କୋଲକାତା,୨୨/୦୩: ଆଇପିଏଲର ପ୍ରଥମ ମ୍ୟାଚ୍ ରେ, କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୭୫ ରନ୍ର ଟାର୍ଗେଟ ଦେଇଛି। ଅଜିଙ୍କ୍ୟ ରାହାଣେ ଏବଂ ସୁନୀଲ ନାରିନ ୧୦୩ ରନ୍ର ଏକ ଚମତ୍କାର ଭାଗୀଦାରୀ ସହିତ କେକେଆରକୁ ଭଲ ଆରମ୍ଭ ଦେଇଥିଲେ। କିନ୍ତୁ କୃଣାଲ ପାଣ୍ଡ୍ୟା ୩ଟି ୱିକେଟ ନେଇ ଆରସିବିକୁ ଏକ ଦୃଢ଼ ସ୍ଥିତିକୁ ଫେରାଇଥିଲେ ଏବଂ କେକେଆରକୁ ୧୭୪ ରନରେ ସୀମିତ ରଖିଥିଲେ। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ୧୦ ଓଭରରେ ୧୦୭ ରନ କରିଥିଲା କିନ୍ତୁ ଶେଷ ୧୦ ଓଭରରେ ଆରସିବି ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ୧୦ ଓଭରରେ କେକେଆର୍ କେବଳ ୬୭ ରନ୍ କରିପାରିଥିଲା। ଦଳର ବିସ୍ଫୋରକ ବ୍ୟାଟର ଆଣ୍ଡ୍ରେ ରସେଲ୍ ଏବଂ ରିଙ୍କୁ ସିଂହ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ।
କ୍ୱିଣ୍ଟନ୍ ଡି କକ୍ଙ୍କ ପ୍ରଥମ ୱିକେଟ୍ ୪ ରନ୍ରେ ପଡ଼ିବା ପରେ, ଅଜିଙ୍କ୍ୟ ରାହାଣେ ସୁନୀଲ ନାରିନଙ୍କ ସହ ମିଶି ଏକ ଚମତ୍କାର ଶତକୀୟ ଭାଗୀଦାରି କରିଥିଲେ। ରାହାଣେ ଆଇପିଏଲ୍ ୨୦୨୫ର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ, ସେ ମାତ୍ର ୨୫ ବଲ୍ରେ ଏହି ରନ୍ କରିଛନ୍ତି। ରାହାଣେ ୩୧ ବଲ୍ରେ ୫୬ ରନ୍ କରିଥିଲେ, ଯେଉଁଥିରେ ସେ ୬ ଚୌକା ଏବଂ ୪ ଛକା ମାରିଥିଲେ। ତାଙ୍କୁ କୃଣାଲ ପାଣ୍ଡ୍ୟା ଆଉଟ୍ କରିଥିଲେ। ସୁନୀଲ ନାରିନେ ୨୬ ବଲ୍ରେ ୪୪ ରନ୍ କରିଥିଲେ। ଏହି ଇନିଂସରେ ସେ ୩ଟି ଛକା ଏବଂ ୫ଟି ଚୌକା ମାରିଥିଲେ। ତାଙ୍କୁ ରସିକ ସଲାମ ଆଉଟ୍ କରିଥିଲେ।
କୃଣାଲ ପାଣ୍ଡ୍ୟା ୪ ଓଭରରେ ୨୯ ରନ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ସେ ଅଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର ଏବଂ ରିଙ୍କୁ ସିଂହଙ୍କୁ ନିଜର ଶିକାର କରିଥିଲେ। ଜୋଶ ହଜେଲଉଡ୍ କ୍ୱିଣ୍ଟନ୍ ଡି କକ୍ ଙ୍କୁ ଆଉଟ୍ କରି ପ୍ରଥମ ୱିକେଟ୍ ନେଇଥିଲେ। ସେ ତାଙ୍କର ୪ ଓଭର ସ୍ପେଲରେ ୨୨ ରନ ଦେଇ ୨ ୱିକେଟ୍ ନେଇଥିଲେ। ୟଶ ଦୟାଲ ଏବଂ ରସିକ ସଲାମ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ସୁୟାଶ ଶର୍ମା ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।