ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଏପ୍ରିଲରେ ଶ୍ରୀଲଙ୍କା ଯିବ ଓଡ଼ିଶା ଟିମ୍‌: ଶୁଭ୍ରାଂଶୁଙ୍କ ହୋଇପାରେ ଘର ବାହୁଡ଼ା, ଏନ୍‌ଓସିକୁ ଅପେକ୍ଷା...

Published By : Prameya | March 25, 2025 12:17 PM

କଟକ,୨୫/୦୩: ପୁଣି ଥରେ ଓଡ଼ିଶା ଫେରିଆସିବାକୁ ଚିନ୍ତା କରୁଛନ୍ତି ଓଡ଼ିଶାର ଅଭିଜ୍ଞ କ୍ରିକେଟର ଶୁଭ୍ରାଂଶୁ  ସେନାପତି । ଓଡ଼ିଶା କ୍ରିକେଟରୁ ବର୍ଷେ  ଦୂରେଇ ରହିବା ପରେ ସେ ଘର ବାହୁଡିବା ପାଇଁ ମନସ୍ତ କରିଛନ୍ତି । ଏ ବାବଦରେ  ମଧ୍ୟପ୍ରଦେଶ କ୍ରିକେଟ ସଂଘର ଏନ୍‌ଓସିକୁ ଅପେକ୍ଷା କରିଥିବା ଜଣାପଡିଛି । ଯଦି ତାଙ୍କୁ ଏନ୍‌ଓସି ମିଳେ ସେ ଓଡ଼ିଶା ଫେରିବେ ।  ଓଡ଼ିଶା ଦଳ ଆସନ୍ତା ଏପ୍ରିଲରେ ଶ୍ରୀଲଙ୍କା  ଗସ୍ତରେ ଯିବାକୁ ଯୋଜନା କରୁଛି । ଏହି  ଦଳରେ ଶୁଭ୍ରାଂଶୁ ସାମିଲ୍‌ ହେବାର ସମ୍ଭାବନା  ଅଧିକ ରହିଛି ।  

ବିସିସିଆଇର ଗତ ଘରୋଇ ସିଜନ୍‌ରେ ଶୁଭ୍ରାଂଶୁ  ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଆଗାମୀ ସିଜନରେ ସେ ଓଡିଶା ପାଇଁ ଖେଳିବେ ବୋଲି ଆଲୋଚନା ହେଉଛି । ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ  ଶୁଭ୍ରାଂଶୁଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି । ମଧ୍ୟପ୍ରଦେଶ ଛାଡ଼ି ଓଡ଼ିଶା ପକ୍ଷରୁ ଖେଳିବା ନିମନ୍ତେ  ଓସିଏ ପଦାଧିକାରୀ ଆଲୋଚନା କରିଛନ୍ତି ।  ଅନ୍ୟପକ୍ଷରେ ମଧ୍ୟପ୍ରଦେଶ କ୍ରିକେଟ ସଂଘରୁ  ଶୁଭ୍ରାଂଶୁଙ୍କୁ ଏଯାବତ୍‌ ଏନଓସି ମିଳିନାହିଁ ।  ଯାହା ଆଶା କରାଯାଉଛି, ଏପ୍ରିଲ ମାସରେ ସେ ଓଡିଶା ଶିବିରରେ ସାମିଲ ହୋଇପାରନ୍ତି।  

ବିସିସିଆଇର ଗତ ଘରୋଇ  ସିଜନ୍‌ରେ ଶୁଭ୍ରାଂଶୁ ମଧ୍ୟପ୍ରଦେଶ ପକ୍ଷରୁ ୬ଟି ରଣଜୀ ମ୍ୟାଚ୍‌ ଖେଳିଥିଲେ । ଏଥିରେ  ସେ ୨୫୧ରନ କରିଥିବା ବେଳେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟିରେ ୧୦ଟି ମ୍ୟାଚରୁ  ୨୫୪ ରନ, ବିଜୟ ହଜାର ଟ୍ରଫିରେ ୪ଟି  ମ୍ୟାଚରୁ ୧୩୨ରନ ସଂଗ୍ରହ କରିଥିଲେ । ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମଧ୍ୟପ୍ରଦେଶ  ନିମନ୍ତେ ଉପଯୋଗୀ ପାଳି ଖେଳି ଦଳକୁ  ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ମାତ୍ର ଗୋଟିଏ ସିଜନ ଖେଳିବା ପରେ ତାଙ୍କୁ  ଘରୋଇ ଦଳକୁ ଫେରାଇ ଆଣିବା ନିମନ୍ତେ  ଓସିଏ ଉଦ୍ୟମ କରିଛି ।  

ଜଣେ ବରିଷ୍ଠ ପଦାଧିକାରୀଙ୍କ କହିବା  ଅନୁସାରେ, ଆଗାମୀ ଦିନରେ ଓଡ଼ିଶା କ୍ରିକେଟ  ଲିଗ୍‌(ଓସିଏଲ୍‌) ବଡ଼ ଧରଣର ଆୟୋଜନ  ହେବ । ଏହାଛଡ଼ା ଓଡ଼ିଶା ସିନିୟର ଦଳ  ଏପ୍ରିଲ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବ ।  ଦଳରେ କିଛି ନବାଗତ ଖେଳାଳି ସାମିଲ  ହେବେ । ଏହି ସବୁ ମ୍ୟାଚ୍‌ ସୂଚୀ ନିମନ୍ତେ  ଶୁଭ୍ରାଂଶୁଙ୍କୁ ଓଡିଶା ଫେରାଇ ଆଣିବାକୁ  ଆଲୋଚନା ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି  ଘଟଣାରେ କୌଣସି ସ୍ପଷ୍ଟତା ଆସିନାହିଁ  ବୋଲି ଓସିଏ ତରଫରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.