ନୂଆଦିଲ୍ଲୀ: କିର୍ଷ୍ଟି କଭେଣ୍ଟ୍ରି ଗୁରୁବାର (ମାର୍ଚ୍ଚ ୨୦) ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସେ IOC ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହେବାର ପ୍ରଥମ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଆଇଓସିର ଦଶମ ଅଧ୍ୟକ୍ଷ ହୋଇଛନ୍ତି । ୪୧ ବର୍ଷୀୟା କିର୍ଷ୍ଟି ସନ୍ତରଣରେ ଦୁଇଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଜିମ୍ବାୱେରେ କ୍ରୀଡ଼ା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଅଧ୍ୟକ୍ଷ ନିର୍ବାଚିତ ହେବା ପରେ କଭେଣ୍ଟ୍ରି କହିଛନ୍ତି, ‘ଏହା ଏକ ଅସାଧାରଣ ମୁହୂର୍ତ୍ତ।’ ସୂଚନାଯୋଗ୍ୟ, IOCର ସଦସ୍ୟ ହେବା ପୂର୍ବରୁ କଭେଣ୍ଟ୍ରି ଜିମ୍ବାୱେର ଜଣେ ମହାନ ଆଥଲେଟ୍ ଥିଲେ । ଏପର୍ଯ୍ୟନ୍ତ ଦେଶର ଆଠଟି ଅଲିମ୍ପିକ୍ ପଦକ ମଧ୍ୟରୁ ସେ ୭ଟି ଜିତିଛନ୍ତି । ୨୦୦୪ ଆଥେନ୍ସ ଅଲିମ୍ପିକ୍ସରେ ସେ ୨୦୦ ମିଟର ବ୍ୟାକଷ୍ଟ୍ରୋକରେ ସ୍ୱର୍ଣ୍ଣ ପଦକ ସହିତ ତିନୋଟି ପଦକ ଜିତିଥିଲେ । ଚାରି ବର୍ଷ ପରେ ସେ ସଫଳତାର ସହ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲେ ।
ସାତ ଜଣ ପ୍ରାର୍ଥୀ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରଥମ ପର୍ଯ୍ୟାୟରେ ଚମତ୍କାର ବିଜୟ ପରେ କଭେଣ୍ଟ୍ରିକୁ ଆଇଓସି ଅଧ୍ୟକ୍ଷ ପାଇଁ ମନୋନୀତ କରାଯାଇଛି । ପ୍ରାୟ ୧୦୦ ଜଣ IOC ସଦସ୍ୟ ଭୋଟିଂରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ କଭେଣ୍ଟ୍ରିଙ୍କୁ ସର୍ବାଧିକ ୪୯ ଖଣ୍ଡ ଭୋଟ ମିଳିଛି ।
Results of the election for the 10th IOC President:
— IOC MEDIA (@iocmedia) March 20, 2025
HRH Prince Feisal Al Hussein 2
David Lappartient 4
Johan Eliasch 2
Juan Antonio Samaranch 28
Kirsty Coventry 49
Lord Sebastian Coe 8
Morinari Watanabe 4 pic.twitter.com/AE3z0vE6r3
ଏହା କେବଳ ଏକ ବଡ଼ ସମ୍ମାନ ନୁହେଁ ବରଂ ଏହା ସମସ୍ତଙ୍କ ପ୍ରତି ମୋର ପ୍ରତିବଦ୍ଧତା । ମୂଳ ମୂଲ୍ୟବୋଧ ସହିତ ମୁଁ ଏହି ସଂଗଠନର ନେତୃତ୍ୱ ନେବି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଗର୍ବିତ କରିବି ଏବଂ ଆଶା କରୁଛି ଯେ ଆପଣମାନେ ଆଜି ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଖୁସି ହେବେ ବୋଲି କହିଛନ୍ତି କିର୍ଷ୍ଟି କଭେଣ୍ଟ୍ରି ।