ନୂଆଦିଲ୍ଲୀ,୦୯/୦୨: ପାଖେଇ ଆସୁଛି ମହା ଶିବରାତ୍ରି । ସେହି ଦିନକୁ ଅତି ବ୍ୟାକୁଳତାର ସହ ଚାହିଁ ରହଛି ସମଗ୍ର ମାନବ ସମାଜ । ଭଗବାନ ଏବଂ ଭକ୍ତଙ୍କର ହେବ ଅପୂର୍ବ ମିଳନ । ଶିବରାତ୍ରିରେ ନିର୍ଜଳା ଉପବାସ କରି ପ୍ରଭୁଙ୍କ ନିକଟରେ ସମର୍ପିତ ହେବେ ଭକ୍ତ । ଏହି ଦିନ ଭକ୍ତଗଣ ଶିବ ମନ୍ଦିର ଯାଇ ପ୍ରଭୁଙ୍କୁ କରିଥାନ୍ତି ପୂଜା । ଅନେକ ଲୋକ ପ୍ରତ୍ୟେକ ସୋମବାର ମଧ୍ୟ ଯାଇଥାନ୍ତି ଶିବ ମନ୍ଦିର, ଏବଂ ପ୍ରଭୁଙ୍କ ଦର୍ଶନ କରି ଆରମ୍ଭ କରିଥାନ୍ତି ଦିନ । ମନ୍ଦିରରେ ପୂଜା କରିବା ବେଳେ ଶିବଲିଙ୍ଗ ସାମ୍ନାରେ ପୂଜକ ୩ ଥର ତାଳି ମାରିବାର ଦୃଶ୍ୟ ମଧ୍ୟ ଆପଣମାନେ ଅନେକ ଥର ଦେଖିଥିବେ । ତେବେ କ’ଣ ରହିଛି ଏହି ନିୟମ ପାଳନ କରିବା ପଛର ରହସ୍ୟ ? କାହିଁକି ଶିବ ଲିଙ୍ଗ ସାମ୍ନାରେ ପୂଜାରୀ ମାରିଥାନ୍ତି ୩ ଥର ତାଳି, ଆସନ୍ତୁ ଜାଣିବା ।
ଆପଣଙ୍କୁ କହି ରଖୁଛୁ ଯେ, ମନ୍ଦିରରେ ଶିବଲିଙ୍ଗ ସାମ୍ନାରେ ଥରେ କିମ୍ୱା ଦୁଇ ଥର ନୁହେଁ, ତିନି ଥର ତାଳି ମାରି ପୂଜା ସମ୍ପର୍ଣ୍ଣ କରାଯାଇଥାଏ । ମହାଶିବରାତ୍ରି ଦିନ ଏହି ତାଳି ମାରିବା ପଛରେ ରହିଛି ବିଶେଷ ମହତ୍ତ୍ୱ । କାରଣ ଏହା ଖାସ୍ କରି ଶିବରାତ୍ରିରେ ହିଁ ଫଳପ୍ରଦ ହୋଇଥାଏ । ଶିବଲିଙ୍ଗ ସାମ୍ନାରେ ୩ଥର ତାଳି ମାରିବାର ରହିଛି ଭିନ୍ନ ଭିନ୍ନ ଅର୍ଥ । ତେବେ ଆସନ୍ତୁ ଜାଣିବା ଏହି ୩ଟି ତାଳିର ମହତ୍ତ୍ୱ । ଏ ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିଲେ ହେଁ, ଏହାକୁ ନେଇ ଲୋକଙ୍କ ମତ ଭିନ୍ନ ଭିନ୍ନ ହୋଇଥାଏ ।
ଶିବ ଲିଙ୍ଗ ସାମ୍ନାରେ ତିନି ଥର ତାଳି ମାରିବାର ଅର୍ଥ କଣ?
ଏପରି ମାନ୍ୟତା ରହିଛି ଯେ, ଶିବ ଲିଙ୍ଗ ସାମ୍ନାରେ ତିନି ଥର ତାଳି ମାରିବା ଦ୍ୱାରା ଭୋଲେବାବା ପ୍ରସନ୍ନ ହୋଇଥାନ୍ତି । ପ୍ରଥମ ତାଳି ମାରିବାର ଅର୍ଥ ହେଉଛି ପ୍ରଭୁଙ୍କ ସମ୍ମୁଖରେ ନିଜର ଉପସ୍ଥିତି ଜଣାଇବା । ଦ୍ୱିତୀୟ ତାଳିର ଅର୍ଥ ହେଉଛି ନିଜର ସମସ୍ତ ମନୋକାମନା ଭଗବାନଙ୍କୁ ଜଣାଇବା । ଏବଂ ତୃତୀୟ ତାଳିର ଅର୍ଥ ହେଉଛି ଇଶ୍ୱରଙ୍କୁ କ୍ଷମା ପ୍ରର୍ଥନା କରି ତାଙ୍କ ସରଣାପର୍ଣ୍ଣ ହେବା ।
ଲେଖକ ପ୍ରଦୀପ ମିଶ୍ରଙ୍କ ଅନୁଯାୟୀ, ଶିବ ମନ୍ଦିରରେ ତିନୋଟି ତାଳି ଦାନ କରିବା ଉଚିତ୍। ମାନ୍ୟତା ରହିଛି ଯେ, ଶିବ ମନ୍ଦିରରେ ତିନି ଥର ତାଳି ମାରିବା ଦ୍ୱାରା ସେଠାରେ ଅଭିଷେକ, ତପସ୍ୟା ଏବଂ ପୂଜାର୍ଚ୍ଚନା କରୁଥିବା ସମସ୍ତ ଲୋକଙ୍କ ପଣ୍ୟ କର୍ମ ଆମ ସହ ଯୋଡ଼ି ହୋଇଯାଏ । ତାଙ୍କ ଅନୁଯାୟୀ, ପ୍ରଥମ ଥର ପାଇଁ ରାବଣ (ଶିବଙ୍କର ସବୁଠାରୁ ବଡ଼ ଭକ୍ତ) ଶିବଙ୍କ ସମ୍ମୁଖରେ ତାଳି ବଜାଇଥିଲେ ଏବଂ ସୁବର୍ଣ୍ଣ ଲଙ୍କା ପାଇଥିଲେ । କୁହାଯାଏ ଯେ, ପ୍ରଭୁ ଶ୍ରୀ ରାମ ଲଙ୍କା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ରାମେଶ୍ୱରମ ଯାଇ ପୂଜା କରିଥିଲେ । ସେଠାରେ ଶିବଙ୍କ ପୂଜା କରିବା ପୂର୍ବରୁ ୩ ଥର ତାଳି ବଜାଇଥିଲେ । ଯାହା ତାଙ୍କୁ ଲକ୍ଷସ୍ଥଳରେ ପହଞ୍ଚାଇ ମା' ସୀତାଙ୍କୁ ରାବଣ କବଳରୁ ରକ୍ଷା କରି ଆଣିବାରେ ସହାୟକ ହୋଇଥିଲା ।