନୋଟାରେ ପଡିଛି ୧୯୧୭ ଖଣ୍ଡ ଭୋଟ୍‌ । 

ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ ମଧ୍ୟ ହିଞ୍ଜିଳି ବିଜେଡି ଶିବିରରେ ନିରାଶା ଭାବ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଥିଲେ ହେଁ ଦଳ ରାଜ୍ୟରେ ଶାସନ କ୍ଷମତା ଗ୍ରହଣ କରିବାକୁ ଥିବାରୁ ସ୍ଥାନୀୟ ବିଜେପି କର୍ମୀ ମହଲରେ ଉତ୍ସାହ ଭାବ ଦେଖିବାକୁ ମିଳିଛି । ହିଞ୍ଜିଳି ବିଧାନସଭା ଆସନରେ ବିଜେଡି ସୁପ୍ରିମୋଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଥିଲେ । ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ ହିଞ୍ଜିଳି ବ୍ଲକ୍‌ର ସମୁଦାୟ ୨୧ଟି ପଞ୍ଚାୟତ, ଶେରଗଡ଼ ବ୍ଲକ୍‌ର ୨୨ଟି ପଞ୍ଚାୟତ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ଟି ୱାର୍ଡକୁ ନେଇ ଗଠିତ । ମୋଟ ୨ ଲକ୍ଷ ୩୨ ହଜାର ୧୦୯ ଭୋଟରଙ୍କ ମଧ୍ୟରୁ ୬୧.୦୨ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୪୧ ହଜାର ୬୦୪ ମତଦାତା ଭୋଟ୍‌ ଦେଇଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ଆସୁଥିଲେ । ଏଥର ବିଜୟ ସହ ଷଷ୍ଠ ଥର ପାଇଁ ରାଜ୍ୟ ଶାସନ ଗ୍ରହଣ ପାଇଁ ଉଦ୍ୟମ ବେଳେ ବିପର୍ଯ୍ୟୟ ଘଟିଛି । ଅନ୍ୟପକ୍ଷରେ ହିଞ୍ଜିଳି ବିଧାନସଭା ଆସିକା ଥିବା ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥିନୀ ଅନିତା ଶୁଭଦର୍ଶନୀ ବିଜୟୀ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.