ପ୍ରମୂଖ ଖବର
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ବିଜୁଳି ଓ ବଜ୍ରପାତ

ବଜ୍ରପାତରେ ପ୍ରାୟତଃ ୯୫ରୁ ୯୬  ପ୍ରତିଶତ ଗ୍ରାମୀଣ ଲୋକ ମୃତାହତ  ହୋଇଥାନ୍ତି । କାରଣ ସେମାନେ ଜୀବିକା  ପାଇଁ ଚାଷଜମିରେ, ଖୋଲା ସ୍ଥାନରେ ଓ  ରାସ୍ତାଘାଟରେ କାମ କରୁଥିଲା ବେଳେ  ଏହି ଦୁର୍ଘଟଣା ଘଟିଥାଏ । ମୌସୁମୀ  ସମୟରେ ବଜ୍ରପାତଜନିତ ଦୁର୍ଘଣାକୁ  ଏଡ଼ାଇବା ପାଇଁ ଆଗୁଆ ସତର୍କ ସୂଚନା  ଯେପରି ଜରୁରି, ସାଧାରଣ ଲୋକଙ୍କୁ  ସଚେତନ କରିବା ମଧ୍ୟ ସେତିକି ଜରୁରି ।

ବିଜୁଳି ଓ ଘଡ଼ଘଡ଼ିକୁ ଏବେ ବିଜୁଳି ଓ ବଜ୍ରପାତ  କହିଲେ ଅଧିକ ସମୀଚୀନ ହେବ । ପ୍ରାଗ୍‌  ଐତିହାସିକ ଯୁଗରେ ବଣ ଜଙ୍ଗଲରେ ଘୂରି ବୁଲୁଥିବା  ଆଦିମ ଅଧିବାସୀମାନଙ୍କୁ ଭ୍ରମିତ ଓ ଭୟଭୀତ  କରୁଥିବା ବସ୍ତୁମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ  ରହିଥିବ ଆକାଶରେ ବିଜୁଳି ଚମକ ଏବଂ ସମୟାନ୍ତରେ  ଘଡ଼ଘଡ଼ିର ଗୁରୁ ଗମ୍ଭୀର ଶବ୍ଦ । ଆଦିମ ମଣିଷ ଭାବୁଥିଲା  ଏହା ହେଉଛି ପ୍ରକୃତି ଦେବୀଙ୍କ କ୍ରୋଧର ପରିପ୍ରକାଶ।  ନିଶ୍ଚୟ ଦେବୀ ମାଆ ସେମାନଙ୍କ ଉପରେ ରାଗିଛନ୍ତି  ଓ ଶାସ୍ତି ଦେଉଛନ୍ତି । ସାମୟିକ ବିଜୁଳି  ଏବଂ ପରେ ପରେ ମୃଦୁ ଘଡ଼ଘଡ଼ିର ଏକ  ଚମତ୍କାର ଭୂମିକା ଆମ ଚଳଚ୍ଚିତ୍ର ଜଗତରେ  ମଧ୍ୟ ଦେଖିବାକୁ ମିଳିଥାଏ । ଚଳଚ୍ଚିତ୍ରରେ  ନାୟକ, ନାୟିକା ବର୍ଷାରେ ଭିଜି ଭିଜି  ନାଚୁଥିବେ । ହଠାତ୍‌ ଅନପେକ୍ଷିତ  ବିଜୁଳି ଓ ଘଡ଼ଘଡ଼ି ପରିସ୍ଥିତିକୁ ଗମ୍ଭୀର  କରିଦେବ । ନାୟିକା ଭୟଭୀତ ନାୟକକୁ ଜାବୁଡ଼ି  ଧରିବ । ରୋମାଞ୍ଚକର ଦୃଶ୍ୟପଟ୍ଟ । ଏବେ କିନ୍ତୁ ଜଳବାୟୁ  ପରିବର୍ତ୍ତନ ଫଳରେ ବର୍ଷା, ବିଜୁଳି ଓ ଘଡ଼ଘଡ଼ିର  ବ୍ୟାଖ୍ୟା ବଦଳି ଯାଇଛି । ରିମ୍‌ଝିମ୍‌ ଟୁପୁରୁ ଟାପୁରୁ ବର୍ଷା  ବଦଳରେ ବାଦଲଫଟା ବର୍ଷା ଅଙ୍କାବଙ୍କା ବିଜୁଳି ଚମକ  ବଦଳରେ ଭୟ ଉଦ୍ରେକକାରୀ ବିଜୁଳି, ଗୁରୁ ଗମ୍ଭୀର  ଘଡ଼ଘଡ଼ି ସ୍ଥାନରେ ଆତଙ୍କିତ ବଜ୍ରପାତ । 

ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ କିଛିଦିନ  କ୍ରମାଗତ ଲକ୍ଷ୍ୟ କରାଗଲା, ପ୍ରାୟ ପ୍ରତିଦିନ ଅପରାହ୍ନରେ  ଆକସ୍ମିକ ବାଦଲଫଟା ବର୍ଷା ସାଙ୍ଗକୁ ତୀବ୍ର ବଜ୍ରପାତ  କାରଣରୁ ଏକାଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସାପ୍ତାହକ  ମଧ୍ୟରେ ବଜ୍ରପାତ ବିପର୍ଯ୍ୟୟରେ ମୃତୁସଂଖ୍ୟା ପାଖାପାଖି ୩୦ ଟପିଲାଣି । ୨୦୨୪ ମସିହା ଜାନୁଆରୀରୁ ଅଗଷ୍ଟ  ମାସ ଭିତରେ ଆମ ରାଜ୍ୟରେ ୧୨୨ଜଣ ବ୍ୟକ୍ତି ପ୍ରାଣ  ହରେଇଲେଣି । କେବଳ ଓଡ଼ିଶାରେ ଯେ, ଏହି ଦୁର୍ଘଟଣା  ଘଟୁଛି ତାହା ନୁହେଁ । ଉଭୟ ମଧ୍ୟ ଓ ପୂର୍ବ ଭାରତରେ  ପ୍ରତିବର୍ଷ ବଜ୍ରପାତରେ ହଜାର ହଜାର ଲୋକଙ୍କର ଜୀବନ  ଯାଉଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ  ଅନୁସାରେ, ଗତ ୨୦୨୨ ମସିହାରେ ଦେଶରେ ପ୍ରାକୃତିକ  ବିପର୍ଯ୍ୟୟ ଯଥା- ବନ୍ୟା, ବାତ୍ୟା, ଭୂମିକମ୍ପ ଓ ସୁନାମି  ଆଦିରେ ୮୦୬୦ ଜଣ ମୃତ୍ୟୁବରଣ କରିଥିବା ବେଳେ  ତନ୍ମଧ୍ୟରୁ ୩୬% ଅର୍ଥାତ୍‌ ୨୮୮୬ ଜଣ କେବଳ ବିଜୁଳି  ଓ ବଜ୍ରପାତରେ ଜୀବନ ହାରିଛନ୍ତି । 

୧୯୬୭ ମସିହାରେ  ଏହି କାରଣରୁ ମୃତ୍ୟୁସଂଖ୍ୟା ଥିଲା ମାତ୍ର ୧୧୬୫ ।  ଅର୍ଥାତ୍‌ ୫୫ ବର୍ଷରେ ମୃତ୍ୟୁସଂଖ୍ୟା ଦେଢ଼ ଗୁଣ ବଢ଼ିଛି ।  ୨୦୨୨ରେ ଘାତକ ବିଜୁଳି ଓ ବଜ୍ରପାତରେ ଦେଶରେ  ଅଧିକ ସଂଖ୍ୟକ ମୃତ୍ୟୁବରଣ କରିଥିବା ପାଞ୍ଚଟି ରାଜ୍ୟ  କ୍ରମାନ୍ୱୟରେ ମଧ୍ୟପ୍ରଦେଶ-୪୯୬, ବିହାର-୩୨୯,  ଓଡ଼ିଶା-୩୧୬, ଏହା ପଛକୁ ଉତ୍ତରପ୍ରଦେଶ-୩୦୧  ଏବଂ ଝାଡ଼ଖଣ୍ଡ-୨୬୭ । ଏ କ୍ଷେତ୍ରରେ ଓଡ଼ିଶା ହେଉଛି  ଦେଶର ତୃତୀୟ ସମ୍ବେଦନଶୀଳ ରାଜ୍ୟ । ବିଗତ କିଛି  ବର୍ଷ ହେଲା ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁ ବର୍ଷକୁ  ହାରାହାରି ୨୫୦ରୁ ଅଧିକ ରହୁଛି । ବିଶେଷ ଭାବେ  ମୃତାହତ ହେଉଛନ୍ତି ବିଲରେ ଚାଷ କରୁଥିବା କୃଷକ,  ଖୋଲା ପଡ଼ିଆରେ ଗାଈ ଚରାଉଥିବା ଗୋପାଳକ ବା ଖେଳୁଥିବା ପିଲାମାନେ ଏବଂ ନଦୀ ନାଳରେ ମାଛ  ଧରୁଥିବା ମତ୍ସ୍ୟଜୀବୀ । 

ବିଜୁଳି ଓ ବଜ୍ରପାତଜନିତ ଅଧିକ କ୍ଷୟକ୍ଷତି ଏବଂ  ଉଭୟ ମନୁଷ୍ୟ ଓ ପଶୁମାନଙ୍କର ଜୀବନହାନି ଘଟୁଥିବା  ପଛରେ ଜଳବାୟୁ ପରିବର୍ତ୍ତନର କି ଭୂମିକା ରହିଛି?  ଗ୍ରୀଷ୍ମ ଋତୁର ଅତ୍ୟଧିକ ଉତ୍ତାପ ଓ ଆକସ୍ମିକ ପ୍ରବଳ  ବୃଷ୍ଟିପାତର ସଂଯୋଗ ଭୂପୃଷ୍ଠର ତାପମାତ୍ରାକୁ ସ୍ଥାନାନ୍ତରଣ  କରେ ଏବଂ ପ୍ରାୟ ଅଧଘଣ୍ଟାଏ ଭିତରେ ସୃଷ୍ଟିହୁଏ  ଘନଘନ ବିଜୁଳି ଓ ବଜ୍ରପାତ । ଉତ୍ତପ୍ତ ଭୂପୃଷ୍ଠରୁ ଉଷ୍ମ  ବାୟୁ ଉପର ସ୍ତର ବାୟୁମଣ୍ଡଳକୁ ଉଠିଯାଏ। ସେଠାରେ  ଏହା ଘନୀଭୂତ ହୋଇ ଜଳକଣାରେ ପରିଣତ ହୁଏ  ଏବଂ କ୍ରମେ ଏହାର ଆକାର ବୃଦ୍ଧିପାଇ ବରଫ ସ୍ଫଟିକରେ  ପରିଣତ ହୋଇଥାଏ । ବରଫ ସ୍ଫଟିକର ଆକାର ବୃଦ୍ଧି  ଘଟିଲେ ଏହା କୁଆପଥରରେ ପରିବର୍ତ୍ତନ ହୋଇ ତଳକୁ  ଖସିବାକୁ ଲାଗେ । 

ବାୟୁ ଚଳନ ଓ ମେଘ ଭିତରେ  ଥିବା ତୁଷାର ସ୍ଫଟିକ ବା କଣିକା ସହିତ ସଂଘର୍ଷ  ଫଳରେ ଏହି କଣିକାଗୁଡ଼ିକ ବୈଦ୍ୟୁତିକ ଶକ୍ତି  ଆହରଣ କରନ୍ତି । ଋଣାତ୍ମକ ଚାର୍ଜ (ଇଲେକଟ୍ରନ)  ମେଘମାଳାର ନିମ୍ନାଂଶରେ ଏବଂ ଧନାତ୍ମକ  ଚାର୍ଜ (ପ୍ରୋଟୋନ) ଏହାର ଉପରାଂଶରେ ସୃଷ୍ଟି ହୋଇଥାଏ । ଏହା ସମ୍ଭବ ହୁଏ, ଯେତେବେଳେ  ହାଲ୍‌କା ବରଫକଣିକା ମେଘ ଉପରେ ଏବଂ  କରକା ବା କୁଆପଥର ମେଘର ତଳ ଅଂଶରେ  ରହିଥାଏ । କ୍ରମଶଃ ଏହି ବିଦ୍ୟୁତ ଚାର୍ଜିତ ଇଲାକା  ମେଘମାଳା ଭିତରେ ଏବଂ ମେଘ ଓ ଭୂପୃଷ୍ଠ  ମଧ୍ୟରେ ବୃଦ୍ଧି ପାଇବାକୁ ଲାଗେ। ଯେତେବେଳେ ଧନାତ୍ମକ ଓ ଋଣାତ୍ମକ ଚାର୍ଜ ମଧ୍ୟରେ ଆକର୍ଷଣ  ଚରମ ସୀମାରେ ପହଞ୍ଚେ ଏବଂ ସେମାନେ  ପରସ୍ପର ମଧ୍ୟରେ ଅନ୍ତର ସୃଷ୍ଟି କରୁଥିବା ବାୟୁ ସ୍ତରକୁ ଭେଦ କରି ନିକଟବର୍ତ୍ତୀ ହୁଅନ୍ତି, ସେବେ  ତଡ଼ିତ୍‌ ଶକ୍ତିର ନିଃସରଣରୁ ବିସ୍ଫୋରଣ ଘଟି ଆକସ୍ମିକ  ଅତ୍ୟୁଜ୍ୱଳ ଆଲୋକ ଉଦ୍‌ଭାସିତ ହୁଏ, ଯାହାକୁ ବିଜୁଳି  କୁହାଯାଏ । ଧନାତ୍ମକ ଓ ଋଣାତ୍ମକ ଚାର୍ଜର ସଂସ୍ପର୍ଶରେ  ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଲାବେଳେ ତାପମାତ୍ରା  ୫୦ହଜାର ଡିଗ୍ରୀ ଫାରେନହିଟ ପର୍ଯ୍ୟନ୍ତ ବୃଦ୍ଧିପାଏ । ଏହା  ସୌର ପୃଷ୍ଠର ତାପମାତ୍ରା ଠାରୁ ୫ଗୁଣ ଅଧିକ । ଫଳରେ  ଆଖପାଖର ବାୟୁମଣ୍ଡଳ ଖୁବ୍‌ ଶୀଘ୍ର ସଂସ୍ରସାରିତ  ହୋଇଯାଏ । ବିଜୁଳି ମାରିସାରିବା ପର ମୁହୂର୍ତ୍ତରେ  ବାୟୁସ୍ତର ଥଣ୍ଡା ହୋଇଯାଇ ତ୍ୱରିତ ବେଗରେ ସଂକୁଚିତ  ହେବାକୁ ଲାଗେ । 

ବାୟୁମଣ୍ଡଳର ତଡ଼ିତ୍‌ ତାପମାତ୍ରା  ବୃଦ୍ଧି, ସଂପ୍ରସାରଣ ଓ ଦ୍ରୁତ ସଂକୋଚନ ଫଳରେ ତୀବ୍ର  ଶବ୍ଦ ତରଙ୍ଗ ସୃଷ୍ଟି ହୋଇଥାଏ । ଯାହାକୁ ଆମେ ଘଡ଼ଘଡ଼ି  କହୁ । ଅତ୍ୟୁଜ୍ୱଳ ଆଲୋକର ଉଦ୍‌ଭାସ ବିଜୁଳି ନିମ୍ନତମ  ବାଧା ସୃଷ୍ଟି କରୁଥିବା ସହଜ ରାସ୍ତାରେ ଗତି କରେ ।  ତେଣୁ ବିଜୁଳି ଚମକ ଅଙ୍କାବଙ୍କା ଦେଖାଯାଏ । ଉଭୟ ବିଜୁଳି ଓ ଘଡ଼ଘଡ଼ି ଏକା ସମୟରେ ସୃଷ୍ଟି  ହେଇଥିଲେ ମଧ୍ୟ ପ୍ରଥମେ ଆକାଶରେ ବିଜୁଳି ମାରିବା  ଦୃଶ୍ୟମାନ ହୁଏ ଓ କିଛି ସେକେଣ୍ଡ ପରେ ଘଡ଼ଘଡ଼ି  ଶବ୍ଦ ଶୁଣାଯାଏ । ଏହାର କାରଣ ହେଲା, ବିଜୁଳିର ଗତି  ଆଲୋକର ଗତି ସହିତ ସମାନ । ଏହା ସେକେଣ୍ଡକୁ  ୩୦କୋଟି ମିଟର ବେଗରେ ଗତି କରେ । ତେଣୁ  ବାୟୁମଣ୍ଡଳରୁ ଭୂପୃଷ୍ଠକୁ ଆସିବା ନିମନ୍ତେ ଉଭୟେ  ନେଉଥିବା ସମୟରେ ବ୍ୟବଧାନ ଥାଏ । ଘଡ଼ଘଡ଼ିର  ଶବ୍ଦ ଆଗକୁ ୧୦ ମାଇଲ ଦୂରତାରୁ ଶୁଣାଯାଏ, କିନ୍ତୁ  ସେତେେବେଳକୁ ବିଜୁଳି ଆମ ନିକଟରେ ପହଞ୍ଚି  କ୍ଷୟକ୍ଷତିର କାରକ ହୋଇସାରିଥାଏ । ଅତ୍ୟୁଜ୍ୱଳ  ବିଦ୍ୟୁତ ଝଲକରେ ହାରାହାରି ୫୦୦ କୋଟି ‘ଜୁଲ୍‌’ର  ଶକ୍ତି ଥାଏ (ଜୁଲ- ଶକ୍ତି ମାପିବାର ଏକକ) । ଏହା  ଏକ ୧୦୦ ପାୱାର ବଲ୍‌ବକୁ ୧୮ ମାସ ପର୍ଯ୍ୟନ୍ତ ଜଳାଇ  ରଖିବାକୁ ସକ୍ଷମ ।

 ବିଜୁଳି ଚମକ ହିଁ ବିଦ୍ୟୁତ ପ୍ରବାହର  ପ୍ରତିରୂପ । ତେଣୁ ଏହା ବିଶେଷ ଭାବେ କ୍ଷତିକାରକ,  ବଜ୍ରପାତଜନିତ ମୃତ୍ୟୁର କାରଣ, ଘଡ଼ଘଡ଼ି ନୁହେଁ ।  ଭାରତୀୟ ପାଣିପାଗ ସଂସ୍ଥାର ପୂର୍ବତନ ଡାଇରେକ୍ଟର  ଜେନେରାଲ କେ. ଜେ. ରମଣ କୁହନ୍ତି ବିଶ୍ୱତାପନ ଓ  ଜଳବାୟୁ ପରିବର୍ତ୍ତନରେ ବିଜୁଳି ଓ ବଜ୍ରପାତ ସହିତ ଏକ  ପରୋକ୍ଷ ସଂପର୍କ ରହିଛି । ବିଶ୍ୱ ତାପମାତ୍ରା ହାରାହାରି  ୧ ଡିଗ୍ରୀ ସେଣ୍ଟିଗ୍ରେଡ ବଢ଼ିଲେ ବିଜୁଳି ଓ ବଜ୍ରପାତର  ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇବ, ସେଥିମଧ୍ୟରୁ  ଅନେକ ଘାତକ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ।  ଭାରତୀୟ କ୍ରାନ୍ତୀୟ ପାଣିପାଗ ବିଜ୍ଞାନ ଅନୁଷ୍ଠାନ କୁହେକେତେକ ନିର୍ଦ୍ଦିଷ୍ଟ ସ୍ଥାନର ଭୌଗୋଳିକ ସ୍ଥିତି ବଜ୍ରପାତ  ନିମନ୍ତେ ଅଧିକ ସମ୍ବେଦନଶୀଳ, ଆମ ରାଜ୍ୟ ଓଡ଼ିଶାର  ଉନ୍ମୁକ୍ତ ଖଣିଖାଦାନ ଓ ଶିଳ୍ପାୟନ ଏଥିପାଇଁ ପ୍ରକାରାନ୍ତରେ  ଏକପ୍ରକାର ଦାୟୀ । 

ବଜ୍ରପାତରେ ପ୍ରାୟତଃ ୯୫ରୁ ୯୬ ପ୍ରତିଶତ  ଗ୍ରାମୀଣ ଲୋକ ମୃତାହତ ହୋଇଥାନ୍ତି । କାରଣ  ସେମାନେ ଜୀବିକା ପାଇଁ ଚାଷଜମିରେ, ଖୋଲା  ସ୍ଥାନରେ ଓ ରାସ୍ତାଘାଟରେ କାମ କରୁଥିଲା ବେଳେ  ଏହି ଦୁର୍ଘଟଣା ଘଟିଥାଏ । ମୌସୁମୀ ସମୟରେ ଏହି  ଦୁର୍ବିପାକ ମାତ୍ରାଧିକ, ବଜ୍ରପାତଜନିତ ଦୁର୍ଘଣାକୁ  ଏଡ଼ାଇବା ପାଇଁ ଆଗୁଆ ସତର୍କ ସୂଚନା ଯେପରି ଜରୁରି,  ସାଧାରଣ ଲୋକଙ୍କୁ ସଚେତନ କରିବା ମଧ୍ୟ ସେତିକି  ଜରୁରି । ଯେପରିକି ବଜ୍ରପାତ ପୂର୍ବରୁ ଖୋଲା ସ୍ଥାନରୁ  ପକ୍କାଘର ଭିତରକୁ ଚାଲିଆସିବା, କୋଠାଘରେ ବିଦ୍ୟୁତ  ପ୍ରତିରୋଧକ ବ୍ୟବସ୍ଥା କରିବା, ଗଛଗୁଡ଼ିକ  ବିଦ୍ୟୁତ ସୁପରିବାହୀ ହୋଇଥିବାରୁ ବର୍ଷାବେଳେ  ଗଛମୂଳେ ଛିଡ଼ା ନହେବା ବା ଇଲେକଟ୍ରିକ ଖୁଣ୍ଟ  ନିକଟରେ ଛିଡ଼ା ନହେବା ଇତ୍ୟାଦି । ଭାରତୀୟ  ପାଣିପାଗ ବିଜ୍ଞାନ ଆନୁକୂଲ୍ୟରେ ସ୍ଥାପିତ  ହୋଇଥିବା ଡପଲର ରାଡାର କେନ୍ଦ୍ରଗୁଡ଼ିକ  ବଜ୍ରପାତ ସମ୍ବନ୍ଧରେ ଆଗୁଆ ସଠିକ୍‌ ଓ ସତର୍କ  ସୂଚନା ଜାରି କରିପାରୁଛି । 

ଭାରତ ସରକାର  ୨୦୨୦ ମସିହାରେ ଏକ ମୋବାଇଲ ଆପ୍‌  ‘ଦାମିନୀ’ର ପ୍ରୟୋଗ ଆରମ୍ଭ କରିଥିଲେ । ଏହି  ଆପ୍‌ ଜରିଆରେ ୪୦ କିଲୋମିଟର ପରିମିତ  ଇଲାକାରେ ଜିପିଏସ ନିର୍ଦ୍ଧାରିତ ସ୍ଥାନରେ  ସଠିକ୍‌ ଓ ସତର୍କ ସୂଚନା ମିଳିପାରିବ । ଓଡ଼ିଶା,  ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର  ବଜ୍ରପାତରେ ମନୁଷ୍ୟ ଓ ଗୃହପାଳିତ ପଶୁଙ୍କର  ମୃତ୍ୟୁକୁ ଏଡ଼ାଇବା ପାଇଁ ବ୍ୟାପକ ଭାବେ ତାଳଗଛ  ରୋପଣ ଉଦ୍ୟମ କରୁଛନ୍ତି । କାରଣ ତାଳଗଛଗୁଡ଼ିକ  ଡେଙ୍ଗା ଓ ଉଚ୍ଚା ହୋଇଥିବାରୁ ବିଦ୍ୟୁତ ଶକ୍ତିକୁ ନିଜ  ଆଡ଼କୁ ଆକର୍ଷିତ କରି ଆପେ ଜଳିଯାଏ । ଭାରତ  ସରକାର ବିଜୁଳି ଓ ବଜ୍ରପାତଜନିତ ମୃତ୍ୟୁକୁ ଏପର୍ଯ୍ୟନ୍ତ  ଜାତୀୟ ବିପର୍ଯ୍ୟୟ ରୂପେ ଘୋଷଣା କରିନାହାନ୍ତି । କିନ୍ତୁ  ରାଜ୍ୟ ସରକାର ପ୍ରତ୍ୟେକ ମୃତକ ପାଇଁ ୪ଲକ୍ଷ ଟଙ୍କା  ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ବଜ୍ରପାତ  ବିପତ୍ତିକୁ ଏଡ଼ାଇବା ପାଇଁ ଆଗୁଆ ସୂଚନା ସତର୍କତା ଓ  ଜନସଚେତନତା ଏକାନ୍ତ ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.