ଭୁବନେଶ୍ୱର, ୨୨/୦୩: ଶିକ୍ଷା ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୋଆ କର୍ପୋରେଟ୍ କ୍ରିକେଟ୍ ଲିଗର ୨୦୨୫ ସଂସ୍କରଣ । ମୋଟ ୧୦ଟି ଫ୍ରାଞ୍ଚାଇଜ ଦଳ ଏଥିରେ ସାମିଲ ହୋଇଛନ୍ତି । ଚାମ୍ପିଅନ ଦଳକୁ ୭୫ ହଜାର ଏବଂ ରନର୍ସଅପ୍ ଦଳକୁ ୪୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସମସ୍ତ ଦଳର ଅଧିନାୟକମାନେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ଟ୍ରଫି ଓ ଜର୍ସି ଉନ୍ମୋଚନ କରିଥିଲେ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କହିଥିଲେ, ‘ଟୁର୍ଣ୍ଣାମେଣ୍ଟକୁ ଆଇପିଏଲ୍ ଢାଞ୍ଚାରେ ଆୟୋଜନ କରାଯାଉଛି । ପ୍ରଥମେ ୧୦ ଫ୍ରାଞ୍ଚାଇଜ ଚୟନ ହୋଇ ପରେ ଖେଳାଳି ନିଲାମୀ ହୋଇଥିଲା । ୩୪୪ ଜଣ ଖେଳାଳି ଏଥିରେ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୬୭ ଜଣ ବିକ୍ରୀ ହୋଇଥିଲେ । ଖେଳାଳିମାନଙ୍କ ସର୍ବନିମ୍ନ ବୟସ ସୀମା ୨୫ ବର୍ଷ ରଖାଯାଇଛି । ପ୍ରତ୍ୟେକ ଦଳରେ ୪୫ ବର୍ଷରୁ ଊଦ୍ଧ୍ୱର୍ ଦୁଇ ଜଣ ଖେଳାଳି ରହିବା ବାଧ୍ୟତାମୂଳକ କରାଯାଇଛି ।୧୦ଟି ଦଳକୁ ୨ଟି ଗ୍ରୁପ୍ରେ ଭାଗ ହୋଇଛନ୍ତି । ଏପ୍ରିଲ ୨୩ ତାରିଖରେ ଫାଇନାଲ ଖେଳାଯିବାର କ୍ରୀଡ଼ାସୂଚୀ ରହିଛି ।’
‘ଫାଇନାଲରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦ ସିରିଜ ବିଜେତାଙ୍କୁ ବିଶେଷ ଉପହାର ପ୍ରଦାନ କରାଯିବ । ବହୁ ଅଭିଜ୍ଞ ଖେଳାଳି ବିଭିନ୍ନ ଦଳରେ ରହିଛନ୍ତି । ପୂର୍ବରୁ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରିଥିବା ସଞ୍ଜୟ ଶତପଥୀ ଏହି ଲିଗ୍ରେ ଖେଳୁଛନ୍ତି । ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା ଦଳ ଗୁଡ଼ିକ ହେଲେ ଅଭେଶ ୱାରିୟର୍ସ, ରୟାଲ ଚ୍ୟାଲେଞ୍ଜର୍ସ ଭୁବନେଶ୍ୱର, ସର୍ଜିକାଲ ଷ୍ଟ୍ରାଇକର୍ସ, ୱାଇଲ୍ଡ ଗନ୍ସ ରିଲୋଡେଡ୍, ଭାମ୍ପାୟର ଡୋମିନେଟର୍ସ, ସ୍ପାଟନ୍ସ ଆଇସର୍ଭୟୁ, ଓଡ଼ିଶା ଷ୍ଟାଲିୟନ୍ସ, ଜ୍ୟୋତେ ଜଗରନଟ୍ସ, ମାଭରିକ୍ସ ଓ କଳିଙ୍ଗ ପାନ୍ଥର୍ସ । ଉଦ୍ଘାଟନୀ ମ୍ୟାଚ୍ ଜଗରନଟ୍ସ ଓ ମାଭରିକ୍ସ ମଧ୍ୟରେ ରହିଛି । ମ୍ୟାଚ୍ ଗୁଡ଼ିକ ସୋଆ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ବୋଲି କହିଛନ୍ତି ଆୟୋଜକ କମିଟିର ସଦସ୍ୟ ତନ୍ମୟ ପରିଡ଼ା । ଏହି ଅବସରରେ ଆୟୋଜକ କମିଟିର ସଦସ୍ୟ ତାପସ କୁମାର କର ଓ ପ୍ରିୟମ ମଲ୍ଲିକଙ୍କ ସହ ପ୍ରତ୍ୟେକ ଦଳର ମାଲିକ ଏବଂ ଅଧିନାୟକମାନେ ଉପସ୍ଥିତ ରହିଥିଲେ ।