ନୂଆଦିଲ୍ଲୀ, ୧୨/୦୨: ମହାକୁମ୍ଭ ବିଶ୍ୱର ସର୍ବଶ୍ରେଷ୍ଠ ଧାର୍ମିକ ଆୟୋଜନ ମଧ୍ୟରୁ ଶ୍ରେଷ୍ଠ । ସାଧାରଣତଃ ୧୨ ବର୍ଷରେ ଥରେ ହୋଇଥାଏ କୁମ୍ଭମେଳା କିନ୍ତୁ ଚଳିତ ବର୍ଷ ସମଗ୍ର ବିଶ୍ୱ ଦେଖୁଛି ମାହାକୁମ୍ଭ । ଯାହା ୧୪୪ ବର୍ଷ ପରେ ଅର୍ଥାତ ୧୨ଟି କୁମ୍ଭମେଳା ପରେ ଏହି ବିରଳ ସଙ୍ଗମ ହୋଇଛି । ସେଥିପାଇଁ ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପାଇଁ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛନ୍ତି । ମାନ୍ୟତା ରହିଛି ଯେ, ଭକ୍ତଗଣ ପ୍ରୟାଗରାଜରେ ଆସ୍ଥାର ବୁଡ଼ ପକାଇବା ଦ୍ୱାରା ମନ ଏବଂ ଆତ୍ମା ସୁଦ୍ଧ ହୋଇଥାଏ ।
ମହାକୁମ୍ଭ ଏକ ମହାନ ସ୍ନାନ ପର୍ବ । ମହାକୁମ୍ଭର ଏହି ଅପୂର୍ବ ପର୍ବ ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୨୬ ତାରିଖରେ ଅର୍ଥାତ ମହାଶିବତ୍ରିରେ ଶେଷ ହେବ । ଏଠାରେ ଆସି ଭକ୍ତଗଣ ଇଶ୍ୱରଙ୍କ ଶରାଣାଗତ ହୋଇ ପବିତ୍ର ସଙ୍ଗମରେ ବୁଡ଼ ପକାଇଥାନ୍ତି । ହେଲେ କିଛି ବିଶେଷ ତିଥିରେ ମହାକୁମ୍ଭରେ ଅମୃତ ସ୍ନାନ ଏବଂ ପବିତ୍ର ସ୍ନାନର ଅପୂର୍ବ ସଂଯୋଗ ହୋଇଥାଏ । ଫେବୃୟାରୀ ୩ ତାରିଖ ବସନ୍ତ ପଞ୍ଚମୀ ତିଥିରେ ଶେଷ ଅମୃତ ସ୍ନାନ କରାଯାଇଥିଲା ଏବଂ ବର୍ତ୍ତମାନ ଭକ୍ତଗଣ ପବିତ୍ର ସ୍ନାନ କରୁଛନ୍ତି ।
ମହାକୁମ୍ଭରେ ସ୍ନାନ ପାଇଁ ମାଘ ପୂର୍ଣ୍ଣିମା କାହିଁକି ସର୍ବୋତ୍ତମ ଦିନ?
ପ୍ରୟାଗରାଜରେ ଏହି ପବିତ୍ର ସ୍ନାନ ଆଜି ଅର୍ଥାତ ମାଘ ପୂର୍ଣ୍ଣିମା ତିଥିରେ ହେଉଛି। ଏହା ମହାକୁମ୍ଭର ପଞ୍ଚମ ପବିତ୍ର ବୁଡ଼, ଯେଉଁଥିରେ କୋଟି କୋଟି ଲୋକ ପ୍ରୟାଗରାଜରେ ଏକତ୍ରିତ ହୋଇଛନ୍ତି ଏବଂ ତ୍ରିବେଣୀ ସଙ୍ଗମରେ ବିଶ୍ୱାସର ପବିତ୍ର ବୁଡ଼ ପକାଇ ମୋକ୍ଷ ପାଇଁ ପ୍ରାର୍ଥନା କରୁଛନ୍ତି । ଏହି କାରଣରୁ, ମାଘ ପୂର୍ଣ୍ଣିମା ତିଥିକୁ ମହାକୁମ୍ଭରେ ସ୍ନାନ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ପୂର୍ଣ୍ଣିମା ଦିନ ସ୍ନାନ, ଦାନ ଏବଂ ଉପବାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି।
ଧାର୍ମିକ ବିଶ୍ୱାସ ଅଛି ଯେ, ମାଘ ପୂର୍ଣ୍ଣିମାରେ ଦେବାଦେବୀମାନେ ପୃଥିବୀକୁ ଆସନ୍ତି ଏବଂ ମାନବ ରୂପରେ ତ୍ରିବେଣୀ ସଙ୍ଗମରେ ସ୍ନାନ ଏବଂ ତପସ୍ୟା କରନ୍ତି । ତେଣୁ, ଧାର୍ମିକ ଦୃଷ୍ଟିକୋଣରୁ, ମାଘ ପୂର୍ଣ୍ଣିମା ଦିନ ମହାକୁମ୍ଭରେ ସାହି ସ୍ନାନର ଗୁରୁତ୍ତ୍ୱ ଅଧିକ । ମାଘ ପୂର୍ଣ୍ଣିମାରେ ସ୍ନାନ କରିବା ଦ୍ୱାରା ସମସ୍ତ ମନୋବାଞ୍ଛା ପୂରଣ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହା ସହିତ, ଯେଉଁମାନେ ପୌଷ ପୂର୍ଣ୍ଣିମା ଦିନ କଳ୍ପବାସ ଆରମ୍ଭ କରିଥାନ୍ତି, ସେମାନେ ମାଘ ପୂର୍ଣ୍ଣିମାରେ କଳ୍ପବାସ ଶେଷ କରିଥାନ୍ତି ।
ମାଘ ପୂର୍ଣ୍ଣିମାରେ ସ୍ନାନ ସମୟ-
ମାଘ ପୂର୍ଣ୍ଣିମା ତିଥି ୧୧ ଫେବୃଆରୀ ସନ୍ଧ୍ୟା ୬ଟା ୫୫ ରୁ ଆରମ୍ଭ ହୋଇ ଏବଂ ୧୨ ଫେବୃଆରୀ ସନ୍ଧ୍ୟା ୭ଟା ୨୨ରେ ଶେଷ ହେବ। ଉଦୟତିଥି ଅନୁସାରେ, ମାଘ ପୂର୍ଣ୍ଣିମା ଫେବୃଆରୀ ୧୨ ତାରିଖରେ ହେବ । ଏହି ଦିନ ସ୍ନାନ ଏବଂ ଦାନ ପାଇଁ ଶୁଭ ସମୟ ସକାଳ ୫ଟା ୧୯ ରୁ ୬ଟା ୧୦ ପର୍ଯ୍ୟନ୍ତ ରହିବ।