ଜଳେଶ୍ବର, ୧୫/୨ : କାର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଂଚଳରେ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ପ୍ରକାଶ ଯେ, ଶନିବାର ରାତି ପାଖାପାଖି ୯ଟା ସମୟରେ ଦୁଇଟି ବାଇକରେ ୪ଜଣ ଯୁବକ ଜଳେଶ୍ବର ଆଡୁ ଅଗ୍ରୱାଲ ଆଡକୁ ଯାଉଥିଲେ । ଏହି ସମୟରେ ଜଳେଶ୍ବର ସାଇ ମନ୍ଦିର ଅନତି ଦୂରରେ ଏକ ଅଜଣା କାର ଦ୍ରୁତ ଗତିରେ ଆସି, ଦୁଇ ବାଇକକୁ ପଛ ପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଫଳରେ ୪ବାଇକ ଆରୋହୀ ଛିଟିକି ପଡ଼ିଥିଲେ । ରାସ୍ତାଟି ଅନ୍ଧାର ଥିବାରୁ କେହି କିଛି ଜାଣି ପାରି ନ ଥିଲେ । ରାସ୍ତାରେ ଯାଉଥିବା କିଛି ଯୁବକ ଏହା ଦେଖି ୧୦୮ ଯୋଗେ ଗୁରୁତର ଯୁବକମାନଙ୍କୁ ଜଳେଶ୍ବର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିଲାବେଳେ ଦୁଇ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ଦୁଇଟି ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ କାର୍ ଚମ୍ପଟ ମାରିଛି ।