ମୁମ୍ବାଇ ୨୨/୦୩: ବିଶ୍ୱର ସବୁଠୁ ଲୋକପ୍ରିୟ ଘରୋଇ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଆଇପିଏଲ୍’-୧୮ । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳ ନୂଆ ସିଜିନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତି ସିଜନରେ କିଛି ନୂଆ ପ୍ରତିଭାଙ୍କ ଆବିର୍ଭାବ ଘଟିଛି, ଯେଉଁମାନେ ନିଜ ପ୍ରଦର୍ଶନରେ ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି । ଆଇପିଏଲ୍ ବଳରେ ସେମାନେ ଜାତୀୟ ଦଳରେ ସ୍ଥାନ ପାଇପାରିଛନ୍ତି। ଏଥର ମଧ୍ୟ କିଛି ଏଭଳି ଯୁବ ପ୍ରତିଭା ଅଛନ୍ତି, ଯେଉଁମାନଙ୍କୁ ଭାରତର ଆଗାମୀ ଭବିଷ୍ୟତ ରୂପେ ଗଣନା କରାଯାଉଛି । ନୂଆ ସିଜନରେ ସେମାନେ ନିଜ ଦମ୍ ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି ।
ବୈଭବ ସୂର୍ଯ୍ୟବଂଶୀ (ବୟସ: ୧୩ବର୍ଷ) ଦଳ:
ରାଜସ୍ଥାନ ରୟାଲ୍ସ ବିହାରର ବ୍ୟାଟିଂ ବିସ୍ମୟ ବୈଭବଙ୍କ ଉପରେ ସମସ୍ତଙ୍କ ଉପରେ ନଜର ରହିବ । ସେ ଆଇପିଏଲ୍ରେ ସର୍ବକନିଷ୍ଠ ଖେଳାଳି ଭାବେ ପଦାର୍ପଣ କରିବାକୁ ଯାଉଛନ୍ତି । ଗତ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦କୋଟି ଟଙ୍କାରେ କିଣିଥିଲା । ବୈଭବଙ୍କୁ ଏବେ ମାତ୍ର ୧୩ ବର୍ଷ । ସେ ଜଣେ ବାମ ହାତି ବ୍ୟାଟର । ଘର ବିହାରର ସମଷ୍ଟିପୁର ସ୍ଥିତ ତାଜପୁରରେ । ତାଙ୍କ ବାପା ଜଣେ କୃଷକ । ମାତ୍ର ୯ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଏବଂ ୪ବର୍ଷ ମଧ୍ୟରେ ନିଜ ଦକ୍ଷତା ବଳରେ ଏତେ ବାଟ ପହଞ୍ଚି ପାରିଛନ୍ତି । ୧୨ବର୍ଷ ବୟସରେ ସେ ରଣଜୀ ଟ୍ରଫିରେ ପଦାର୍ପଣ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଗତ ବର୍ଷ ବୈଭବ ଉଭୟ ପ୍ରଥମ ଶ୍ରେଣୀ ଓ ଲିଷ୍ଟ-ଏ’ କ୍ରିକେଟରେ ପଦାର୍ପଣ କରିଥିଲେ । ମାତ୍ର ସେ ୧୯ବର୍ଷରୁ କମ୍ ଭାରତୀୟ ଦଳ ପକ୍ଷରୁ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଯୁବ ଟେଷ୍ଟରେ ୫୮ଟି ବଲ୍ରୁ ଦ୍ରୁତତମ ଶତକ ଅର୍ଜନ କରି ଷ୍ଟାର୍ ପାଲଟି ଯାଇଥିଲେ । ଏହାପରେ ସେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଚମକପ୍ରଦ ବ୍ୟାଟିଂ କରିଥିଲେ । ୧୯ବର୍ଷରୁ କମ୍ ଏସିଆ କପ୍ରେ ୨ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବାବେଳେ ବିହାରରେ ଆୟୋଜିତ ୧୯ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ତ୍ରିଶତକ ଅର୍ଜନ କରିଥିଲେ । ରାଜସ୍ଥାନ ରୟାଲ୍ସ ଦଳରେ ଏକାଧିକ ଷ୍ଟାର୍ ଖେଳାଳି ଅଛନ୍ତି । ତେଣୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ସୁଯୋଗ ଦେବା ଆଶା କରାଯାଉଛି ।
ଅଂଶୁଲ କମ୍ବୋଜ (ବୟସ: ୨୪ବର୍ଷ) ଦଳ:
ଚେନ୍ନାଇ ସୁପର କିଙ୍ଗ୍ସ ହରିଆନାର ଯୁବ ପେସ୍ ବୋଲିଂ ଅଲରାଉଣ୍ଡର ଅଂଶୁଲଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସାମିଲ ରହିଛନ୍ତି । ମେଗା ନିଲାମରେ ତାଙ୍କ ମୂଳ ଦର ୨୦ ଲକ୍ଷ ରହିଥିଲା । ମାତ୍ର ସୁପର କିଙ୍ଗ୍ସ ତାଙ୍କୁ ୩.୪୦ କୋଟି ଟଙ୍କାରେ କିଣି ଦଳରେ ସାମିଲ କରିଛି । ଗତ ବର୍ଷ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ରହିଥିଲେ । ଅଂଶୁଲଙ୍କ ବୟସ ୨୪ବର୍ଷ । ଉଚ୍ଚତା ୬ଫୁଟ୍ ୨ ଇଞ୍ଚ । ତାଙ୍କ ନିକଟରେ ଉଭୟ ପଟେ ବଲ୍ ସୁଇଂ କରିବାର କ୍ଷମତା ରହିଛି । ଗତ ବର୍ଷ ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଗୋଟିଏ ଇନିଂସ୍ରେ ୧୦ ୱିକେଟ୍ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ହରିଆନା ବିପକ୍ଷ ଏହି ମ୍ୟାଚ୍ରେ ସେ ୩୦.୧ ଓଭର ବୋଲିଂ କରି ୪୯ରନ୍ ଦେଇ ୧୦ଟି ଯାକ ୱିକେଟ୍ ଅକ୍ତିଆର କରିଥିଲେ । ଇତିମଧ୍ୟରେ ସେ ୨୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭୪ଟି ୱିକେଟ୍ ନେଇ ସାରିଲେଣି । ଲିଷ୍ଟ ଏ’ରେ ୨୫ଟି ମ୍ୟାଚ୍ରୁ ୪୦ଟି ୱିକେଟ୍ ନେଇଛନ୍ତି । କେବଳ ବୋଲିଂରେ ନୁହେଁ ବରଂ ନିମ୍ନଭାଗରେ ବ୍ୟାଟିଂ କରି ଦଳକୁ ଜିତାଇବାର କ୍ଷମତା ତ । ଙ୍କ ନିକଟରେ ରହିଛି । ଏଥର ସୁପର କିଙ୍ଗ୍ସ ପକ୍ଷରୁ ସୁଯୋଗ ପାଇଲେ ସେ ନିଶ୍ଚିତ ଭାବେ ସଫଳ ହେବେ ବୋଲି ଅନେକ ପୂର୍ବତନ ଖେଳାଳି ମତ ଦେଇଛନ୍ତି ।
ରବିନ ମିଞ୍ଜ (ବୟସ: ୨୨ବର୍ଷ) ଦଳ:
ମୁମ୍ବାଇ ଇଣ୍ଡିଆନ୍ସ ଗତ ବର୍ଷ ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଝାଡ଼ଖଣ୍ଡର ଯୁବ ୱିକେଟ୍ କିପର ବ୍ୟାଟର ମିଞ୍ଜ । ଏହି ଦୁର୍ଘଟଣା ତାଙ୍କ ଆଇପିଏଲ୍ ପଦାର୍ପଣ ସ୍ୱପ୍ନକୁ ଚୁର୍ମାର କରି ଦେଇଥିଲା । ଗତ ସିଜନରେ ଗୁଜରାଟ ଟାଇଟନ୍ସ ୩.୬୦କୋଟି ଟଙ୍କାରେ ତାଙ୍କୁ କିଣିଥିଲା । ମାତ୍ର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ବାଦ୍ ପଡ଼ିଥିଲେ । ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇସାରିଛନ୍ତି । ଗତ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୬୫ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି । ସେ ପ୍ରଥମ ଆଦିବାସୀ ଖେଳାଳି ଭାବେ ଆଇପିଏଲ୍ ପଦାର୍ପଣ କରିବାକୁ ଯାଉଛନ୍ତି । ୨୨ ବର୍ଷୀୟ ମିଞ୍ଜ ଜଣେ ଦୁର୍ଦ୍ଧର୍ଷ ବ୍ୟାଟର । ଏକାକୀ ମ୍ୟାଚ୍ ଜିତାଇବାର କ୍ଷମତା ତାଙ୍କ ନିକଟରେ ରହିଛି । ତାଙ୍କୁ ଝାଡ଼ଖଣ୍ଡର କ୍ରିସ୍ ଗେଲ୍ ଏବଂ ଭାରତର ପରବର୍ତ୍ତୀ ମହେନ୍ଦ୍ର ସିଂହ ଧୋନି ଭାବେ ଗଣନା କରାଯାଉଛି । ଏଥର ଈଶାନ କିଷନ ଦଳରେ ନଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ମିଞ୍ଜଙ୍କୁ ୱିକେଟ କିପିଙ୍ଗ୍ ଦାୟିତ୍ୱ ପ୍ରଦାନ କରିବା ଏକପ୍ରକାର ନିଶ୍ଚିତ । ଦଳରେ ମୋଟ ୩ଜଣ ୱିକେଟ୍ କିପର ରହିଛନ୍ତି । ମାତ୍ର ମିଞ୍ଜଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।
ପ୍ରିୟାଂଶ ଆର୍ୟା (ବୟସ: ୨୪ବର୍ଷ) ଦଳ:
ପଞ୍ଜାବ କିଙ୍ଗ୍ସ ଦିଲ୍ଲୀର ଯୁବ ବାମ ହାତି ବ୍ୟାଟର ପ୍ରିୟାଂଶଙ୍କୁ ଭାରତୀୟ ଦଳର ଆଗାମୀ ଭବିଷ୍ୟତ ରୂପେ ଗଣନା କରାଯାଉଛି । ସେ ପଞ୍ଜାବ କିଙ୍ଗ୍ସ ଦଳରେ ସାମିଲ ରହିଛନ୍ତି । ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୩.୪ କୋଟି ଟଙ୍କାରେ କିଣିଛି । ପ୍ରିୟାଂଶ ଗତ ବର୍ଷ ଦିଲ୍ଲୀ ପ୍ରିମିୟର ଲିଗ୍ (ଡିପିଏଲ୍) ରେ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଆତଙ୍କ ଖେଳାଇଥିଲେ । ଗୋଟିଏ ଓଭରରେ ୬ଟି ଛକା ମାରି ସମସ୍ତଙ୍କ ନଜରକୁ ଆସିଥିଲେ । ଉକ୍ତ ମ୍ୟାଚ୍ରେ ସେ ମାତ୍ର ୫୦ଟି ବଲ୍ର ସାମ୍ନା କରି ୧୨୦ରନ୍ ସଂଗ୍ରହ କରିଥିଲେ ଏବଂ ଆୟୂଷ ବାଦୋନିଙ୍କ ସହ ମିଶି ୨୮୬ରନ୍ର ଭାଗିଦାରୀ ଗଢ଼ିଥିଲେ । ଡିପିଏଲ୍ରେ ସେ ୧୦ଟି ମ୍ୟାଚ୍ ଖେଳି ୧୯୯ ଷ୍ଟ୍ରାଇକ୍ ରେଟ୍ରେ ମୋଟ ୬୦୮ରନ୍ କରିଥିଲେ । ଏହାପରେ ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ୯ଟି ଇନିଂସ୍ରେ ୩୨୫ରନ୍ ସଂଗ୍ରହ କରିଥିଲେ । ଉତ୍ତରପ୍ରଦେଶ ବିପକ୍ଷ ଏକ ମ୍ୟାଚ୍ରେ ଶତକୀୟ ଇନିଂସ୍ ଖେଳିଥିଲେ । ପ୍ରିୟାଂଶ ଟି-ଟ୍ୱେଣ୍ଟିରେ ୧୮ଟି ମ୍ୟାଚ୍ ଖେଳି ମୋଟ ୫୭୩ରନ୍ କରି ସାରିଛନ୍ତି ।
ସୂର୍ଯ୍ୟାଂଶ ସେଗଡେ (ବୟସ: ୨୨ବର୍ଷ) ଦଳ:
ପଞ୍ଜାବ କିଙ୍ଗ୍ସ ମୁମ୍ବାଇର ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଏଥର ପଞ୍ଜାବ କିଙ୍ଗ୍ସ ଦଳରେ ସାମିଲ ରହିଛନ୍ତି । ଗତ ନିଲାମରେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ମୂଳ ଦର ୩୦ ଲକ୍ଷ ଟଙ୍କାରେ କିଣିଥିଲା । ସେ ଜଣେ ଦକ୍ଷ ବ୍ୟାଟର ଏବଂ ବୋଲର । ପଞ୍ଜାବ କିଙ୍ଗ୍ସରେ ସେ ମ୍ୟାଚ୍ ଫିନିଶର ଦାୟିତ୍ୱ ତୁଲାଇ ପାରିବେ । ଚଳିତ ବର୍ଷ ମୁମ୍ବାଇକୁ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଚାମ୍ପିଅନ୍ କରାଇବାରେ ସୂର୍ଯ୍ୟାଂଶଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବିଦର୍ଭ ବିପକ୍ଷ କ୍ୱାର୍ଟର ଫାଇନାଲ୍ରେ ସେ ୧୨ଟି ବଲ୍ରୁ ଅପରାଜିତ ୩୬ରନ୍ କରି ଦଳକୁ ବିଜୟୀ କରାଇଥିଲେ । ସେହିପରି ମଧ୍ୟପ୍ରଦେଶ ବିପକ୍ଷ ଫାଇନାଲ୍ ମୁକାବିଲାରେ ୧୫ବଲ୍ରୁ ଅପରାଜିତ ୩୬ରନ୍ର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ । ୨୦୨୩ରେ ସୂର୍ଯ୍ୟାଂଶ ଲକ୍ଷେ୍ନø ସୁପରଜାଏଣ୍ଟ୍ସ ଦଳର ସଦସ୍ୟ ରହିଥିଲେ । ପେସ୍ ବୋଲର ଜୟଦେବ ଉନାକାତ୍ଙ୍କ ବଦଳରେ ତାଙ୍କୁ ସାମିଲ କରାଯାଇଥିଲା । ମାତ୍ର ସେ ପଦାର୍ପଣ ସୁଯୋଗ ପାଇନଥିଲେ । ସୂଚନାଯୋଗ୍ୟ, ସୂର୍ଯ୍ୟାଂଶ ୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୪୦୪ରନ୍ କରିଥିବାବେଳେ ୯ଟି ଟି-ଟ୍ୱେଣ୍ଟି ଖେଳି ୨୫୨ ଷ୍ଟ୍ରାଇକ୍ ରେଟ୍ରେ ମୋଟ ୧୩୧ରନ୍ ଏବଂ ୮ଟି ୱିକେଟ୍ ନେଇଛନ୍ତି ।
ମୁସିର ଖାନ (ବୟସ: ୨୦ବର୍ଷ) ଦଳ:
ପଞ୍ଜାବ କିଙ୍ଗ୍ସ ମୁମ୍ବାଇର ଯୁବ ଅଲରାଉଣ୍ଡର ମୁସିର ପ୍ରଥମ ଥର ଆଇପିଏଲ୍ ଖେଳିବାକୁ ସୁଯୋଗ ପାଇଛନ୍ତି । ପଞ୍ଜାବ କିଙ୍ଗ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣି ଦଳରେ ସାମିଲ କରିଛି । ସେ ହେଉଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟର ସର୍ଫରାଜ ଖାନ୍ଙ୍କ ସାନ ଭାଇ । ୨୦୨୪ରେ ୧୯ବର୍ଷରୁ କମ୍ ବିଶ୍ୱକପ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରି ମୁସିର ଚର୍ଚ୍ଚାକୁ ଆସିଥିଲେ । ସେ ୭ଟି ମ୍ୟାଚ୍ ଖେଳି ଦ୍ୱିତୀୟ ସର୍ବାଧିକ ୩୬୦ରନ୍ ସଂଗ୍ରହ କରିଥିଲେ । ସେଥିରେ ୨ଟି ଶତକ ସାମିଲ ରହିଥିଲା । ଏହାପରେ ସେ ରଣଜୀ ଟ୍ରଫିରେ ୩ଟି ମ୍ୟାଚ୍ ଖେଳି ୧୦୮.୨୫ ଆଭରେଜରେ ମୋଟ ୪୩୩ ରନ୍ (୨ଶତକ, ୧ଅର୍ଦ୍ଧଶତକ) ରନ୍ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ମୁମ୍ବାଇ ରଣଜୀ ଟ୍ରଫି ଚାମ୍ପିଅନ୍ ହୋଇଥିଲା । ଏଥର ମୁସିର ଟି-ଟ୍ୱେଣ୍ଟି ଫର୍ମାଟରେ ନିଜକୁ ପ୍ରମାଣିତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।
ଆସିଲା ଆଇପିଏଲ୍ ଋତୁ: ୧୩ ସହରରେ ଖେଳାଯିବ ୭୪ମ୍ୟାଚ୍, କେକେଆର୍- ଆର୍ସିବି ଉଦ୍ଘାଟନୀ ମ୍ୟାଚ୍