ନୂଆଦିଲ୍ଲୀ, ୨୫/୦୬: ଲୋକସଭା ବାଚସ୍ପତି ପଦ ଲାଗି ବୁଧବାର ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଏନ୍ଡିଏ । ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରିବାର ସମୟ ରହିଛି । ଏହି ପଦକୁ ନିଜ ପାଖରେ ରଖିବାକୁ ବିଜେପି ଚାହୁଁଛି। ଦଳ ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିପାରେ । ରାଜସ୍ଥାନର କୋଟାରୁ ସାଂସଦ ଥିବା ବିର୍ଲା ପୂର୍ବଥର ମଧ୍ୟ ଲୋକସଭାର ଅଧ୍ୟକ୍ଷ ଥିଲେ। ବିର୍ଲାଙ୍କ ବ୍ୟତୀତ ଭର୍ତ୍ତୁହରି ମହତାବ, ରାଧାମୋହନ ସିଂହ ଓ ଡି.ପୁରନ୍ଦେଶ୍ୱରୀଙ୍କ ନାମ ଏଥିଲାଗି ଚର୍ଚ୍ଚାରେ ରହିଛି ।
ବିଜେପିର ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ପକ୍ଷରୁ ମଧ୍ୟ ଏହି ପଦକୁ ନେଇ ଦାବି ଉଠିଥିଲା । ପରବର୍ତ୍ତୀ ସମୟରେ ଜେଡିୟୁ ବିଜେପିର ଯେକୌଣସି ନିଷ୍ପତ୍ତିର ସମର୍ଥନ କରିବ ବୋଲି ଘୋଷଣା କରିଛି । ଟିଡିପି ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛି । ଅର୍ଥାତ୍ ଖୋଲାଖୋଲି ଭାବେ କିଛି ସ୍ପଷ୍ଟ କରିନାହିଁ । ସେପଟେ ‘ଇଣ୍ଡିଆ’ ମେଣ୍ଟ ଏଥରକ ଉପବାଚସ୍ପତି ପଦ ପାଇଁ ଦାବି କରିବ । ବରିଷ୍ଠ କଂଗ୍ରେସ ନେତା କେ.ସୁରେଶଙ୍କ ନାମ ଏଥିଲାଗି ଚର୍ଚ୍ଚାରେ ରହିଛି । ଯଦି ବିରୋଧୀ ଦଳକୁ ଏହି ପଦ ନ ମିଳେ ତେବେ ସେମାନେ ବାଚସ୍ପତି ପଦ ଲାଗି ମଧ୍ୟ ନିଜର ପ୍ରାର୍ଥୀ ଦେବେ ବୋଲି କୁହାଯାଉଛି । ଉପବାଚସ୍ପତି ପଦ ବିରୋଧୀ ଦଳକୁ ଦେବାର ପରମ୍ପରା ରହିଛି ।