ଚେନ୍ନାଇ, ୨୩/୦୩: ରବିବାର ଖେଳାଯିବ ଆଇପିଏଲ୍ର ସବୁଠୁ ଚର୍ଚ୍ଚିତ ମୁକାବିଲା । ୫ଥର ଲେଖାଏଁ ଆଇପିଏଲ୍ ଟାଇଟଲ ଜିତି ସାରିଥିବା ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ସାମ୍ନା ସାମ୍ନି ହେବେ । ସୁପରକିଙ୍ଗ୍ସର ଘରୋଇ ଗ୍ରାଉଣ୍ଡ ଚିପକ୍ ଷ୍ଟାଡ଼ିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ଗତ ୧୭ ବର୍ଷ ଭଳି ରବିବାର ମଧ୍ୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।
ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଘରୋଇ ଗ୍ରାଉଣ୍ଡ୍ ଓ ସମର୍ଥନକୁ ଦେଖିଲେ ରବିବାର ସୁପରକିଙ୍ଗ୍ସର ପଲା ଭାରି ରହିବା ସ୍ୱାଭାବିକ । କିନ୍ତୁ ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୩୭ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ଟି ଓ ସୁପରକିଙ୍ଗ୍ସ ୧୭ଟି ମ୍ୟାଚ୍ ଜିତିଛନ୍ତି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ୍ରୁ ୪ଟି ମ୍ୟାଚ୍ରେ ସୁପରକିଙ୍ଗସ ବିଜୟୀ ହୋଇଛି ।
ଗତ ବର୍ଷ ଉଭୟ ଦଳ ଥରେ ମାତ୍ର ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ଶତକ ଅର୍ଜନ କରିଥିଲେ ହେଁ ସୁପରକିଙ୍ଗ୍ସ ଏହି ମ୍ୟାଚ୍କୁ ୨୦ ରନ୍ରେ ଜିତିଥିଲା । ଏଥର ସୁପରକିଙ୍ଗ୍ସକୁ ତା ଘରୋଇ ଗ୍ରାଉଣ୍ଡରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରୟାସ କରିବ ।
ସୁପରକିଙ୍ଗ୍ସକୁ ହରାଇବା ସହଜ ନୁହେଁ । ଋତୁରାଜ ଗାଏକୱାଡ ନେତୃତ୍ୱ ନେଉଥିଲେ ହେଁ ଅଭିଜ୍ଞ ଧୋନିଙ୍କ ରଣ କୌଶଳ ଉପରେ ଦଳ ନିର୍ଭର କରିବ। ୱିକେଟ୍ ପଛରେ ରହି ସେ ବୋଲରଙ୍କୁ ଦେଉଥିବା ପରାମର୍ଶ ସର୍ବଦା ସଫଳ ରହିଛି । ରବିବାର ମଧ୍ୟ ସେ ବୋଲିଂ ବିଭାଗକୁ ପରିଚାଳନା କରି ମୁମ୍ବାଇ ଇଣ୍ଡିଆନ୍ସର ଦୁର୍ଦ୍ଧର୍ଷ ବ୍ୟାଟରଙ୍କୁ ଅଟକାଇବେ ।
ଧୋନିଙ୍କ ସମର୍ଥକ ଚିପକ୍ରେ ଭିଡ଼ ଜମାଇବା ନିଶ୍ଚିତ । ହଳଦିଆ ଜର୍ସିରେ ଷ୍ଟାଡ଼ିୟମ ପୂର୍ଣ୍ଣ ହେବ । ତଥାପି ଏକ ଅଦୃଶ୍ୟ ସମର୍ଥନ ରୋହିତ ଶର୍ମାଙ୍କ ପ୍ରତି ରହିବ । ଗତ ଆଇପିଏଲ୍ ପରେ ରୋହିତ ଅଧିନାୟକ ଭାବେ ଭାରତକୁ ୨ଟି ଆଇସିସି ଟ୍ରଫି ଜିତାଇ ଅଗଣିତ ପ୍ରଶଂସକ ସୃଷ୍ଟି କରିଛନ୍ତି ।
ସୁପରକିଙ୍ଗ୍ସ ଦଳରେ ଅଭିଜ୍ଞ ଖେଳାଳି ଓ ଦକ୍ଷ ଅଲ୍ରାଉଣ୍ଡର ରହିଛନ୍ତି । ଏଥର ସ୍ପିନ୍ ବୋଲିଂ ସହାୟତାରେ ଟୁର୍ଣ୍ଣାମେଣ୍ଟ ଜିତିବାକୁ ସୁପରକିଙ୍ଗ୍ସ ଯୋଜନା କରିଛି । ପୂର୍ବରୁ ରବିନ୍ଦ୍ର ଜାଡ଼େଜା ଦଳରେ ରହିଥିବାବେଳେ ଏଥର ରବି ଚନ୍ଦ୍ରନ ଅଶ୍ୱିନ, ନୂର ଅହମ୍ମଦ, ଶ୍ରେୟାସ ଗୋପାଳଙ୍କ ଭଳି ସ୍ପିନରଙ୍କୁ କିଣିଛି ସୁପରକିଙ୍ଗ୍ସ । ସେହିପରି ଦୀପକ ହୁଡ଼ା ଓ ରଚିନ ରବିନ୍ଦ୍ର ଭାବେ ସ୍ପିନ ବୋଲିଂ ଅଲରାଉଣ୍ଡର ଦଳରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ବିଜୟ ଶଙ୍କର, ସାମ କରନଙ୍କ ଭଳି ପେସ୍ ବୋଲିଂ ଅଲ୍ରାଉଣ୍ଡର ରହିଥିବାରୁ ସୁପରକିଙ୍ଗ୍ସର ବ୍ୟାଟିଂ ବିଭାଗ ବେଶ ଲମ୍ବା ରହିବ ।
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ। ବୁମରା ସମ୍ପ୍ରତି ଆହତ ଅଛନ୍ତି । ମନ୍ଥର ବୋଲିଂ ପାଇଁ ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ ହୋଇଥିବା ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ । ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗ ବେଶ୍ ସନ୍ତୁଳିତ ରହିଛି । ରୋହିତଙ୍କ ସହ ର୍ୟାନ ରିକେଲଟନ ପାଳି ଆରମ୍ଭ କରିବା ନିଶ୍ଚିତ । ମଧ୍ୟ ଭାଗରେ ତିଳକ ବର୍ମା, ସୂର୍ଯ୍ୟକୁମାର, ୱିଲ ଜ୍ୟାକ୍ସଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ବୁମରା ନଥିବାରୁ ବୋଲିଂ ବିଭାଗ ସାମାନ୍ୟଦୁର୍ବଳ ରହିବ । ତଥାପି ଟ୍ରେଣ୍ଟ ବୋଲ୍ଟଙ୍କ ଉପରେ ପେସ୍ ବୋଲିଂ ବିଭାଗ ନିର୍ଭର କରିବ ।
ଚିପକ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଗତ ସିଜନରେ ଏହି ପିଚ୍ରୁ ପେସ୍ ବୋଲରମାନେ ମଧ୍ୟ ଭରପୁର ଫାଇଦା ଉଠାଇଥିଲେ । ମାତ୍ର ଏଥର ମେଗା ନିଲାମରେ ସୁପରକିଙ୍ଗ୍ସ କିଣିଥିବା ସ୍ପିନରଙ୍କୁ ଦେଖିଲେ ଚିପକ୍ ଷ୍ଟାଡ଼ିୟମ୍ର ପିଚ୍କୁ ସହଜରେ ଅନୁମାନ କରିହେଉଛି । ରାତି ମ୍ୟାଚ୍ ହୋଇଥିବାରୁ ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏଠାରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ୱିଲ ଜ୍ୟାକ୍ସ, ରବିନ ମିଞ୍ଜ, ନମନ ଧୀର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, କରଣ ଶର୍ମା, ରାଜ ବାୱା ।
ସୁପରକିଙ୍ଗ୍ସ: ରଚିନ ରବିନ୍ଦ୍ର/ଡେଭନ କନୱେ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ରାହୁଲ ତ୍ରିପାଠୀ, ଦୀପକ ହୁଡ଼ା/ବିଜୟ ଶଙ୍କର, ଶିବମ ଦୁବେ, ସାମ କରନ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି, ଆର ଅଶ୍ୱିନ, ନୂର ଅହମ୍ମଦ/ନାଥାନ ଏଲିସ୍, ମଥିଶା ପତିରଣା, ଖଲିଲ ଅହମ୍ମଦ ।
ଆଇପିଏଲ୍ ୨୦୨୫: ଅପରାହ୍ମରେ ରୟାଲ୍ସ- ସନରାଇଜର୍ସ ଟକ୍କର, ଉପଲ୍ରେ ହେବ ଛକା ବର୍ଷା