ଭୁବନେଶ୍ଵର, ୧୧/୦୨ : ଖଣ୍ଡଗିରି ମେଳା ପ୍ରସ୍ତୁତି ବୈଠକରେ ବିଏମ୍ସି ବାହାଦୁରି ମାରିଲା। ଏଥର ପର୍ଯ୍ୟାପ୍ତ ଶୌଚାଳୟ ଆଣି ଥୋଇବୁ । ଆବଶ୍ୟକ ପଡ଼ିଲେ ପୁରୀରୁ ଭଡ଼ାରେ ଆଣିବୁ । ହେଲେ ଯାତ୍ରା ଆରମ୍ଭ ବେଳକୁ ସବୁ ଫେଲ । ଶୌଚାଳୟ ଅଭାବ ଯୋଗୁଁ ଏବେ ମଳମୂତ୍ରରେ ଭାସିଲାଣି ଖଣ୍ଡଗିରି । ଦୁର୍ଗନ୍ଧରେ ଫାଟି ପଡୁଛି ନାକ । ଖଣ୍ଡଗିରି ମେଳାରେ ପ୍ରତିଦନ ହଜାର ହଜାର ଲୋକେ ଆସୁଛନ୍ତି । ସେମାନଙ୍କ ପାଇଁ ବିଏମ୍ସି ପକ୍ଷରୁ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା କରାଯାଇନି । ଫଳରେ ବାଧ୍ୟ ହୋଇ ଲୋକେ ରାସ୍ତା କଡ଼ରେ କାମ ସାରୁଛନ୍ତି । ଖଣ୍ଡଗିରି ପାହାଡ଼ ତଳେ ଏବଂ ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟ ଦୁର୍ଗନ୍ଧରେ ଫାଟୁଛି । ଲୋକେ ନାକରେ ହାତ ଦେଇ ଯିବା ଆସିବା କରୁଛନ୍ତି । ହେଲେ ବିଏମ୍ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି ।
ଖଣ୍ଡଗିରି ଓଭରବ୍ରିଜ୍ ତଳ ଅବସ୍ଥା ନ କହିଲେ ଭଲ । ସିଧା ବ୍ୟାରିକେଡ୍ ପାର କରି ମେଡିଆନରେ ଲାଗିଥିବା ଗଛ ଉପରେ ପରିସ୍ରା କରୁଛନ୍ତି । ଲୁଣି ପାଣିରେ ଗଛ ମରିବା ସ୍ଥିତି ହେଲାଣି । ଦୁର୍ଗନ୍ଧରେ ଟ୍ରାଫିକ ପୁଲିସ ଠିଆ ହୋଇ ପାରୁନାହାନ୍ତି । ପୁରୁଷଙ୍କ କଥା ଅଲଗା । ମହିଳାଙ୍କୁ ପରିସ୍ରା ଲାଗିଲେ ସ୍ଥିତି ଜଟିଳ । ପ୍ରତି ଯାତ୍ରା କମିଟିକୁ ଶୌଚାଳୟ ରଖିବାକୁ କୁହାଯାଇଥିଲା । ହେଲେ ସେମାନେ ମଧ୍ୟ ନିଜସ୍ୱ ଶୌଚାଳୟ ରଖୁନାହାନ୍ତି । ଖଣ୍ଡଗିରିକୁ ଆସିଥବା ସାଧୁସନ୍ଥ ମାନଙ୍କ ଅବସ୍ଥା ଆହୁରି ଜଟିଳ । ପରିସ୍ରା ଏବଂ ଶୌଚ ହେବାକୁ କଷ୍ଟ । ଏପରି କି ଗାଧେଇବାକୁ ମଧ୍ୟ ବିଏମ୍ସି ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନି । ଖଣ୍ଡଗିରି ମେଳାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଆସୁଛି । ବିଏମ୍ସି ଲୋକଙ୍କ ଠାରୁ ରାଜସ୍ୱ ନେଉଛି । ହେଲେ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ । ଆବଶ୍ୟକୀୟ ଶୌଚାଳୟ ଯୋଗାଇ ପାରୁନି । ଲୋକେ ଏବଂ କମିଟି ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ।
ଏହି ଖବରଟିକୁ ପଢନ୍ତୁ-ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ଆଜି ମଞ୍ଚ ଛାଡ଼ିବେ ୫ ଅପେରା, ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇରେ ସାମିଲ ହେବେ ଆଉ ୫