ହାଇଦ୍ରାବାଦ,୨୩/୦୩: ରବିବାର ଅପରାହ୍ଣରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ସନରାଇଜର୍ସର ଘରୋଇ ଗ୍ରାଉଣ୍ଡ ଉପଲ ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ଟି ଚଳିତ ବର୍ଷର ଅନ୍ୟ ଏକ ଚର୍ଚ୍ଚିତ ମୁକାବିଲା ।

ଗତ ସିଜନରେ ଉଭୟ ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପରସ୍ପରକୁ ଭେଟିଥିଲେ ଓ ସନରାଇଜର୍ସ ଏହି ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲା । ରାଜସ୍ଥାନ ରୟାଲ୍ସର ଫାଇନାଲ୍‌ ଆଶା ମଉଳି ଯାଇଥିଲା । ଏଥର ରାଜସ୍ଥାନ ରୟାଲ୍ସ ପ୍ରତିଶୋଧ ନେବାକୁ ଅପେକ୍ଷା  କରିଛି । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ  ରହିବ । ଦର୍ଶକ ରବିବାର ଧୂଆଁଧାର ବ୍ୟାଟିଂ  ଦେଖିବା ପାଇଁ ଏହି ମ୍ୟାଚ୍‌କୁ ଉତ୍ସୁକତାର ସହ  ଅପେକ୍ଷା କରିଛନ୍ତି । 

ଗତ ସିଜନରେ ସନରାଇଜର୍ସ ଦଳ ମୋଟ୍‌  ୧୭୮ଟି ଛକା ମାରିଥିଲା । ଏଥର ମଧ୍ୟ ବିସ୍ଫୋରକ  ବ୍ୟାଟିଂ କରିବାକୁ ଦଳ ପ୍ରସ୍ତୁତ । ଦୁଇ ଓପନର  ଟ୍ରେଭିସ ହେଡ୍‌ ଓ ଅଭିଷେକ ଶର୍ମା ଗତ ବର୍ଷ  ସବୁ ଦଳର ନିଦ ହଜାଇ ଦେଇଥିଲେ । ଏମାନଙ୍କ ବ୍ୟତୀତ ହେନରିକ କ୍ଲାସେନ, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀଙ୍କ ଭଳି ଧୂଆଁଧାର  ବ୍ୟାଟର ମଧ୍ୟ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍‌ ସନ୍ତୁଳିତ । ପ୍ୟାଟ୍‌ କମିନ୍ସ ବୋଲିଂ ବିଭାଗ  ସମ୍ଭାଳୁ ଥିବାବେଳେ ଏଥର ଦଳ ମହମ୍ମଦ ସାମି  ଓ ହର୍ଷଲ ପଟେଲଙ୍କ ଭଳି ସଫଳ ବୋଲରଙ୍କୁ  କିଣିଛି । ସେହିପରି ଆଡାମ ଜାମ୍ପା, ରାହୁଲ  ଚହର ସ୍ପିନ ବିଭାଗ ସମ୍ଭାଳିବେ । 

ରାଜସ୍ଥାନ ରୟାଲ୍ସ  ନୂଆ  ଅଧିନାୟକ ରିୟାନ ପରାଗଙ୍କ ସହ ଗ୍ରାଉଣ୍ଡକୁ  ଓହ୍ଲାଇବ । ସ୍ଥାୟୀ ଅଧିନାୟକ ସଞ୍ଜୁ ସାମସନ ରବିବାର କେବଳ ବ୍ୟାଟର ଭାବେ ଖେଳିବେ । ତେଣୁ ତାଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ବ୍ୟବହାର  କରାଯିବ। ଏଥର ଜୋସ ବଟଲର ଦଳରେ ନାହାନ୍ତି । ତଥାପି ବ୍ୟାଟିଂ ବିଭାଗ ଶକ୍ତିଶାଳୀ । ସନରାଇଜର୍ସର ଦୁର୍ଦ୍ଧର୍ଷ ବ୍ୟାଟରଙ୍କୁ ଅଟକାଇବା  ପାଇଁ ରୟାଲ୍ସ ଏଥର ଜୋଫ୍ରା ଆର୍ଚରଙ୍କୁ କିଣିଛି । ୱାନିଣ୍ଡୁ ହସରଙ୍ଗା ଏକମାତ୍ର ସ୍ପିନର ଭାବେ ଖେଳିବା ଆଶା କରାଯାଉଛି ।  

ଅପରାହ୍ଣରେ ମ୍ୟାଚ୍‌ ରହିଥିବାରୁ ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଗତ ବର୍ଷ ଏହି  ଗ୍ରାଉଣ୍ଡ୍‌ରେ ଓଭର ପିଛା ୧୦.୫୪ ହାରରେ ରନ ସଂଗୃହୀତ ହୋଇଥିଲା । ଏଥର ମଧ୍ୟ ବିଶାଳ  ସ୍କୋର ସଂଗୃହୀତ ହେବ । ଟସ୍‌ କିଛି ଗୁରୁତ୍ୱ  ରଖିବ ନାହିଁ । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ସନରାଇଜର୍ସ: ଟ୍ରେଭିସ ହେଡ୍‌, ଅଭିଷେକ  ଶର୍ମା, ଇଶାନ କିଷନ, ନୀତିଶ କୁମାର  ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ  ବର୍ମା, ଅଭିନବ ମନୋହର, ପ୍ୟାଟ୍‌ କମିନ୍ସ  (ଅଧିନାୟକ), ହର୍ଷଲ ପଟେଲ, ରାହୁଲ  ଚହର, ମହମ୍ମଦ ସାମି, ଆଡାମ ଜାମ୍ପା । 

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ସଞ୍ଜୁ  ସାମସନ, ନୀତିଶ ରାଣା, ରିୟାନ ପରାଗ  (ଅଧିନାୟକ), ଧ୍ରୁବ ଜୁରେଲ, ସିମରନ  ହେତମାୟର, ୱାନିଣ୍ଡୁ ହସରଙ୍ଗା, ଶୁଭମ  ଦୁବେ/ଆକାଶ ମଧୱାଲ, ଜୋଫ୍ରା ଆର୍ଚର,  ମହୀଶ ତୀକ୍ଷଣା/ଫଜଲହକ୍‌ ଫାରୁକି, ସନ୍ଦିପ  ଶର୍ମା, ତୁଷାର ଦେଶପାଣ୍ଡେ