ଭୁବନେଶ୍ୱର,୨୧/୦୨: ଓଡିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବରେ ବାଲି ପରିବହନ କରୁଥିବା ବାଲି ହାଇୱା ଉପରେ ଜଳେଶ୍ୱର ତହସିଲ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ । ଜବତ ହେଲା ୮୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ହାଇୱା । ଘଟଣା ସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଜଳେଶ୍ୱର ତହସିଲ ଅଧୀନରେ ଥିବା ସମସ୍ତ ବାଲି ସୌରାତ ବନ୍ଦ ଥିବାବେଳେ, ଏହାର ସୁଯୋଗ ନେଇ ବାଲି ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି । ପ୍ରତ୍ୟେକ ଦିନ ରାତିରେ ହାଇୱା ମାଧ୍ୟମରେ ପଶ୍ଚିମବଙ୍ଗକୁ ବାଲି ଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ । ଏହି କାରଣରୁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ଏଥିରେ ରୋକ ଲଗାଇବା ପାଇଁ ଗୁରୁବାର ବିଳମ୍ୱିତ ରାତିରେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ୬୦ ନମ୍ୱର ଜାତୀୟ ରାଜପଥରେ ଜଗି ରହିଥିଲେ । ଏନେଇ ଖବର ପାଇ ସମସ୍ତ ହାଇୱା ରାଜପଥ କଡରେ ଥିବା ପେଟ୍ରୋଲ ଟାଙ୍କିରେ ଲୁଚି ରହି ଥିଲେ । ସକାଳ ସମୟରେ ତହସିଲ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଚଢ଼ାଉ କରି ସେଗୁଡିକୁ ଜବତ କରିଛି ପୋଲିସ । ୮୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ହାଇୱା ଜବତ କରି ସେଗୁଡ଼ିରୁ ଆରଟିଓ ଓ ମାଇନ୍ସକୁ ପଠାଇ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।