ନୀଳଗିରି,୧୭/୦୨: ମହୁ ଖାଇବାକୁ ଆଶା କରି ଗଛ ଉପରକୁ ଚଢିଥିଲା ମା ଭାଲୁ ସହ ଛୁଆ ଭାଲୁ । ହେଲେ ଘଟିଗଲା ଅଘଟଣ । ବିଦ୍ୟୁତ୍ ଆଘାତରେ ଚାଲିଗଲା ଭାଲୁ ଛୁଆର ଜୀବନ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମିତ୍ରପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ସୂଚନା ମୁତାବକ, ରବିବାର ରାତିରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ମା ଭାଲୁ ଛୁଆଙ୍କୁ ଧରି ଖାଦ୍ୟ ଅନ୍ୱେଷଣରେ ମିତ୍ରପୁର ଅଞ୍ଚଳକୁ ଆସିଥିଲା । ମିତ୍ରପୁର ଠାରୁ ଅଯୋଧ୍ୟା ରାସ୍ତା କଡରେ ଥିବା ଏକ ବର ଗଛରେ କିଛି ବାଘୁଆ ମହୁ ଥିବା ବେଳେ ଏହାକୁ ଖାଇବା ପାଇଁ ଭାଲୁଟି ଚଢି ଯାଇଥିଲେ । ଛୁଆ ଭାଲୁଟି ଗଛରୁ ଖସି ପାଖରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଥିବା ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି । ସକାଳୁ ଅଞ୍ଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହ ଭାଲୁଟିର ଶବ ତଳକୁ ଆଣି ବ୍ୟବଚ୍ଛେଦ ପାଇଁ ପଠାଇଛି।